ତେଲେଙ୍ଗାନା ବିସ୍ଫୋରଣ : ଓଡ଼ିଆ ମୃତକଙ୍କ ପରିବାରକୁ ୧୦ ଲକ୍ଷ

ତେଲେଙ୍ଗାନା ବିସ୍ଫୋରଣ : ଓଡ଼ିଆ ମୃତକଙ୍କ ପରିବାରକୁ ୧୦ ଲକ୍ଷ

ଭୁବନେଶ୍ବର : ତେଲେଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲାରେ ଗତ ମାସ ୩୦ ତାରିଖ ଫାର୍ମାସିଟିକାଲ କମ୍ପାନି ବିସ୍ଫୋରଣରେ ପ୍ରାଣ ହରାଇଥିବା ୮ ଜଣ ଓଡ଼ିଆ ଶ୍ରମିକଙ୍କ ପରିବାର ପାଇଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତ୍ୟେକ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୦ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦିଆଯିବ। ତେଲେଙ୍ଗାନା ବିସ୍ଫୋରଣରେ ଗଞ୍ଜାମର ତିନିଜଣ, ନବରଙ୍ଗପୁରର ଦୁଇ ଜଣ ଏବଂ କଟକ, ଯାଜପୁର ଓ ବାଲେଶ୍ୱରର ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ପରିବାରକୁ ସହାୟତା ସହ ରାଜ୍ୟ ସରକାରଙ୍କ ଏକ ଅଧିକାରୀ ଦଳ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର ଓ ଚିକିତ୍ସା କାର୍ଯ୍ୟର ଅନୁଧ୍ୟାନ କରୁଥିବା ସିଏମଓ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ଗତ ମାସ ୩୦ ତାରିଖ ତେଲେଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲାର ଏକ ଫାର୍ମାସିଟିକାଲ କମ୍ପାନିରେ ବଡ଼ଧରଣର ବିସ୍ଫୋରଣ ଘଟିଥିଲା। ଏଥିରେ ପ୍ରାୟ ୪୦ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩୦ ଜଣ ଶ୍ରମିକ ଆହତ ହୋଇଥିଲେ। ମୃତକମାନଙ୍କ ମଧ୍ୟରେ ୮ ଜଣ ଓଡ଼ିଆ ଶ୍ରମିକ ଥିଲେ। ଏହି ଘଟଣା ନେଇ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଥିଲେ। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିବା ସହ ଆହତମାନଙ୍କର ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଥିଲେ।