କ୍ୟାବିନେଟ୍ ନିଷ୍ପତ୍ତି ଆସିବ : ୧୫୬ ପ୍ରଚଣ୍ଡ ହେଲିକପ୍ଟର୍

 ନୂଆଦିଲ୍ଲୀ:  ୧୫୬ଟି ‘ପ୍ରଚଣ୍ଡ’ ହେଲିକପ୍ଟର୍ କିଣିବ ଭାରତ । ଏଥିପାଇଁ ହିନ୍ଦୁସ୍ତାନ୍ ଏରୋନିଟିକ୍ସ ଲିମିଟେଡ୍ (ହାଲ୍) ସହିତ ୬୨୦୦୦ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି କେନ୍ଦ୍ର ସରକାର । ଆଜି ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ତେବେ ଜୁନ୍ ୨୦୨୪ରେ ପ୍ରତିରକ୍ଷା ବିଭାଗକୁ ହାଲ୍ ଉପରୋକ୍ତ ପରିମାଣର ଯୁଦ୍ଧ ହେଲିକପ୍ଟର୍ ଯୋଗାଇଦେବା ପାଇଁ ଅନୁମତି ପାଇଥିବା ବେଳେ ଆଜି ଏହି ଚୁକ୍ତିକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ମିଳିବାକୁ ଥିବା ଏହି ୧୫୬ଟି ହେଲିକପ୍ଟର୍ ମଧ୍ୟରୁ ସ୍ଥଳସେନାକୁ ୯୦ଟି ଏବଂ ବାୟୁସେନାକୁ ୬୦ଟି ହେଲିକପ୍ଟର୍ ଯୋଗାଇ ଦିଆଯିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏହି ପ୍ରଚଣ୍ଡ ହେଲିକପ୍ଟର୍କୁ କର୍ଣ୍ଣାଟକର ଟୁମୁକ୍ରୁ ପ୍ଲାଣ୍ଟରୁ ନିର୍ମାଣ କରାଯିବ ବୋଲି ହାଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏୟାର୍ ଟୁ ଏୟାର୍ ଏବଂ ଏୟାର ଟୁ ଗ୍ରାଉଣ୍ଡ୍କୁ ଆକ୍ରମଣ କରିବାର କ୍ଷମତା ରଖିଥିବା ଏହି ‘ପ୍ରଚଣ୍ଡ’କୁ ଚୀନ୍ ଏବଂ ପାକିସ୍ତାନ୍ ସୀମାରେ ନିୟୋଜିତ କରାଯିବ । ଏହି ହେଲିକପ୍ଟର୍ଗୁଡ଼ିକ ସୀମା ନୀରିକ୍ଷଣରେ ବିଶେଷ ଭାବେ ସହାୟକ ହେବ ବୋଲି ପ୍ରତିରକ୍ଷା ସୂତ୍ରରୁ କୁହାଯାଇଛି । ସେହିପରି ୫୦୦୦ ଫୁଟରୁ ୧୬୫୦୦ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଉଡ଼ାଣ (ଟେକ୍ଅଫ୍) ଓ ଅବତରଣ (ଲାଣ୍ଡିଂ) କ୍ଷମତା ଥିବା ଏହି ପ୍ରଚଣ୍ଡ ହେଲିକପ୍ଟର୍ ସିଆଚେନ୍ ଗ୍ଲାସିୟର୍ ଓ ପୂର୍ବ ଲଦାଖ ଭଳି ପାହାଡ଼ିଆ ଅଞ୍ଚଳରେ ନୀରିକ୍ଷଣ ପାଇଁ ବେଶ ଉପଯୋଗୀ ସାବ୍ୟସ୍ତ ହେବ । ସୂଚନାଯୋଗ୍ୟ ଚଳିତ ଆର୍ଥିକ ବର୍ଷରେ ପ୍ରତିରକ୍ଷା ମନ୍ତ୍ରାଳୟ ୨.୦୯ଲକ୍ଷ କୋଟିର ପ୍ରତିରକ୍ଷା ଚୁକ୍ତି କରିଛି ।