୩ ଦିନରେ ଓଡ଼ିଶା ଛାଡ଼ିବ ମୌସୁମୀ

୩ ଦିନରେ ଓଡ଼ିଶା ଛାଡ଼ିବ ମୌସୁମୀ

ଭୁବନେଶ୍ୱର : ଆଉ ୩ରୁ ୪ ଦିନ ମଧ୍ୟରେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଏବଂ ବିହାରର ଅବଶିଷ୍ଟ ଅଂଶ, ସମଗ୍ର ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ଏବଂ ପଶ୍ଚିମବଙ୍ଗ, ସିକିମ, ଓଡ଼ିଶା ଏବଂ ତେଲେଙ୍ଗାନାର କିଛି ଅଂଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାହାର ପାଇଁ ପରିସ୍ଥିତି ଅନୁକୂଳ ରହିଛି । ଦକ୍ଷିଣ ଓଡ଼ିଶାରୁ ଉତ୍ତର ତାମିଲନାଡୁ ପର୍ଯ୍ୟନ୍ତ ସମୁଦ୍ର ପତନ ଠାରୁ ୦.୯ କିମି ଉଚ୍ଚରେ ଉପକୂଳ ଆନ୍ଧ୍ରପ୍ରଦେଶ ଦେଇ ଯାଇଥିବା ଟ୍ରଫ୍‌ କମ୍‌ ଚିହ୍ନିତ ହୋଇଛି । ଅପରପକ୍ଷରେ ଆସନ୍ତା ୧୬ ପର୍ଯ୍ୟନ୍ତ ବର୍ଷା ହେବାର ଥିବାବେଳେ ୧୨ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି ।

ଆସନ୍ତାକାଲି ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ଏବଂ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ ଓ ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଓଡ଼ିଶା ଅନ୍ୟ ଜିଲ୍ଲାଗୁଡ଼ିକରେ ଶୁଖିଲା ପାଗ ରହିବାର ସମ୍ଭାବନା ଅଛି । ସେହିପରି କୋରାପୁଟ, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହିତ ଝଟକା ପବନର ବେଗ ୩୦ରୁ ୪୦ କିମି ରହିବା ସହ ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ଅଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହିତ ଘଣ୍ଟାପ୍ରତି ଝଟକା ପବନ ୩୦ରୁ ୪୦ କିମି ବେଗରେ ବହିବ । ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।