କ୍ୟାଣ୍ଟିନ୍ ଖାଦ୍ୟ କେତେଦୂର ନିରାପଦ?
ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ କର୍ମଚାରୀମାନଙ୍କର ଖାଇବା ପାଇଁ କ୍ୟାଣ୍ଟିନ୍ ସବୁ ଖୋଲା ଯାଉଥିବା ଦେଖାଯାଉଛି । ଏହିସବୁ କ୍ୟାଣ୍ଟିନ୍ରେ ଖାଦ୍ୟକୁ ରିହାତିମୂଳକ ବ୍ୟବସ୍ଥାରେ ବିକ୍ରି କରାଯାଏ । ଏକ ସାଧାରଣ ବିଶ୍ୱାସ ହେଲା ବିଭିନ୍ନ ବିଭାଗୀୟ କ୍ୟାଣ୍ଟିନ୍ଗୁଡ଼ିକରେ ମିଳୁଥିବା ଖାଦ୍ୟ ଗୁଣବତ୍ତା ଦୃଷ୍ଟିରୁ ଭଲ ଏବଂ ଶସ୍ତା ମଧ୍ୟ । ହେଲେ ଏସବୁ ସବୁବେଳେ ସତ ନୁହେଁ । ଇତିମଧ୍ୟରେ ମୁମ୍ବାଇ ଠାରେ ଚର୍ଚ୍ଚ୍ଗେଟ୍ ସ୍ଥିତ ଏକ ଗେଷ୍ଟ୍ହାଉସ୍ର କ୍ୟାଣ୍ଟିନ୍ରେ ନିକୃଷ୍ଟମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗରେ ଫୁଡ୍ ଡ଼ିପାର୍ଟ୍ମେଣ୍ଟ ପକ୍ଷରୁ ପଦକ୍ଷେପ ନିଆଯାଇ କ୍ୟାଣ୍ଟିନ୍ ଚଳାଇବା ଲାଇସେନ୍ସକୁ ରଦ୍ଦ କରାଯାଇଛି । ଫୁଡ୍ ଏବଂ ଡ୍ରଗ୍ ଆଡ୍ମିନିଷ୍ଟ୍ରେସନ୍ ଅଧିକାରୀମାନେ କ୍ୟାଣ୍ଟିନ୍ର ପନିର୍, ଚଟ୍ନି, ତେଲ, ଡ଼ାଲି ଆଦି ବିଭିନ୍ନ ପଦାର୍ଥର ନମୂନା ନେଇଛନ୍ତି । ଏହିସବୁ ନମୂନାଗୁଡ଼ିକୁ ଲାବରାଟୋରୀକୁ ପଠାଯିବ ଏବଂ ଏହାର ରିପୋର୍ଟ୍ ୧୪ ଦିନ ମଧ୍ୟରେ ଆସିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏହି ରିପୋର୍ଟ୍ ଆସିବା ପର୍ଯ୍ୟନ୍ତ କ୍ୟାଣ୍ଟିନ୍ର ଲାଇସେନ୍ସକୁ ରଦ୍ଦ କରାଯାଇଛି । ତେବେ କୌଣସି ବିଭାଗୀୟ କ୍ୟାଣ୍ଟିନ୍କୁ ଖାଦ୍ୟର ମାନ ଉପରେ ସନେ୍ଦହ ପ୍ରକାଶ କରି ବନ୍ଦ କରାଯିବା ଏକ ସାଧାରଣ ଘଟଣା ନୁହେଁ । ଏହି ଘଟଣାଟିରେ ମହାରାଷ୍ଟ୍ରର ଜଣେ ଶିବସେନା ବିଧାୟକ କ୍ୟାଣ୍ଟିନ୍ ବିରୁଦ୍ଧରେ ଅଭିଯୋଗ କରିବା ପରେ ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡ୍ମିନିଷ୍ଟ୍ରେସନ୍ ବିଭାଗ ଏ ପ୍ରକାରର ପଦକ୍ଷେପ ନେଇଛି । ସମଗ୍ର ଦେଶରେ ଏହିଭଳି ଶହ ଶହ କ୍ୟାଣ୍ଟିନ୍ ଚାଲୁଛି ଏବଂ ଏହିସବୁ କ୍ୟାଣ୍ଟିନ୍ଗୁଡ଼ିକରେ ଖାଦ୍ୟର ମାନକୁ ନେଇ ଲୋକମାନଙ୍କର ଅନେକ ପ୍ରକାରର ଅଭିଯୋଗ ରହୁଛି ସତ; ମାତ୍ର ସେସବୁ ଅଭିଯୋଗଗୁଡ଼ିକୁ କେବେ ବି କାର୍ଯ୍ୟକାରୀ କରାଯାଉଥିବା ଦେଖାଯାଏ ନାହିଁ । ପ୍ରାୟତଃ କ୍ୟାଣ୍ଟିନ୍ଗୁଡ଼ିକ ସମ୍ପୃକ୍ତ ବିଭାଗର କିଛିଟା ରିହାତିରେ ଚାଲିଥାଏ । ତେଣୁ ବିଭାଗୀୟ କ୍ୟାଣ୍ଟିିନ୍ଗୁଡ଼ିକ ଲାଭ ନୁହେଁ କି କ୍ଷତି ନୁହେଁ ନୀତିରେ ଚାଲୁଥିବା ଦେଖାଯାଏ । ଏହା ସତ୍ତ୍ୱେ କ୍ୟାଣ୍ଟିନ୍ଗୁଡ଼ିକ ଚଲେଇବା ପାଇଁ ବିଭିନ୍ନ ସଂସ୍ଥା ମଧ୍ୟରେ ପ୍ରବଳ ପ୍ରତିଯୋଗୀତା ହେଉଥିବା ଦେଖାଯାଏ । ଏଥିରୁ ଅଲିଖିତ ଭାବେ ସ୍ପଷ୍ଟ ହୋଇଯାଏ ଯେ ଲାଭ ନୁହେଁ କି କ୍ଷତି ନୁହେଁ ନୀତି କେବଳ ନାମକୁ ମାତ୍ର ଏବଂ କ୍ୟାଣ୍ଟିନ୍ଗୁଡ଼ିକ ଚଳାଉଥିବା ସଂସ୍ଥାମାନେ କିମ୍ବା ବ୍ୟକ୍ତି ବିଶେଷ ଖାଦ୍ୟର ମାନରେ କିଛିଟା ହେରାଫେରୀ କରି ପ୍ରଚୁର ଲାଭ ପାଆନ୍ତି । ଖାଦ୍ୟର ମାନରେ ହେରାଫେରି କରିବା କ୍ଷେତ୍ରରେ ଉପରିସ୍ଥ ଅଧିକାରୀ କିମ୍ବା କ୍ୟାଣ୍ଟିନ୍ ପରିଚଳାନା ଦାୟିତ୍ୱରେ ଥିବା ସମିତିର ମୁଖ୍ୟମାନଙ୍କୁ କୌଣସି ପ୍ରକାରରେ ସନ୍ତୁଷ୍ଟ କରାଯାଇ ଅନୈତିକ ଉପାୟରେ ରୋଜଗାର କରାଯାଉଥିବାର ଅଭିଯୋଗ ଆସେ । ଆଉ ଏ ପ୍ରକାରର ଅଭିଯୋଗ ସବୁକୁ ବିଭିନ୍ନ ଉପାୟରେ ଚାପି ଦିଆଯାଉଥିବାର ମଧ୍ୟ ଦେଖାଯାଇଛି । ମୋଟ୍ ଉପରେ ଦେଖିବାକୁ ଗଲେ କ୍ୟାଣ୍ଟିିନ୍ଗୁଡ଼ିକର ଖାଦ୍ୟ ପ୍ରସ୍ତୁତି ଏକ ସୁସ୍ଥ ପରିବେଶରେ ହେଉଥିବା ବେଳେ ଏହାକୁ ଆଖିବୁଜା ଭାବରେ ଉତ୍ତମମାନର ଖାଦ୍ୟ ବୋଲି ଗ୍ରହଣ କରାଯାଇନପାରେ । ଅନ୍ୟାନ୍ୟ ବ୍ୟବସାୟିକ ହୋଟେଲ୍ ଭଳି ବିଭାଗୀୟ କ୍ୟାଣ୍ଟିନ୍ଗୁଡ଼ିକ ମଧ୍ୟ ବିଭିନ୍ନ ପ୍ରକାରର ଦୁର୍ନୀତି, ଅନୈତିକତା, ନିମ୍ନମାନର ଖାଦ୍ୟ ପ୍ରସ୍ତୁତି ଭଳି ଅନେକ ପ୍ରକାରର ଅଭିଯୋଗ ଉପରେ ସତ୍ୟତା ରହିଥାଏ । ଅଥଚ ଏହି ସତ୍ୟତାକୁ ପ୍ରମାଣ କରାଯିବା ଭଳି ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ଘଟଣାକୁ ଚାପି ଦିଆଯାଉଥିବା ଦେଖାଯାଏ ।
ଖାଦ୍ୟ ପ୍ରସ୍ତୁତି ଏବଂ ବିକ୍ରି କ୍ଷେତ୍ରରେ ବିଭିନ୍ନ ହୋଟେଲ୍ଗୁଡ଼ିକରେ, ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ ଖାଦ୍ୟ ଟେବୁଲ୍ ଉପରେ ସଚରାଚର ଯାହା ଦେଖାଯାଏ ତାହା ଖାଦ୍ୟର ଗୁଣବତ୍ତାର ପ୍ରକୃତ ରୂପ ନୁହେଁ । ସେହି କାରଣରୁ କୌଣସି ବଡ଼ ବଡ଼ ହୋଟେଲ୍ ଗ୍ରାହକମାନଙ୍କୁ ସେମାନଙ୍କ ରୋଷେଇଶାଳ ଦେଖିବାକୁ ଅନୁମତି ଦିଅନ୍ତି ନାହିଁ । ତେବେ ଆନ୍ଧ୍ର ଏବଂ ତେଲେଙ୍ଗାନାରେ ଏଭଳି କିଛି ହୋଟେଲ୍ ରହିଛି ଯେଉଁଠାରେ ଜଣେ ଗ୍ରାହକ ଚାହିଁଲେ ଯେ କୌଣସି ସମୟରେ ରୋଷେଇଶାଳକୁ ଦେଖିପାରିବ ବୋଲି ଲିଖିତ ଆକାରରେ ବିଜ୍ଞପ୍ତି ଦିଆଯାଇଥାଏ । ଖାଦ୍ୟ ପ୍ରସ୍ତୁତି କ୍ଷେତ୍ରରେ ଯଦି ସ୍ୱଚ୍ଛତା ନରହିବ ଏହା ସାଧାରଣ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ବିପଦ ସୃଷ୍ଟି କରିବ ।