ତାମିଲନାଡୁରେ ନବୀନ ଓ ପାଣ୍ଡିଆନ୍!

ଭୁବନେଶ୍ୱର: ନୂଆଦିଲ୍ଲୀ ଗଲେ ବୋଲି କହିଲେ । ଦିନେ କି ଦିଦିନ ନୁହେଁ, ସିଧା ସାତ ଦିନ ପାଇଁ ଦିଲ୍ଲୀ ଯାଇଛନ୍ତି ବୋଲି କୁହାଗଲା । ହେଲେ କ’ଣ ପାଇଁ, ତାହା ଦଳୀୟ ନେତାଙ୍କୁ ବି ଜଣାନାହିଁ । ନବୀନଙ୍କ ନୂଆଦିଲ୍ଲୀ ଗସ୍ତର ରହସ୍ୟକୁ ନେଇ ଚର୍ଚ୍ଚା ଥମି ନଥିବାବେଳେ ଆଜି ଏକ ଭିଡ଼ିଓ ଭାଇରାଲ୍ ହୋଇଛି । ଯେଉଁଥିରେ ନବୀନ ଓ ଭିକେ ପାଣ୍ଡିଆନ୍ ତାମିଲନାଡୁର କୋଏମ୍ବାଟୁର ବିମାନବନ୍ଦରରେ ଥିବା ଦେଖିବାକୁ ମିଳିଛି । ଯାହା ଏବେ ରାଜନୀତିକ ମହଲରେ ଆଲୋଡ଼ନ ସୃଷ୍ଟିକରିଛି ।
ଭୁବନେଶ୍ୱରରେ ବିଧାନସଭା ଚାଲିଛି । ପୁଣି ଗୁରୁତ୍ୱପୂର୍ଣ୍ଣ ବଜେଟ୍ ଅଧିବେଶନ । ସେପଟେ କଂଗ୍ରେସ ହଙ୍ଗାମା କରି ସାରା ରାଜ୍ୟ ହୁଲସ୍ତୁଲ କରିଦେଉଛି । ହେଲେ ବିଜେଡ଼ି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କର ଦେଖା ଦର୍ଶନ ନାହିଁ । ନବୀନ ୭ ଦିନ ପାଇଁ ନୂଆଦିଲ୍ଲୀ ଗଲେ ବୋଲି କୁହାଗଲା । କିନ୍ତୁ ଆଜି ଏକ ଗଣମାଧ୍ୟମରେ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କ ଭିଡ଼ିଓ ଭାଇରାଲ୍ ହେଉଛି । ପାଣ୍ଡିଆନଙ୍କ ଘର ତାମିଲନାଡୁରେ । ହେଲେ ପାଣ୍ଡିଆନ୍ କି ନବୀନ ତାମିଲନାଡୁ ଯିବାର ନଜିର କେବେ ଦେଖିବାକୁ ମିଳିନାହିଁ । କିନ୍ତୁ ଏବେ କାହିଁକି ଯାଇଛନ୍ତି, ତାହାକୁ ନେଇ ଚର୍ଚ୍ଚା ହେବା ସ୍ୱାଭାବିକ । ସେହିପରି ପ୍ରକାଶିତ ରିପୋର୍ଟ ଅନୁଯାୟୀ, ନବୀନ ଓ ପାଣ୍ଡିଆନ୍ କେରଳ ଯାଇଥିବା ବି କୁହାଯାଉଛି । କାହିଁକିନା ସେ ଯେଉଁ ଗାଡ଼ିରେ ଯାଇଥିଲେ ସେଥିରେ କେରଳ ନମ୍ବର ଥିଲା । କିନ୍ତୁ ଏନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଅପରପକ୍ଷରେ ଏନେଇ ବିଜେଡ଼ି ନେତାମାନେ ଭିନ୍ନଭିନ୍ନ ମତ ଦେଇଛନ୍ତି । ବିଧାୟକ ମନୋହର ରାନ୍ଧାରୀ କହିଛନ୍ତିଯେ, ନବୀନ ବ୍ୟକ୍ତିଗତ କାମରେ ଯାଇଛନ୍ତି, ଖୁବଶୀଘ୍ର ଫେରିଆସିବେ । ଅନେକ ସମୟରେ ସେ ବ୍ୟକ୍ତିଗତ କାର୍ଯ୍ୟ ଓ ସ୍ୱାସ୍ଥ୍ୟ ଚେକଅପ ଯାଇଥା’ନ୍ତି । କିନ୍ତୁ ସେ କାହିଁକି ଯାଇଛନ୍ତି ମୁଁ ଜାଣେନାହିଁ ବୋଲି କହିଛନ୍ତି ।