ମୋଦି ଦେଖିବାକୁ ସବୁଠୁ ସୁନ୍ଦର, ବାଣିଜ୍ୟ ଚୁକ୍ତି କରିବି: ଟ୍ରମ୍ପ
ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତି ଦେଇଛନ୍ତି । ସେ କହିଛନ୍ତି ଯେ, ମୋଦି ହେଉଛନ୍ତି ସବୁଠୁ ସୁନ୍ଦର ବ୍ୟକ୍ତି । ତେଣୁ ମୁଁ ଭାରତ ସହିତ ବାଣିଜ୍ୟ ଚୁକ୍ତି କରିବାକୁ ପ୍ରସ୍ତୁତ । ଏହାସହ ପୁଣି ଥରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ କରିଛି ବୋଲି ଦୋହରାଇଛନ୍ତି । ଦକ୍ଷିଣ କୋରିଆରେ ଏସିଆ-ପ୍ରଶାନ୍ତ ମହାସାଗରୀୟ ଆର୍ଥିକ ସହଯୋଗ (ଏପିଇସି) ବ୍ୟବସାୟ ନେତାଙ୍କ ପାଇଁ ଏକଦ୍ଭ ମଧ୍ୟାହ୍ନ ଭୋଜନରେ ଭାଷଣ ଦେଇ ଟ୍ରମ୍ପ ମେ ମାସର ତାଙ୍କ ଘଟଣାବଳୀ ବର୍ଣ୍ଣନା କରି କହିଛନ୍ତି ଯେ ସେ ଦୁଇ ପରମାଣୁ ଶକ୍ତିଶାଳୀ ପଡୋଶୀଙ୍କ ମଧ୍ୟରେ ଏକ ସମ୍ଭାବ୍ୟ ଯୁଦ୍ଧ ବନ୍ଦ କରିବା ପାଇଁ "ବାଣିଜ୍ୟ ଚାପ ବ୍ୟବହାର’ କରିଥିଲେ ବୋଲି କରିଛନ୍ତି । "ଦୁଇ ପରମାଣୁ ରାଷ୍ଟ୍ର ପରସ୍ପର ସହିତ ଲଢ଼ୁଥିଲେ । ସେମାନେ କହିଲେ, ନା, ନା, ନା, ତୁମେ ଆମକୁ ଲଢ଼ିବାକୁ ଦିଅ । ସେମାନେ ଶକ୍ତିଶାଳୀ ଲୋକ । ପ୍ରଧାନମନ୍ତ୍ରୀ ମୋଦି ସବୁଠାରୁ ସୁନ୍ଦର ଦେଖାଯାଉଥିବା ବ୍ୟକ୍ତି । ସେ ଜଣେ ହତ୍ୟାକାରୀ । ସେ ନର୍କ ପରି କଠୋର । କିନ୍ତୁ କିଛି ସମୟ ପରେ ସେମାନେ ଫୋନ୍ କରି କହିଲେ ଯେ ଆମେ ଲଢ଼ିବା ବନ୍ଦ କରିବୁ’ ଟ୍ରମ୍ପ କହିଥିଲେ । ଏହି ଅବସରରେ ସେ ଖୁବ୍ ଶୀଘ୍ର ଭାରତ ସହିତ ବାଣିଜ୍ୟ ଚୁକ୍ତି କରିବାକୁ ମଧ୍ୟ ଇଙ୍ଗିତ କରିଥିଲେ । ମୁଁ ଭାରତ ସହିତ ଏକ ବାଣିଜ୍ୟ ଚୁକ୍ତି କରିବାକୁ ଯାଉଛି ବୋଲି ଟ୍ରମ୍ପ କହିଥିଲେ । ଟ୍ରମ୍ପ ନୂଆଦିଲ୍ଲୀ ଓ ଇସଲାମାବାଦ ଉଭୟଙ୍କ ସହିତ ତାଙ୍କର "ମହାନ ସମ୍ପର୍କ’ ବର୍ଣ୍ଣନା କରିଥିଲେ । "ମୁଁ ଭାରତ ସହିତ ଏକ ବାଣିଜ୍ୟ ଚୁକ୍ତି କରିବାକୁ ଯାଉଛି ଓ ମୋର ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ପ୍ରେମ ଓ ସମ୍ମାନ ଅଛି । ସେହିପରି ପାକିସ୍ତାନର ପ୍ରଧାନମନ୍ତ୍ରୀ ଜଣେ ମହାନ ବ୍ୟକ୍ତି ଓ ତାଙ୍କର ଫିଲ୍ଡ ମାର୍ଶାଲ ଜଣେ ମହାନ ଯୋଦ୍ଧା ବୋଲି ସେ ଆହୁରି କହିଛନ୍ତି । ତାଙ୍କ ଅଭିଭାଷଣରେ ଟ୍ରମ୍ପ ଆହୁରି କହିଛନ୍ତି ଯେ ସେ ଉଭୟ ନେତାଙ୍କୁ କହିଥିଲେ ଯେ ଦୁଇ ଦେଶ ମଧ୍ୟରେ ଯଦି ଯୁଦ୍ଧ ହୁଏ ଆମେରିକା ସେମାନଙ୍କ ସହିତ ବାଣିଜ୍ୟ ଚୁକ୍ତି କରିବ ନାହିଁ । ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କରି କହିଥିଲି ଯେ ଆପଣ ପାକିସ୍ତାନ ସହିତ ଲଢ଼ୁଥିବାରୁ ଆମେ ଆପଣଙ୍କ ସହିତ ବାଣିଜ୍ୟ ଚୁକ୍ତି କରିପାରିବୁ ନାହିଁ । ତା'ପରେ ମୁଁ ପାକିସ୍ତାନକୁ ଫୋନ୍ କରି ସମାନ କଥା କହିଥିଲି ବୋଲି ସେ କହିଥିଲେ । ଚଳିତ ବର୍ଷ ମେ ମାସରେ ଏକ ସଂକ୍ଷିପ୍ତ ସାମରିକ ସଂଘର୍ଷ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବା ବିଷୟରେ ଟ୍ରମ୍ପ ଅତୀତରେ ସମାନ ଦାବି କରିଛନ୍ତି, ଯାହାକୁ ନୂଆଦିଲ୍ଲୀ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛି । ପୁନରାବୃତ୍ତି କରି କହିଛି ଯେ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଦ୍ୱିପାକ୍ଷିକ ଭାବରେ କୌଣସି ତୃତୀୟ ପକ୍ଷର ସମ୍ପୃକ୍ତି ବିନା ହୋଇଥିଲା ।