ଖୁବ୍‌ଶୀଘ୍ର କ୍ଷୟକ୍ଷତି ଆକଳନ : ସୁରେଶ

ଖୁବ୍‌ଶୀଘ୍ର କ୍ଷୟକ୍ଷତି ଆକଳନ : ସୁରେଶ
  • ଗୋଷାଣୀ ବ୍ଲକରେ ସର୍ବାଧିକ ୧୫୦ ମିମି ବର୍ଷା
  • ୫୬ ସ୍ଥାନରେ ୫୦ ମିମିରୁ ୧୦୦ ମିମି ବର୍ଷା
  • ବାତ୍ୟା ଆଶ୍ରୟସ୍ଥଳୀକୁ ଯାଇଥିଲେ ୧୮୭୩୨
  • ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିଲେ ୨୧୯୮ ଗର୍ଭବତୀ

ଭୁବନେଶ୍ୱର : ବାତ୍ୟା ‘ମୋନ୍ଥା’କୁ ନେଇ ସରକାର ବ୍ୟାପକ ପ୍ରସ୍ତୁତି କରିଥିଲେ । ଏହାର ସେଭଳି କୌଣସି ପ୍ରଭାବ ପଡ଼ିନାହିଁ । ଶେଷ ମୁହୂର୍ତ୍ତରେ ବତ୍ୟା ଦିଗ ବଦଳାଇଥିଲା । ତେବେ ଯେଉଁସବୁ ସ୍ଥାନରେ କ୍ଷୟକ୍ଷତି ହୋଇଛି ତାହାର ଖୁବଶୀଘ୍ର ଆକଳନ କରାଯାଇ ସହାୟତା ପ୍ରଦାନ କରାଯିବ । ବାତ୍ୟା ପରବର୍ତ୍ତୀ ସ୍ଥିତି ନେଇ ସମୀକ୍ଷା ବୈଠକ ପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଏହି ସୂଚନା ଦେଇଛନ୍ତି  । ଏହି ସମୀକ୍ଷା ବୈଠକରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର ଦେଓରଞ୍ଜନ କୁମାର ସିଂହ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ  ।

ବୈଠକ ପରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେଯେ, ୧୯୯୯ ମସିହା ଅକ୍ଟୋବର ୨୯ରେ ସୁପର ମହାବାତ୍ୟା ଓଡିଶାରେ ତାଣ୍ଡବ ରଚାଇଥିଲା । ଏଥିରେ ବ୍ୟାପକ ଧନଜୀବନ ହାନି ସହ ବହୁ କ୍ଷତି ମଧ୍ୟ ହୋଇଥିଲା । କିନ୍ତୁ, ବର୍ତ୍ତମାନ ଭାରତୀୟ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ବାତ୍ୟା ମୋନ୍ଥା ପୂର୍ବରୁ ସରକାର ବ୍ୟାପକ ପ୍ରସ୍ତୁତି କରିଥିଲେ । ଏହା ଖୁବ୍‌ କ୍ରିୟାଶୀଳ ହୋଇଥିଲା ଓ ଗଣମାଧ୍ୟମ ମଧ୍ୟ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବହ କରିଥିଲେ । ସୌଭାଗ୍ୟର କଥା ହେଉଛି ଯେ ସାଧାରଣ ଲୋକ ଏହି ବାତ୍ୟାକୁ ନେଇ ଚିନ୍ତିତ ଥିଲାବେଳେ ଏହାର ସେଭଳି କୌଣସି ପ୍ରଭାବ ପଡିନାହିଁ । ଶେଷ ମୁହୂର୍ତ୍ତରେ ବାତ୍ୟା ଏହାର ଦିଗ ବଦଳାଇଲା ବୋଲି ସେ କହିଥିଲେ । 

ମନ୍ତ୍ରୀ ଶ୍ରୀ ପୂଜାରୀ ପୁଣି କହିଛନ୍ତିଯେ, ସରକାର ବାତ୍ୟା ପୂର୍ବରୁ ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି ପ୍ରାକ ପ୍ରସ୍ତୁତି ଚଳାଇଥିଲେ । ଏହି ସବୁ ବିଭାଗ ଜିଲ୍ଲାୱାରୀ ପ୍ରସ୍ତୁତି ସହ ତୃଣମୂଳ ସ୍ତରରେ କିପରି ଦ୍ଭ ବାତ୍ୟାର ମୁକାବିଲା କରାଯାଇପାରିବ ସେସମ୍ପର୍କରେ ବିଶଦ ଭାବେ ଯୋଜନା ପ୍ରସ୍ତୁତ କରି ପଦକ୍ଷେପ ନେଇଥିଲେ । ବର୍ତ୍ତମାନ ରାଜ୍ୟର ବିଭିନ୍ନ ଜଳଭଣ୍ଡାରରେ ୮୮% ଜଳସଂଚୟ ହୋଇ ରହିଥିବାବେଳେ ବର୍ଷାକୁ ଆଖି ଆଗରେ ରଖି ସେହିସବୁ ସ୍ଥାନରେ ଜଳ ପରିଚାଳନାର ବ୍ୟବସ୍ଥା କରାଯାଉଛି । ବାତ୍ୟା ମୋନ୍ଥା ପରିଚାଳନା କରିବା ପାଇଁ ୩୩ ଓଡ୍ରାଫ୍‌ ଦଳ, ୫ଟି ଏନ୍‌ଡିଆରଏଫ୍‌, ୧୩୩ ଅଗ୍ନିଶମ ବାହିନୀଙ୍କୁ ମିଶାଇ ମୋଟ ୧୬୧ଟି ଦଳ ନିୟୋଜିତ ହୋଇଥିଲେ । ୨୧୬୪ଟି ବାତ୍ୟା/ବନ୍ୟା ଆଶ୍ରୟ ସ୍ଥଳୀକୁ ଚିହ୍ନଟ କରାଯାଇ ୧୮୭୩୨ ଜଣ ଲୋକଙ୍କୁ ନିରାପଦ ଭାବରେ ସ୍ଥାନାନ୍ତର କରାଯାଇଥିବାବେଳେ ସେମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧାର ବ୍ୟବସ୍ଥା କରାଯାଇଥିଲା । ଏତଦ୍‌ବ୍ୟତୀତ ୨୧୯୮ ଜଣ ଆସନ୍ନ ପ୍ରସବା ମହିଳାମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ଓ ମା’ଗୃହକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା । ଏବେ ସେମାନେ ସେଠାରେ ସୁରକ୍ଷିତ ଅଛନ୍ତି ଏବଂ କେତେକ ମାତୃତ୍ୱ ଲାଭ କରିଛନ୍ତି  । ବାତ୍ୟା ପ୍ରଭାବିତ ଆଶଙ୍କା ଥିବା ଅଞ୍ଚଳରେ ୬୦ଟି ଡାକ୍ତରୀ ଦଳ ନିୟୋଜିତ କରାଯାଇଥିବାବେଳେ ପ୍ରାଣୀସମ୍ପଦର ସୁରକ୍ଷା ପାଇଁ ୩୫ଟି ପଶୁଚିକିତ୍ସା ଦଳ ନିୟୋଜିତ ହୋଇଥିଲେ । ଏହି ବାତ୍ୟାରେ ୩୩ ବ୍ଲକ୍‌, ୧୧ ସହରାଞ୍ଚଳ ଓ ୩୫୮ ଗ୍ରାମ ପ୍ରଭାବିତ ହୋଇଛି । ୩୬୨ ରନ୍ଧାଖାଦ୍ୟ କେନ୍ଦ୍ର ଖୋଲାଯାଇ ୧୮୭୩୨ ଜଣ ପ୍ରଭାବିତ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ଶକ୍ତି ବିଭାଗ ପକ୍ଷରୁ ବାତ୍ୟା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇଦେବା ପାଇଁ ପୂର୍ବ ପ୍ରସ୍ତୁତି କରାଯାଇଥିଲା ଏବଂ ଯେଉଁ ସ୍ଥାନରେ ବିଦ୍ୟୁତ ସରବରାହରେ ବ୍ୟାଘାତ ସୃଷ୍ଟି ହୋଇଥିଲା ସେସବୁକୁ ପୁନଃ ସଂସ୍ଥାପିତ ଓ ସ୍ୱାଭାବିକ କରାଯାଇପାରିଛି । ଯେଉଁଠାରେ ଗଛପଡି ରାସ୍ତା ଅବରୋଧ ହୋଇଥିଲା, ସେଠାରେ ତୁରନ୍ତ ଗଛ କାଟି ରାସ୍ତା ସଫା କରାଯାଇଛି । ୩୧ ତାରିଖ ବେଳକୁ ପରିସ୍ଥିତି ସ୍ୱାଭାବିକ ହୋଇଯିବ । ୩୦.୧୦.୨୦୨୫ ପରଠାରୁ କ୍ଷୟକ୍ଷତିର ଆକଳନ କରାଯାଇ ଆବଶ୍ୟକୀୟ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି । ଗତ ୨୪ ଘଣ୍ଟାରେ ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ୍‌ରେ ସର୍ବାଧିକ ୧୫୦.୫ ମିମି ବର୍ଷା ରେକର୍ଡ କରାଯାଇଛି । ଗଜପତି ଜିଲ୍ଲାର ଦୁଇଟି ବ୍ଲକ୍‌ ଯଥା- ରାୟଗଡରେ ୧୧୯.୮ ମିମି, ମୋହନାରେ ୧୦୬ ମିମି, ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ୍‌ରେ ୧୧୭.୪ ମିମି, ମୟୂରଭଞ୍ଜର ଉଦଳା ବ୍ଲକ୍‌ରେ ୧୦୫ ମିମି ବର୍ଷା ରେକର୍ଡ କରାଯାଇଛି, ଯାହାକି ୧୦୦ ମିମିରୁ ଅଧିକ । ଏହା ବ୍ୟତୀତ ୫୬ଟି ବ୍ଲକ୍‌ ଏବଂ ସହରାଞ୍ଚଳରେ ୫୦ ମିମିରୁ ୧୦୦ ମିମି ପର୍ଯ୍ୟନ୍ତ ବର୍ଷା ରେକର୍ଡ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି । ଏହି ଅବସରରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର ଶ୍ରୀ ସିଂ କହିଲେଯେ, ସରକାର ବାତ୍ୟା ପୂର୍ବରୁ ସମସ୍ତ ପ୍ରକାର ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ କରିଥିଲେ । ନିୟମିତ ଭାବେ ଜିଲ୍ଲାପାଳ ଓ ସମସ୍ତ ବିଭାଗର ସଚିବମାନଙ୍କ ସହିତ ବୈଠକ କରି ଏହି ପୂର୍ବପ୍ରସ୍ତୁତିର ସମୀକ୍ଷା କରିଥିଲେ । ଫଳରେ ଧନଜୀବନ ହାନି ରୋକାଯାଇପାରିଛି ।