ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର

 ବୈଶିଙ୍ଗା : ବୈଶିଙ୍ଗା ଥାନା ଅର୍ନ୍ତରଗତ ଗଡ଼ଦେଉଳିଆ ଗ୍ରାମର ଏକ ଫାର୍ମ ହାଉସରୁ ଶୁକ୍ରବାର ଅପରାହ୍ନ ସମୟରେ ୧୭ବର୍ଷୀୟ ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଧୀନ ଭୀମପୁରା ଗାଁର ସ୍ୱର୍ଗତ ରଘୁନାଥ ଟୁଡୁଙ୍କ ପୁଅ । ନାବାଳକ ନିଜର ମା' ସାଲୋ ଟୁଡୁଙ୍କ ସହିତ ମାମୁଘର ଗଡ଼ଦେଉଳିଆରେ ଦୀର୍ଘବର୍ଷ ହେବ ରହି ଆସୁଥିଲେ । ମା' ସାଲୋ ଟୁଡୁ କାମ କରିବା ପାଇଁ ବାହାରକୁ ଯାଇଥିବା ବେଳେ ଉମେଶ ମାମୁ ଘରେ ରହୁଥିଲେ । ମାତ୍ର ଗୁରୁବାର ରାତିରେ ନାବାଳକ ଜଣକ ଘରକୁ ଫେରିନଥିଲେ  । ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ମିଳିନଥିଲା  । ଶୁକ୍ରୁବାର ଗଡ଼ଦେଉଳିଆରେ ଜନୈକ ବ୍ୟବସାୟୀଙ୍କ ଫାର୍ମହାଉସର ଘର ଭିତରେ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା  । ଏନେଇ ସ୍ଥାନୀୟ ଲୋକେ ବୈଶିଙ୍ଗା ପୁଲିସକୁ ଖବର ଦେଇଥିଲେ  । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଥିସହ ୩୬ ନଂରେ ଏକ ଅପମୃତୁ୍ୟ ମାମଲା ରୁଜୁ କରିଥିବା ବେଳେ ଝୁଲନ୍ତା ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ପାରିପାର୍ଶ୍ୱିକ ସ୍ଥିତିରୁ ସେ ବେକରେ ଫାଶି ଦେଇ ଆତ୍ମହତ୍ୟା କରିଥିବାର ଅନୁମାନ କରାଯାଉଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତୁ୍ୟର ସଠିକ୍ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି  ।