ଡ. ସମନ୍ୱୟ ନନ୍ଦ : ଦଲାଇ ଲାମାଙ୍କ ଜୀବନଦର୍ଶନ ଓ ବାର୍ତ୍ତା

ଦଲାଇଲାମା ତାଙ୍କର ଅନୁଗାମୀମାନଙ୍କୁ ବାରମ୍ବାର କହି ଆସିଛନ୍ତି ଯେ ତାଙ୍କର ପୁନର୍ଜନ୍ମରେ କମ୍ୟୁନିଷ୍ଟ ଚୀନର କୌଣସି ଭୂମିକା ରହିବ ନାହିଁ  । ସେ ଚୀନର ପରାଧୀନତାରେ ଥିବା ଅଂଚଳରେ ଜନ୍ମ ଗ୍ରହଣ କରିବେ ନାହିଁ  । ଅନ୍ୟ ପଟେ ତିବ୍ଦତକୁ ୭୫ ବର୍ଷ ଧରି ପରାଧୀନ କରିଥିବା ଚୀନ ସେହି ସମୟକୁ ଅପେକ୍ଷା କରିଛି ଯେ କେବେ ପରମ ପାବନ ଦଲାଇଲାମା କାଳ କବଳିତ ହେବେ ଓ ତା ପରେ ସେ ପରାଧୀନ କରି ରଖିଥିବା ଅଂଚଳର କୌଣସି ଶିଶୁକୁ ଦଲାଇଲାମା ବୋଲି ଘୋଷିତ କରି ଦେବ  । ଏହା ଦ୍ୱାରା ତିବ୍ଦତ ସମ୍ପୂର୍ଣ୍ଣ ଭାବେ ତାର କବଳକୁ ଆସିଯିବ  । ଏବେ ମଧ୍ୟ ତିବ୍ଦତ ଚୀନର କବଳରେ ଅଛି  । ହେଲେ ତିବ୍ଦତର ଲୋକ ମାନଙ୍କୁ ସେ ମାନସିକ ରୁପେ ଚୀନର ଗୋଲାମ କରି ପାରି ନାହିଁ । ଚୀନ ଭଲ ଭାବେ ଜାଣେ ଯେ ଯେ ପର୍ଯ୍ୟନ୍ତ ପରମ ୧୪ତମ ପାବନ ଦଲାଇଲାମା ଜୀବିତ ଅଛନ୍ତି ତା ପକ୍ଷେ ଏପରି କରିବା ସମ୍ଭବ ନୁହେଁ  । ତେଣୁ ସେ ପରମ ପାବନ ଦଲାଇଲାମା କେବେ କାଳ କବଳିତ ହେବେ ତାକୁ ଅପେକ୍ଷା କରିଛି  । 
ପରମ ପାବନ ଦଲାଇଲାମାଙ୍କ ଏକ ନୂଆ ପୁସ୍ତକ ଆସିଛି ଯାହାର ନାମ ହେଲା “ଭଏସ ଫର ଦି ଭଏସଲେସ : ଓଭର ସେଭେନ ଡିକେଡ୍ସ ଅଫ ଷ୍ଟ୍ରଗଲ ୱିଥ ଚାଇନା ଫର ମାଇଁ ଲ୍ୟାଣ୍ଡ ଏଣ୍ଡ ମାଇଁ ପିପୁଲ”  । ଏହି ପୁସ୍ତକ କେବଳ ଯେ ଏକ ରାଜନୈତିକ ଆତ୍ମକଥା ନୁହେଁ ବରଂ ତିବ୍ଦତର ପରିଚୟ, ଅହିଂସାତ୍ମକ ପ୍ରତିରୋଧ ଓ ଅସ୍ତିତ୍ୱର ଘୋଷଣା ଅଟେ । ଏହି ପୁସ୍ତକରେ ଦଲାଇଲାମା ଗତ ୭୫ ବର୍ଷ ଧରି ତିବ୍ଦତ ପ୍ରତି ହୋଇଥିବା ଅତ୍ୟାଚାର, ତାଙ୍କର ଚୀନର ଶାସକ ମାନଙ୍କ ସହ ଅନୁଭୂତି, ଭାରତରୁ ତାଙ୍କୁ ମିଳିଥିବା ସ୍ନେହ ଓ ତିବ୍ଦତୀୟ ଓ ସମଗ୍ର ବିଶ୍ୱର ଲୋକ ମାନଙ୍କ ପ୍ରତି ବାର୍ତ୍ତା ରହିଛି । ମୋଟ ଉପରେ କହିବାକୁ ଗଲେ ଯେ ଏହା ହେଉଛି ତିବ୍ଦତର ପରାଧୀନତାର ଏକ ବାସ୍ତବିକ ଇତିହାସ  । 
ଦଲାଇଲାମା ଏହି ପୁସ୍ତକରେ ସ୍ପଷ୍ଟ ଭାବେ ଲେଖିଛନ୍ତି ଯେ ତାଙ୍କର ପୁନର୍ଜନ୍ମରେ ଚୀନର କୌଣସି ଭୂମିକା ରହିବ ନାହିଁ । ସେ ଚୀନର ପରାଧୀନତାରେ ଥିବା ଅଂଚଳରେ ନୁହେଁ ବରଂ ସ୍ୱାଧୀନ ଅଂଚଳରେ ଜନ୍ମ ଗ୍ରହଣ କରିବେ ଓ ଯାହାଙ୍କୁ ପାରମ୍ପାରିକ ବୌଦ୍ଧ ରୀତି ନୀତି ଅନୁସାରେ ଚିହ୍ନିତ କରାଯିବ  । ସେ ଆହୁରି ଲେଖିଛନ୍ତି ସେ ନିଜର ଉତ୍ତରାଧିକାରୀ ୧୫ତମ ଦଲାଇଲାମାଙ୍କୁ ଚିହ୍ନିବା ପାଇଁ ଲିଖିତ ଭାବେ ନିର୍ଦେଶ ଛାଡି ଯିବେ । 
ପୁସ୍ତକ ଜରିଆରେ ଦଲାଇଲାମା ନିଜର ଅନୁଗାମୀ ମାନଙ୍କୁ କହିଛନ୍ତି, ଯେ “ଯେପର୍ଯ୍ୟନ୍ତ ଆଗାମୀ ଦଲାଇଲାମାଙ୍କୁ ଚିହ୍ନିବା ପ୍ରକ୍ରିୟା ପାରମ୍ପରିକ ବୌଦ୍ଧ ପଦ୍ଧତିରେ କରାଯାଇ ନାହିଁ ସେ ପର୍ଯ୍ୟନ୍ତ ତିବ୍ଦତର ଜନସାଧାରଣ ଓ ସାରା ବିଶ୍ୱରେ ବସ ବାସ କରୁଥିବା ତିବ୍ଦତୀ ବୌଦ୍ଧମାନେ କୌଣସି ପ୍ରକାର ରାଜନୈତିକ ଉଦେ୍ଦଶ୍ୟ ରଖି ଚିହ୍ନିତ କରାଯାଇଥିବା ପ୍ରାର୍ଥୀଙ୍କୁ ଦଲାଇଲାମା ରୂପେ ସ୍ୱୀକାର କରନ୍ତୁ ନାହିଁ  । ପିପୁଲ୍ସ ରିପବ୍ଲିକ ଅଫ ଚାଇନା ବା ପିଆରସି ଦ୍ୱାରା ଏପରି ପ୍ର୍ରୟାସ କରାଯାଇପାରେ  । ”
ପୁସ୍ତକ ଜାରି କରାଯିବାର ଜବାବରେ କମ୍ୟୁନିଷ୍ଟ ଚୀନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦଲାଇଲାମାଙ୍କୁ ‘ବିଧ୍ୱସଂକାରୀ’ ଓ ‘ଧର୍ମର ଆବରଣରେ ବିଛିନ୍ନତାବାଦୀ କାର୍ଯ୍ୟକଳାପରେ ଲିପ୍ତ ଜଣେ ରାଜନୈତିକ ନିର୍ବାସିତ ’ବୋଲି କହିଛି  । ଚୀନର ବୈଦେଶିକ ମନ୍ତ୍ରଣାଳୟ ଆହୁରି ଦାବି କରିଛି ଯେ ଚୀନର କମ୍ୟୁନିଷ୍ଟ ପାର୍ଟି (ସିସିପି) ଆଗାମୀ ଦଲାଇଲାମା ଓ ଅନ୍ୟ ପୁନର୍ଜନ୍ମ ବିଶିଷ୍ଟ ଲାମା ମାନଙ୍କୁ ଚୀନର ଧାର୍ମିକ ମାମଲାର ନିୟମ ଅନୁସାରେ ଖୋଜିବ ଓ ମାନ୍ୟତା ପ୍ରଦାନ କରିବ  । 
ବୋଧହୁଏ ତାଙ୍କର ପୁସ୍ତକ ଜାରି ହେବା ପରେ ଚୀନ ଏଭଳି ପ୍ରତିକ୍ରିୟା ଦେବ ବୋଲି ଦଲାଇଲାମା ପୂର୍ବରୁ ଆଶା କରିଥିଲେ, କାରଣ ଚୀନ କମ୍ୟୁନିଷ୍ଟ ପାର୍ଟୀ (ସିସିପି) ଏ ପ୍ରକାର ବକ୍ତବ୍ୟ ପୂର୍ବରୁ ବାରମ୍ବାର ଦେଇ ଆସିଛି  । ତେଣୁ ଦଲାଇଲାମା ଲେଖିଛନ୍ତି, “ଯଦି ଚୀନର କମ୍ୟୁନିଷ୍ଟ ପାର୍ଟି ଲାମା ମାନଙ୍କର ପୁନର୍ଜନ୍ମର ମାନ୍ୟତା ପ୍ରଦାନ କରିବା କାର୍ଯ୍ୟରେ ସାମିଲ ହେବାକୁ ଚାହୁଁଛି ତେବେ ସେ ମାଓ ସେ ତୁଙ୍ଗ ଓ ଅନ୍ୟ ନେତା ମାନଙ୍କର ପୁନର୍ଜନ୍ମକୁ ମାନ୍ୟତା ଦେବା ଉଚିତ  । ”
ଏହି ପୁସ୍ତକରେ ଯାହା ଉଲ୍ଲେଖ ରହିଛି ସେଥିରୁ ସ୍ପଷ୍ଟ ଯେ ଦଲାଇଲାମାଙ୍କ ପ୍ରତିରୋଧର ଭାବନା ତାଙ୍କର ଆଗାମୀ ପୁନର୍ଜନ୍ମରେ ପୁଣି ଥରେ ଜାଗ୍ରତ ହେବା ଭଳି ଲାଗୁଛି  । ଦଲାଇଲାମା ତାଙ୍କର ଏହି ନୂତନ ପୁସ୍ତକରେ ଲେଖିଛନ୍ତି, “ ପୁନର୍ଜନ୍ମରର ଉଦେ୍ଦଶ୍ୟ ନିଜର ପୂର୍ବବର୍ତ୍ତୀ କାର୍ଯ୍ୟକୁ ଆଗକୁ ବଢାଇବା ହୋଇଥିବା କାରଣରୁ ନୂଆ ଦଲାଇଲାମା ସ୍ୱାଧୀନ ଦୁନିଆରେ ଜନ୍ମ ନେବ, ଯାହା ଫଳରେ ଦଲାଇଲାମାଙ୍କ ପାରମ୍ପରିକ ମିଶନ ଅର୍ଥାତ ସାର୍ବଭୌମିକ କରୁଣାର ସ୍ୱର ହେବା, ତିବ୍ଦତର ବୌଦ୍ଧ ଧର୍ମର ଆଧ୍ୟାତ୍ମିକ ନେତା ହେବା ଓ ତିବ୍ଦତର ଆକାଂକ୍ଷାର ପ୍ରତୀକ ହେବା ଆଦି ଜାରି ରହି ପାରିବ  ।” 
ଦଶନ୍ଧି ଦଶନ୍ଧି ଧରି ଚୀନର କମ୍ୟୁନିଷ୍ଟ ପାର୍ଟୀ ଦଲାଇଲାମାଙ୍କ ଉପରେ ତିବ୍ଦତକୁ ଚୀନରୁ ବିଭାଜିତ କରିବା ପାଇଁ ପ୍ରଚେଷ୍ଟା କରିବାର ଅଭିଯୋଗ ଆଣି ଆସୁଛି  । ଚୀନର କମ୍ୟୁନିଷ୍ଟ ପାର୍ଟୀ ଦଲାଇଲାମାଙ୍କୁ ‘ଭିକ୍ଷୁ ବସ୍ତ୍ରରେ ଶୃଗାଳ’ ବୋଲି କହିଥାଏ ଓ ତାଙ୍କୁ ଚୀନର ଜାତୀୟ ଏକତା ପାଇଁ ବିପଦ ବୋଲି ବାରମ୍ବାର କହେ  । 
ଏହି ପୁସ୍ତକ ଏହାର ଉତ୍ତର କେବଳ ବେଜିଂଙ୍କୁ ନୁହେଁ ବରଂ ଇତିହାସକୁ ମଧ୍ୟ ଦେଇଛି  । ତିବ୍ଦତର ଐତିହାସିକ ସ୍ୱାଧୀନତା ସମ୍ପର୍କରେ ପୁସ୍ତକରେ ଉଲ୍ଲେଖ କରାଯିବା ସହ ଚୀନର ଅପପ୍ରଚାର ମଧ୍ୟରେ ତିବ୍ଦତର ଜନସାଧାରଣଙ୍କ ଆତ୍ମ ନିର୍ଣ୍ଣୟର ଅଧିକାର କାହିଁକି ଜରୁରି ସେ ବିଷୟରେ ଉଲ୍ଲେଖ ରହିଛି  । ଏହି ପ୍ରସଙ୍ଗରେ ତିବ୍ଦତ ପ୍ରସଙ୍ଗକୁ ନେଇ ଏକ ମୌଳିକ ପ୍ରଶ୍ନର ଉଲ୍ଲେଖ କରାଯାଇଛି  । ତିବ୍ଦତରେ ଶାସନ କରିବାର ଅଧିକାର କାହାକୁ ରହିଛି ? ତିବ୍ଦତର ସଂସ୍କୃତି, ଶିକ୍ଷା ଓ ସବୁଠାରୁ ଗୁରୁତ୍ୱପୂର୍ଣ ତିବ୍ଦତର ବୌଦ୍ଧ ଧର୍ମକୁ ଆକାର ଦେବା ପାଇଁ କିଏ ଅଧିକାରୀ ଅଟେ ? ଏ ବିଷୟରେ ପୁସ୍ତକରେ ଆଲୋଚନା କରାଯାଇଛି  । 
ଏହି ପୁସ୍ତକରେ ଦଲାଇଲାମା କିଭଳି ଭାବେ ଚୀନ କବଳରୁ ତିବ୍ଦତର ସଂସ୍କୃତିକୁ ରକ୍ଷା କରିବାକୁ ଚେଷ୍ଟା କରିଛନ୍ତି ଓ ଚୀନ ତାଙ୍କୁ ସବୁବେଳେ ଧୋକା ଦେଇଛି ତାର ବିଶଦ ଭାବେ ଉଲ୍ଲେଖ କରିଛନ୍ତି  । 
ଏହି ପୁସ୍ତକକୁ ଦଲାଇଲାମା ତିବ୍ଦତୀ ଓ ଚୀନର ପାଠକ ମାନଙ୍କ ସହିତ ବିଶ୍ୱର ଐତିହାସିକ ଓ ନୀତି ନିର୍ମାତା ମାନଙ୍କ ପାଇଁ ମଧ୍ୟ ଲେଖିଛନ୍ତି । ଚୀନ କମ୍ୟୁନିଷ୍ଟ ପାର୍ଟି ଦଶନ୍ଧି ଦଶନ୍ଧି ଧରି ଇତିହାସକୁ ବଦଳାଇ ପ୍ରସ୍ତୁତ କରିଛି  । ତିବ୍ଦତର ଅତୀତକୁ ବିକୃତ କରି ନିଜର ଶାସନକୁ ଠିକ ବୋଲି ଦର୍ଶାଇବାକୁ ଚେଷ୍ଟା କରିଛି  । ଏହାର ଉତ୍ତରରେ ଦଲାଇଲାମା ଅନୁଭବ କରିଛନ୍ତି ଯେ ସେ ତାଙ୍କର କାର୍ଯ୍ୟ ଓ ଉଦେ୍ଦଶ୍ୟକୁ ସର୍ବ ସାଧାରଣଙ୍କ ରେକର୍ଡରେ ଆଣିବା ଉଚିତ, ଯାହା ଫଳରେ ଆଗାମୀ ପିଢି ମାନଙ୍କ ପାଇଁ ସତ୍ୟର ପ୍ରମାଣ ରହି ପାରେ  । 
ଏହି ପୁସ୍ତକରେ ଦଲାଇଲାମା ଭାରତ ପ୍ରତି ନିଜର କୃତଜ୍ଞତାର ଭାବକୁ ବ୍ୟକ୍ତ କରିଛନ୍ତି  । ଦଲାଇଲାମା ନିଜକୁ ଭାରତର ପୁତ୍ର ବୋଲି କହିଥାନ୍ତି । ଦଲାଇଲାମା କୁହନ୍ତି ଯେ, ଭାରତ ହେଉଛି ଏକ ଏପରି ଦେଶ ଯେଉଁଠାରେ ତାଙ୍କ ଜୀବନର ଅଧିକାଂଶ ସମୟ ବିତିଛି  । ଭାରତ ତାଙ୍କୁ କେବଳ ଶରଣ ଦେଇ ନାହିଁ ବରଂ ଗରିମା ମଧ୍ୟ ପ୍ରଦାନ କରିଛି  । ଦଲାଇଲାମା ଓ ଏକ ଲକ୍ଷରୁ ଅଧିକ ତିବ୍ଦତୀୟ ଶରଣାର୍ଥୀଙ୍କୁ ଭାରତ କେବଳ ସ୍ୱାଗତ କରି ନାହିଁ ବରଂ ତାଙ୍କୁ ଭୂମି, ରୋଜଗାର ଏ ସମର୍ଥନ ମଧ୍ୟ ପ୍ରଦାନ କରିଛି  । ଭାରତ ଏଭଳି ସମୟରେ ସମର୍ଥନ ପ୍ରଦାନ କରିଛି ଯେତେବେଳେ ଖୁବ କମ ଦେଶ ଚୀନର ବିରୋଧ କରିବାକୁ ପ୍ରସ୍ତୁତ ଥିଲେ  । ଏହି ପୁସ୍ତକରେ ଦଲାଇ ଲାମା ଭାରତ ଓ ଭାରତୀୟ ମାନଙ୍କ ପ୍ରତି ଗଭୀର କୃତଜ୍ଞତା ବ୍ୟକ୍ତ କରିବା ସହ ଏକ ଅନୁରୋଧ ମଧ୍ୟ କରିଛନ୍ତି  । ସେ କହିଛନ୍ତି ଯେ ‘'ମୋ ପରେ ମଧ୍ୟ ଭାରତ ତିବ୍ଦତୀୟଙ୍କୁ ସମର୍ଥନ କରୁଥାଉ  ।’
ଦଲାଇ ଲାମାଙ୍କୁ ଅବଲୋକିତେଶ୍ୱର ( କରୁଣାର ବୋଧିସତ୍ତ୍ୱ)ଙ୍କ ଅବତାର ବୋଲି ମନେ କରାଯାଇଥାଏ, ଯାହାଙ୍କର ଏଗାର ମୁଣ୍ଡ ଓ ହଜାର ହଜାର ହାତ ଗୋଡ ରହିଛି  । ଏତେ ହାତ, ଆଖି ଓ ମୁଖ କାହିଁକି ? ମହାଯାନ ବୌଦ୍ଧ ମାନଙ୍କର ପାଇଁ ପ୍ରମୁଖ କାର୍ଯ୍ୟ ହେଲା ସମସ୍ତ ପ୍ରାଣୀ ମାନଙ୍କୁ ଦୁଃଖରୁ ବାହାରକୁ ଆଣିବା ଓ ତାଙ୍କୁ ବୋଧି ( ଜ୍ଞାନ) ଆଡକୁ ଅଗ୍ରସର କରାଇବା  । ଗତ ୮୫ ବର୍ଷ ଧରି ସେ ବୋଧିସତ୍ତ୍ୱଙ୍କ ଏହି ହାତ ଜରିଆରେ ଚୀନର ପରାଧୀନତାର ଶିକୁଳିରେ ବନ୍ଧା ହୋଇଥିବା ତିବ୍ଦତୀୟ ମାନଙ୍କୁ ସ୍ୱର ପ୍ରଦାନ କରିବାର କାର୍ଯ୍ୟ କରୁଛନ୍ତି  । 
ଏହି ପୁସ୍ତକରେ ଶେଷରେ ସେ ଏକ ପ୍ରାର୍ଥନାର ଉଲ୍ଲେଖ କରିଛନ୍ତି ଯାହାକୁ ଦଲାଇଲାମା ପ୍ରତିଦିନ ପଢନ୍ତି  । ଏହାର ଓଡିଆ ଭାବାନୁବାଦ ହେଲା 
“ଯେତେବେଳ ଯାଏ ଥିବ ଏ ଆକାଶ , 
ଯେତେବେଳ ଯାଏ ଥିବେ ଜୀବସତ୍ତା
ସେତେବେଳ ଯାଏ ମୁଁ ବି ଥିବି, 
 ସଂସାରର ଦୁଃଖ ଦୂର କରୁଥିବି ।”
ବୋଧହୁଏ ଦଲାଇଲାମାଙ୍କ ଜୀବନ ଓ ତାଙ୍କ ବାର୍ତ୍ତାର ସାର ହେଉଛି ଏଇଆ । 
 
                                                             ଭୁବନେଶ୍ୱର