ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ନିମ୍ନମାନର 

ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ନିମ୍ନମାନର 

ରାଜନଗର : ରାଜନଗର ବ୍ଲକ ଗ୍ରାମ୍ୟ ଉନ୍ନୟନ ବିଭାଗ ସବ୍ଡିଭିଜନ କାର୍ଯ୍ୟାଳୟ ନିକଟ ଦେଇ ଯାଇଥିବା ଗୋପାଳପୁର-କୁଶାଇଲୋ ରାସ୍ତାର ପିଚୁ କାମ କରାଯାଉଛି । ଏହି ପିଚୁକାମ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି । ଏହି ୭ଶହ ମିଟର ରାସ୍ତା ପାଇଁ ପ୍ରାୟ ୭ଲକ୍ଷ ଟଙ୍କାରେ ମରାମତି କାମ କରାଯିବ । ଏହି ରାସ୍ତାରେ କରାଯାଉଥିବା ପିଚୁକାମରେ କାର୍ପେଟ ୨୦ଏମ୍ଏମ୍ ଓ ସିଲକୋଟ ୬ଏମ୍ଏମ୍ ରହିବାର ନିୟମ ଥିବା ବେଳେ, ୬ ରୁ ୮ ଏମ୍ଏମ୍ ପିଚୁ କାମ କରାଯାଉଥିବା ଅଭିଯୋଗ ହୋଇଛି । ରାସ୍ତାରେ କାଁ ଭାଁ ଡଷ୍ଟଗୁଣ୍ଡ ପଡିଥିଲେ ମଧ୍ୟ ଠିକ ଭାବେ ସଫା ନ କରିବା ଓ ଧୂଳି ପଡିଥିବା ନାଁକୁ ମାତ୍ର ପିଚୁ କାମ କରାଯାଉଥିବା ଅଭିଯୋଗ ହେଉଛି । କାମ ସମୟରେ ଯନ୍ତ୍ରୀ କିମ୍ବା କର୍ମଚାରୀ ଉପସ୍ଥିତ ରହୁ ନଥିବାରୁ ଠିକାସଂସ୍ଥା ନିଜ ମର୍ଜିରେ ନିମ୍ନମାନର କାମ କରି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ କରିବାକୁ ଉଦ୍ୟମ ଚଳାଇଥିବା ଅଭିଯୋଗ ହୋଇଛି । ଠିକ ଭାବେ ପିଚୁ ଭଜା ଯାଇନଥିବାରୁ ରାସ୍ତାର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏସମ୍ପର୍କରେ ସହକାରୀ ଯନ୍ତ୍ରୀ ମଧୁସୂଦନ ଦାସଙ୍କୁ ପଚାରିବାରୁ ଯାଇନାହିଁ ବୋଲି କହିଥିଲେ । ଆମର କେହି ବି ଷ୍ଟାଫ ନାହାଁନ୍ତି । ସେ ଗଲେ ଅନୁଧ୍ୟାନ କରିବି ବୋଲି କହିଛନ୍ତି । ଅପରପକ୍ଷରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବାଷ ସାହୁଙ୍କୁ କେତେ ଟଙ୍କା ଓ କେତେ ମିଟରର ପିଚୁକାମ କରାଯାଉଛି ବୋଲି ପଚାରିବାରୁ ସେ ଜାଣି ନଥିବା କହି କଥାକୁ ଏଡାଇ ଯାଇଥିଲେ । ଏଠାରେ ପ୍ରଶ୍ନ ଉଠୁଛି ଯେ, ସବ୍ଡିଭିଜନ ମୁଖ୍ୟ ଦାୟିତ୍ୱରେ ଥିବା ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ଏହି ରାସ୍ତାକାମ ସମ୍ପର୍କରେ ତଥ୍ୟ ନରହିବା ଘଟଣା ବିଭାଗର ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସହକାରୀ ନିର୍ବାହୀ ଯନ୍ତ୍ରୀ ବାସ୍ତବରେ କାର୍ଯ୍ୟ କରୁଛନ୍ତି ନାଁ ତାଙ୍କ ପାଇଁ ଅନ୍ୟ କିଏ ଦାୟିତ୍ୱ ନିର୍ବାହ କରୁଛନ୍ତି ଯାହା ତଦନ୍ତ ସାପେକ୍ଷ ।