କୋରାପୁଟରେ ଧର୍ମେନ୍ଦ୍ରଙ୍କ ମାରାଥନ କାର୍ଯ୍ୟକ୍ରମ : ଅବିଭକ୍ତ କୋରାପୁଟର ସର୍ବାଙ୍ଗୀନ ବିକାଶ ଆମର ଲକ୍ଷ୍ୟ

 ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଜୟପୁର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ୍ ଲୋକାର୍ପଣ କରିଛନ୍ତି । ଏହାସହ ଜଗନ୍ନାଥ ସଦର ନିକଟରେ ସ୍ଥାୟୀ କ୍ୟାମ୍ପସ ପାଇଁ ଭୂମିପୂଜନ କରିଛନ୍ତି । ଏହି କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାରେ ସହାୟକ ହେବ ବୋଲି ଏ ଅବସରରେ ଧର୍ମେନ୍ଦ୍ର ପ୍ରକାଶ କରିଛନ୍ତି ।
ଜୟପୁର ସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରି ଧର୍ମେନ୍ଦ୍ର କହିଛନ୍ତି କୋରାପୁଟ ସମେତ ଅବିଭକ୍ତ କୋରାପୁଟର ରାୟଗଡ଼ା, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାରେ ଶିକ୍ଷା କ୍ଷେତ୍ର ସମେତ ସର୍ବାଙ୍ଗୀନ ବିକାଶ, ଆର୍ଥିକ କ୍ଷେତ୍ରକୁ ମଜଭୁତ କରିବା ପାଇଁ ଡବଲ ଇଞ୍ଜିନ ସରକାର ନିରନ୍ତର ପ୍ରୟାସ କରୁଛନ୍ତି । ପ୍ରାୟ ୪୦ କୋଟି ଟଙ୍କା ବ୍ୟୟରେ ଏଠାରେ ବହୁ ଆକାଂକ୍ଷୀତ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହେବାକୁ ଥିବା ବେଳେ ଚଳିତ ଶିକ୍ଷା ବର୍ଷ ଠାରୁ ଏହାର ଅସ୍ଥାୟୀ କ୍ୟାମ୍ପସରେ ଶିଶୁବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ପଢିବେ । ଏଥିପାଇଁ ନାମଲେଖା ଶେଷ ହୋଇଛି । ପିଲାଙ୍କ ମଧ୍ୟରେ ଚାକିରି ନ କରି ଚାକିରି ଦେବାର ମାନସିକତା ତିଆରି କରାଇବା ଦରକାର । ଏଠାରେ ଅନେକ ସମ୍ଭାବନା ରହିଥିବା ବେଳେ ଅଭିବକ୍ତ କୋରାପୁଟ ଜିଲ୍ଲାର ବିକାଶ ନ ହେଲେ ବିକଶିତ ଓଡ଼ିଶାର କଳ୍ପନା ହୋଇପାରିବ ନାହିଁ ବୋଲି କହିଛନ୍ତି । 
ସେପଟେ ଆଜି ପବିତ୍ର ସୁନାବେଶ ଅବସରରେ କୋରାପୁଟ ଓଏସଏପି ତୃତୀୟ ବାଟାଲିୟନ ପରିସରରେ “ଏକ୍ ପେଡ୍ ମା’ କେ ନାମ୍ ୨.୦” ଅଭିଯାନ ଓ ବନ ମହୋତ୍ସବର ଶୁଭାରମ୍ଭ କରିଥିଲେ । ଛାତ୍ରଛାତ୍ରୀ, ମାତୃଶକ୍ତି, ସାମାଜିକ ସଂଗଠନ, ସ୍ୱେଚ୍ଛାସେବୀ ଓ ଅନ୍ୟ ସଦସ୍ୟମାନଙ୍କ ସହ ବୃକ୍ଷରୋପଣ କରିଥିଲେ । ଏ ଅବସରରେ ସେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଆମେ ସମସ୍ତେ ଘର ଠାରୁ ଆରମ୍ଭ କରି ରାସ୍ତା ପାର୍ଶ୍ୱ ସମେତ ବିଭିନ୍ନ ସ୍ଥାନରେ ଗଛ ଲଗାଇ ଗଛର ଯନô ନେବା ଓ ମାଟି ମା’ର ସୁରକ୍ଷା ପାଇଁ ସଂକଳ୍ପ କରିବା । ଏହାସହ କୋରାପୁଟକୁ ‘ବ୍ରାଣ୍ଡ୍ କୋରାପୁଟ’ରେ ପରିଣତ କରିବା ପାଇଁ ସାମୂହିକ ଦାୟିତ୍ୱ ନେବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।
ସେହିପରି ଧର୍ମେନ୍ଦ୍ର କଫି ଗାର୍ଡେନ୍ ପରିଦର୍ଶନ କରିବା ସହ ଚାଷରେ ନିୟୋଜିତ ଅଧିକାରୀ ଏବଂ ଚାଷୀମାନଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ଜିଲ୍ଲାର କୋରାପୁଟ, ସେମିଳିଗୁଡ଼ା, ଲକ୍ଷ୍ମୀପୁର, ଦଶମନ୍ତପୁର, ପଟ୍ଟାଙ୍ଗି, ନନ୍ଦପୁର ଏବଂ ଲମତାପୁଟରେ ପ୍ରାୟ ୭୦୦୦ ହେକ୍ଟର ପରିମିତ ଜମିରେ କଫି ଚାଷ ହେଉଥିବା ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏହାକୁ ଭିତ୍ତି କରି ଧର୍ମେନ୍ଦ୍ର କହିଥିଲେ ବିଶ୍ୱ ବଜାରରେ କୋରାପୁଟ କଫିର ଚାହିଦା ବଢୁଛି । ବର୍ତ୍ତମାନ ସମୟରେ ଏହା ଏକ ଲାଭବାନ ଚାଷରେ ପରିଣତ ହୋଇଛି । ବିଶ୍ୱରେ କୋରାପୁଟକୁ ‘ବ୍ରାଣ୍ଡ୍ କୋରାପୁଟ’ କରିବାକୁ ହେଲେ ଏହି ସ୍ୱତନ୍ତ୍ର କଫିର ଉତ୍ପାଦନ ବଢାଇବା ଦିଗରେ ଆମେ ସାମୂହିକ ପ୍ରୟାସ କରିବା ଉଚିତ ।