ଗଙ୍ଗା ସୁରକ୍ଷା ପାଇଁ ନମାମି ଗଙ୍ଗେ ପାଭେଲିୟନ

ନୂଆଦିଲ୍ଲୀ: ୨୦୨୫ ମହାକୁମ୍ଭ ଅବସରରେ ପ୍ରୟାଗରାଜ ଠାରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ପାଭିଲିୟନ୍ କରାଯାଇଛି । ସେଥିମଧ୍ୟରୁ ଗଙ୍ଗା ନଦୀର ସୁରକ୍ଷା, ଜୈବ ବିବିଧତା ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ସଂରକ୍ଷଣ କରିବା ପାଇଁ ନମାମି ଗଙ୍ଗେ ପାଭିଲିୟନ୍ କରାଯାଇଛି । ପ୍ରତିଦିନ ଶହ ଶହ ପର୍ଯ୍ୟଟକ ଏହା ଭିତରେ ବୁଲି ନଦୀର ଜୈବ ବିବଧତା ଉପରେ ନାନା ଶିକ୍ଷଣୀୟ କଥା ଗ୍ରହଣ କରୁଛନ୍ତି । ଏହି ପ୍ରଦର୍ଶନୀରେ ଜୀବନ ପ୍ରଦାନକାରୀ ଗଙ୍ଗାର ମହତ୍ୱ ଅବତାରଣା କରାଯାଇଛି । ଏହାସହ ପର୍ଯ୍ୟଟକମାନେ ବିଭିନ୍ନ ପକ୍ଷୀଙ୍କ କଳରବ ମଧ୍ୟ ଶୁଣି ପାରୁଛନ୍ତି ।
ସେହିପରି ଗଙ୍ଗା ସଫେଇ ଓ ସଂରକ୍ଷଣ ଉପରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଏକ ଡିଜିଟାଲ ପ୍ରଦର୍ଶନୀ ପ୍ରସ୍ତୁତ କରାଯାଇଛି । ପ୍ରୟାଗ ପ୍ଲାଟଫର୍ମରେ ଗଙ୍ଗା, ଯମୁନା ନଦୀ ଓ ସେମାନଙ୍କର ଶାଖା ନଦୀ ଉପରେ ବିଭିନ୍ନ ତଥ୍ୟର ସୂଚନା ପ୍ରଦାନ କରାଯାଉଛି । ପର୍ଯ୍ୟଟକମାନେ ଏହି ପ୍ଲାଟଫର୍ମରୁ ନଦୀର ଜଳସ୍ତର, ସଫେଇ, ପ୍ରଦୂଷଣ ସମ୍ପର୍କିତ ବିଭିନ୍ନ ତଥ୍ୟ ପାଇପାରୁଛନ୍ତି । ସେହିପରି ଗଙ୍ଗା ସଫେଇ ଉପରେ ରିଭର ଫ୍ରଣ୍ଟ ଓ କୂଳରେ ରହିଥିବା ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ୍ରୁ ମଧ୍ୟ ବିଭିନ୍ନ ସୂଚନା ପାଇଥିଲେ ପର୍ଯ୍ୟଟକ । ଯାନ୍ତ୍ରିକ ସହାୟତା ସହ ଭିତିଭୂମି ବିକାଶ କରି କିପରି ସରକାର ଓ ଅନ୍ୟାନ୍ୟ ସଂସ୍ଥା ନଦୀ ସଫେଇ ଦିଗରେ ପଦକ୍ଷେପ ନେଇଛନ୍ତି ତାର ଚିତ୍ର ରୂପ ଏହି ପାଭିଲିୟନରେ ସ୍ଥାନିତ କରାଯାଇଛି ।