ବିଜେପି ସରକାର ପାଇଁ ରାଜ୍ୟର ପ୍ରତିଛବି ମଳିନ :   ଟ୍ରମ୍ପ୍ଙ୍କ ଆଡଭାଇଜରୀ, ବିଶ୍ୱରେ ଓଡ଼ିଶାକୁ ନିନ୍ଦା: ବିଜେଡି

 ଭୁବନେଶ୍ୱର : ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି । ମହିଳାଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଇଛି । ଏହାକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଡଭାଇଜରୀ, ଓଡ଼ିଶାକୁ ବିଶ୍ୱସ୍ତରରେ ନିନ୍ଦିତ କରିଥିବାରୁ ବିଜେଡି ଉଦ୍ବେଗ ପ୍ରକାଶ କରିଛି । ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଧାୟକ ଡ ଅରୁଣ ସାହୁ, ଦଳର ଉପସଭାପତି ସଞ୍ଜୟ ଦାସବର୍ମା ଓ ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଟୁକୁନି ସାହୁ ବିଜେପି କ୍ଷମତାକୁ ଆସିବା ପରେ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି ବୋଲି କହିଥିଲେ ।
ଡ ଅରୁଣ ସାହୁ କହିଥିଲେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ନିକଟରେ ଜାରି କରାଯାଇଥିବା ଏକ ଟ୍ରାଭେଲ ଆଡ୍ଭାଇଜରୀରେ ଓଡିଶା ସମେତ ଭାରତର ୬ଟି ରାଜ୍ୟକୁ ଯିବାକୁ ସେମାନଙ୍କ ନାଗରିକଙ୍କୁ ବାରଣ କରାଯାଇଛି । ଏହି ରାଜ୍ୟ ଗୁଡିକରେ ଅଧିକ ସଂଖ୍ୟାରେ ମହିଳାମାନେ ଦୁଷ୍କର୍ମର ଶିକାର ହେଉଥିବା ଓ ଉଗ୍ରବାଦ ଉପଦ୍ରବ ଅଞ୍ଚଳ ଭାବେ ଚିହ୍ନିତ ହୋଇଥିବାରୁ, ଏଭଳି ନିଦେ୍ର୍ଦଶନାମା ଜାରି କରାଯାଇଛି । ଆମେରିକାର ରାଷ୍ଟ୍ରପତିଙ୍କ ଦ୍ୱାରା ଜାରି କରାଯାଇଥିବା ନିଦେ୍ର୍ଦଶନାମା ଆମ ରାଜ୍ୟ ପାଇଁ ଲଜ୍ଜା ଓ ଅପବାଦ ଆଣିଛି । ସେହିପରି ସଞ୍ଜୟ ଦାସବର୍ମା କହିଥିଲେ, ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଓଡିଶା ପ୍ରଶଂସା ସାଉଁଟି ଥିଲା । ଏହାସହ ଆଜି ଏକ ସମୀକ୍ଷା କାର୍ଯ୍ୟକ୍ରମରେ ରାଜ୍ୟପାଳ ତାଙ୍କ ବକ୍ତବ୍ୟରେ ଓଡ଼ିଶାରେ ସାଇବର ଅପରାଧ ବୃଦ୍ଧି ପାଇଥିବା ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି । ସରକାରୀ ଯୋଜନା ବାବଦରେ ସରକାରୀ କର୍ମଚାରୀ ମାନେ ମଧ୍ୟ ଅବଗତ ନାହାନ୍ତି । ରାଜ୍ୟର ୯୫% ଲୋକ ସରକାରୀ ଯୋଜନା ବିଷୟରେ ଅବଗତ ନାହାନ୍ତି ବୋଲି ରାଜ୍ୟପାଳଙ୍କ ମନ୍ତବ୍ୟ ସରକାରଙ୍କ ଅପରାଗପଣିଆକୁ ପଦାରେ ପକାଇଛି । ଟୁକୁନି ସାହୁ କହିଥିଲେ, ନବୀନ ସରକାରଙ୍କ ସମୟରେ ମହିଳାଙ୍କ ସମ୍ମାନ ବୃଦ୍ଧି ପାଇଁ ସେମାନଙ୍କୁ ସ୍ୱାବଲମ୍ୱୀ କରିବା ସହିତ ଏକ୍ସପୋଜର ଭିଜିଟ କାର୍ଯ୍ୟକ୍ରମରେ ବିଦେଶ ଭ୍ରମଣ କାର୍ଯ୍ୟକ୍ରମ କରାଯାଉଥିଲା । କିନ୍ତୁ, ବିଜେପି ସରକାର ଆସିବା ପରେ ପ୍ରତିଦିନ ୧୫ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । ମହିଳାଙ୍କୁ ସୁରକ୍ଷା ପ୍ରଦାନରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ବିଜୁ ମହିଳା ଜନତା ଦଳ ଜୁଲାଇ ମାସ ପ୍ରଥମ ସପ୍ତାହରୁ ରାଜ୍ୟବ୍ୟାପୀ ଆନେ୍ଦାଳନ କରିବ ।