ଅବପାତ ହେଲା ‘ମୋନ୍ଥା’

ଅବପାତ ହେଲା ‘ମୋନ୍ଥା’
  • ୪ ରାଜ୍ୟ ପ୍ରଭାବିତ
  • ଆନ୍ଧ୍ରରେ ‘ମୋନ୍ଥା’ ନେଇଛି ୨ ଜୀବନ
  • ବିଜୁଳି ଓ ଗମନାଗମନ ବ୍ୟାହତ
  •  ୪ରୁ ୭ ଡିଗ୍ରୀ କମିଲା ତାପମାତ୍ରା

ଭୁବନେଶ୍ୱର : ବାତ୍ୟା ‘ମୋନ୍ଥା’ର ପ୍ରକୋପ କମିଯାଇଥିଲେବି ଆନ୍ଧ୍ରପ୍ରଦେଶର କେତେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଶେଷକରି ବିଜୁଳି ଓ ଗମନାଗମନ ବ୍ୟାହତ ହୋଇଛି । ସେହିପରି ଅନେକ ଚାଷୀଙ୍କର ଫସଲ ବି ନଷ୍ଟ ହୋଇଯାଇଛି । ଅପରପକ୍ଷରେ ବାତ୍ୟା ଚାଲିଯାଇଥିଲେବି ଓଡ଼ିଶା, ଝାଡ଼ଖଣ୍ଡ ଓ ତେଲେଙ୍ଗାନାରେ ଆଜି ପ୍ରବଳ ବର୍ଷା ହୋଇଛି । ଆସନ୍ତା ୩୧ ଯାଏଁ ପଶ୍ଚିମବଙ୍ଗରେ ବି ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଇଏମଡ଼ି ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଗତକାଲି ବାତ୍ୟା ମନ୍ଥା ସ୍ଥଳଭାଗ ଛୁଇଁଥିଲେବି ଗତିପଥ ବଦଳାଇଛି । ପ୍ରଥମେ ଏହା କାକିନାଡ଼ାରେ ମାଡ଼ ହେବବୋଲି ଅନୁମାନ କରାଯାଉଥିଲା । କିନ୍ତୁ ପରେ ତାହା ଗତିପଥ ବଦଳାଇ କାକିନାଡ଼ାର ଦକ୍ଷିଣ ଦିଗକୁ ନର୍ସାପୁରମ୍‌ ଠାରେ ସ୍ଥଳଭାଗ ଛୁଇଁଥିଲା । ପ୍ରାୟ ୫ ଘଣ୍ଟା ଧରି ଏହା ଲ୍ୟାଣ୍ଡଫଲ କରିଥିବାବେଳେ ୧୧୦ କିମି ପର୍ଯ୍ୟନ୍ତ ପବନ ବହିଥିଲା । ବିଶେଷକରି ମଛଲିପଟନମ, କାକିନାଡ଼ା, ରାଜମହେନ୍ଦ୍ରୀ, ବାପାଟିଆ, କାଭାଲି, ଉଲାଭାପାଡୁ, ନେଲୋର ଆଦି ଅଞ୍ଚଳରେ ପ୍ରବଳ ଦ୍ଭ ବର୍ଷା ପବନ ହୋଇଥିଲା  । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ଥିବା ବାତ୍ୟା ‘ମୋନ୍ଥା’ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୧୫ କିମି ବେଗରେ ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଗଭୀର ଅବପାତରେ ପରିଣତ ହୋଇଥିଲା । ଆଜି ସକାଳ ସାଢେ଼ ୮ଟାରେ ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ତତସଂଲଗ୍ନ ତେଲେଙ୍ଗାନା ଉପରେ କେନ୍ଦ୍ରୀଭୂତ ହୋଇଥିଲା । ଉପକୂଳ ଓଡ଼ିଶାର କିଛି ସ୍ଥାନରେ, ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ତାପମାତ୍ରା ୪ରୁ ୭ ଡିଗ୍ରୀ ହ୍ରାସ ପାଇଛି । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଉପକୂଳ ଓଡ଼ିଶା ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ପ୍ରାୟ ୨ରୁ ୪ ଡିଗ୍ରୀ ହ୍ରାସ ପାଇଛି । ଅପରପକ୍ଷରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହିତ ଘଣ୍ଟାପ୍ରତି ପବନର ବେଗ ୩୦ରୁ ୪୦ କିମି ରହିବାର ସମ୍ଭାବନା ରହିଛି ।