କେନ୍ଦ୍ର ଗୃହ ନିର୍ମାଣ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଅନୁରୋଧ: ଏସ୍ଏମ୍ସିକୁ ପଞ୍ଚଦଶ ଅର୍ଥ କମିଶନ ଦିଆଯାଉ

 ନୂଆଦିଲ୍ଲୀ/ଭୁବନେଶ୍ୱର : ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସମ୍ବଲପୁର ମହାନଗମ ନିଗମ (ଏସଏମସି) ଓ ଦେବଗଡ଼ ପୌରପାଳିକାକୁ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ପ୍ରଦାନ କରାଯାଉ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ଠାରେ କେନ୍ଦ୍ର ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲଙ୍କୁ ଭେଟି ଏହି ଅନୁରୋଧ କରିଛନ୍ତି । ଆଲୋଚନା କାଳରେ ଧର୍ମେନ୍ଦ୍ର କହିଥିଲେ, ସମ୍ବଲପୁର ଓ ଦେବଗଡ଼କୁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପଞ୍ଚଦଶ ଅର୍ଥ କମିଶନରେ ପୌର ସଂସ୍ଥାକୁ ଦିଆଯାଉଥିବା ଅର୍ଥ ଦିଆଯାଇନାହିଁ । ପଞ୍ଚଦଶ ଅର୍ଥ କମିଶନ ଅଧୀନରେ ‘ମୌଳିକ ଏବଂ ସଂଯୁକ୍ତ ଅନୁଦାନ' ଏବଂ ‘ସ୍ୱାସ୍ଥ୍ୟ ଅନୁଦାନ' ଏ ପର୍ଯ୍ୟନ୍ତ ନ ମିଳିବା ଯୋଗୁଁ ଅନେକ ବିକାଶମୂଳକ କାର୍ଯ୍ୟରେ ବାଧା ଉପୁଜିଛି । 
ଏହି ମୌଳିକ ଅନୁଦାନ ରାଶି ଦ୍ୱାରା ପୌରସଂସ୍ଥାରେ ରାସ୍ତା ଏବଂ ଡ୍ରେନେଜ୍ ଉନ୍ନତି, ପରିମଳ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ସହଜ ହେବ । ସହରାଞ୍ଚଳ ସୌନ୍ଦର୍ଯ୍ୟକରଣ, ରାସ୍ତା ଆଲୋକୀକରଣ ଏବଂ ସ୍ୱାସ୍ଥ୍ୟସେବା ଭଳି ବିଭିନ୍ନ ନାଗରିକ ସେବା ଏବଂ ଭିତ୍ତିଭୂମି କାର୍ଯ୍ୟ ସୁଦୃଢ ହେବ । ଏହାବ୍ୟତୀତ ସମ୍ବଲପୁର ଏବଂ ଦେବଗଡ଼ରେ ଲୋକମାନଙ୍କୁ ସୁଲଭ ମୂଲ୍ୟରେ କିପରି ଘର ମିଳିପାରିବ, ପିଏମ ସ୍ୱନିଧି ଯୋଜନାରେ ଉଠା ଦୋକାନୀ କିଭଳି ସହଜରେ ଋଣ ପାଇ ସ୍ୱାବଲମ୍ବୀ ହୋଇପାରିବେ ସେ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ । ଏ ସବୁ ଦିଗରେ ପଦକ୍ଷେପ ନେବା ପାଇଁ କେନ୍ଦ୍ର ଗୃହନିର୍ମାଣ ମନ୍ତ୍ରୀ ସହମତି ଦେଖାଇଥିବାରୁ ଧର୍ମେନ୍ଦ୍ର ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।