ଖସିଗଲେ ଦୁର୍ବୃତ୍ତ, ୨ ବନ୍ଧୁକ ସହ ୪ ଚାପଡ଼ ଜବତ
କବାଟବନ୍ଧ : ଚଣ୍ଡିଖୋଲ -ଡ଼ୁବୁରୀ ୫୩ନମ୍ବର ଜାତୀୟ ଜେନାପୁର ଥାନା ଅଧିନ ବ୍ରାହ୍ମଣୀ ବ୍ରିଜ ନିକଟରୁ ବନ୍ଧୁକ ଏବଂ ଚାପଡ଼ ମିଳିବା ଘଟଣା ଆତଙ୍କ ସୃଷ୍ଟି କରିଛି । ମିଳିଥିବା ସୂଚନା ମୁତାବକ ମଙ୍ଗଳବାର ସକାଳେ ୩ ଜଣ ଯୁବକ ଏକ ଟିଭିଏସ ଆପାଚି ମୋଟର ସାଇକେଲରେ ଯାଉଥିବା ସମୟରେ ତାଙ୍କ ନିକଟରୁ ଏକ ବ୍ୟାଗ ଖସି ପଡ଼ିଥିଲା । ହଠାତ ସେହିଠାରେ ଏକ ଶବ୍ଦ ହୋଇ ବ୍ୟାଗଟି ଜଳିଥିଲା । ଏହା ପରେ ଦୁର୍ବୃତ୍ତ ବ୍ରାହ୍ମଣୀ ନଦୀ ବନ୍ଧ ରାସ୍ତା ଦେଇ ଚମ୍ପଟ ମାରିଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଁଚି ଥିଲା । ରାସ୍ତା ଉପରେ ପଡିଥିବା ୨ଟି ବନ୍ଧୁକ ଓ ୩ ଟି ଚାପଡ଼ ଓ କିଛି ପୋଷାକ ଜବତ କରିଥିଲା । ମିଳିଥିବା ବନ୍ଧୁକକୁ ପୁଲିସ ଖେଳନା ବନ୍ଧୁକ ବୋଲି କହିଛି । ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରି ଜେନାପୁର ଥାନା ଅଧିକାରିଣୀ ନିରୂପମା ଜେନା, ସବଇନ୍ସପେକ୍ଟର ଶଶୀ ଭୂଷଣ ପରିଡ଼ା ଏଏସ ଆଇ ପ୍ରଦୀପ ସାହୁ ଏବଂ ଅନ୍ୟ ପୁଲିସ ପ୍ରମୁଖ ସେମାନଙ୍କ ପିଛା କରିଥିଲା । ବିଭିନ୍ନ ଜାଗାରେ ସିସିଟିଭି ଫ୍ଲୁଟେଜ ଯାଞ୍ଚ କରିବା ସହିତ ଢେଙ୍କାନାଳ ଜିଲ୍ଲାର ପିଙ୍ଗୁଆ ପର୍ଯ୍ୟନ୍ତ ଯାଇ ଲୋକଙ୍କୁ ପଚରାଉଚରା କରି ଫେରିଥିବା ଜଣାପଡିଛି । ହେଲେ ପୁଲିସକୁ କିଛି ବି ସୁରାକ ମିଳିନାହିଁ । ଏହାକୁ ଗୁରୁତର ସହ ଗ୍ରହଣ କରି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପୁଲିସ ପାଇଁ ଚାଲେଞ୍ଜ ହୋଇଛି । ଦୁର୍ବୃତ୍ତ ଉକ୍ତ ମାରଣାସ୍ତ୍ର ସାହାଯ୍ୟରେ ଚୋରୀ, ଲୁଟ,ରାହାଜାନିରେ ବ୍ୟବହୃତ ହେବା ଅନୁମାନ କରାଯାଉଛି ।