ଗାଁରେ ବୁଲିଲା ଖଣ୍ଡା : ଥାନାର ଦ୍ୱାରସ୍ଥ ହେଲେ ମହିଳା
ଧାମନଗର: ଶିବରାତ୍ରି ମନ୍ଦିର ନିକଟରେ ଗଣ୍ଡଗୋଳ ଏବେ ଉଗ୍ର ରୁପ ନେଇଛି । ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଓ ତାଙ୍କ ସହଯୋଗୀମାନେ ଗ୍ରାମରେ ଆତଙ୍କ ସୃଷ୍ଟି କରିଛନ୍ତି । ପ୍ରକାଶ ଥାଉ କି ଧାମନଗର ଥାନା ଭଗବାନପୁର ପଞ୍ଚାୟତ ଡିଗି ଗ୍ରାମବାସୀ ଓ ଭଣ୍ଡାରୀପୋଖରୀ ଥାନା ମଣିବାଜି ଗ୍ରାମର ଶ୍ରୀକାନ୍ତ ବେହେରାଙ୍କ ପରିବାର ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇ ଡିଗି ଗ୍ରାମର ୬ ଜଣ ଗୁରୁତର ହୋଇଥିବା ନେଇ ଧାମନଗର ଥାନାରେ ଶୁକ୍ରବାର ଅଭିଯୋଗ ହୋଇଛି ।
ପ୍ରକାଶ ଥାଉକି ଶିବାରାତ୍ରୀ ଦିନ ମଣିବାଜି ଗ୍ରାମରେ ଥିବା ମହାଦେବଙ୍କ ନିକଟରେ ପୂଜାର୍ଚ୍ଚନା କରିବାକୁ ଡିଗି ଗ୍ରାମର ମହିଳା ମାନେ ଯାଇଥିଲେ । ଏହି ସମୟରେ ମଣିବାଜି ଗ୍ରାମର ଜଣେ ଯୁବକ ମୋଟର ସାଇକେଲ ଗର୍ଜାଇ ଗାଳି ଗୁଲଜ କରିବାରୁ ଆରମ୍ଭ ହୋଇଥିଲା ଛକା ପଞ୍ଝା । ସେବେଠାରୁ ମଣିବାଜି ଗ୍ରାମର ଶ୍ରୀକାନ୍ତ ବେହେରା ଓ ତାଙ୍କର ସହଯୋଗୀ ସୁକାନ୍ତ ବେହେରା, ଦୀପକ ବେହେରା, ସୂର୍ଯ୍ୟକନ୍ତ ବେହେରା, ଦେବ ବେହେରା ଓ ତାଙ୍କ ସମ୍ପର୍କୀୟ ମାନେ ଡିଗି ଗ୍ରାମ ଲୋକଙ୍କୁ ବାଟ ଘାଟରେ ଅଟକାଇ ମାଡ ମାରୁଥିବା ଅଭିଯୋଗ ହେଉଥିଲା । ପୁଣି ଡିଗି ଗ୍ରାମର ଯୁବକ ମଣିବାଜି ଗ୍ରାମଦେଇ ଯାଉଥିବା ସମୟରେ ଶ୍ରୀକାନ୍ତ ବେହେରା ସେହି ଯୁବକଙ୍କୁ ଆକ୍ରମଣ କରି ଗୁରୁତର କରିଥିଲେ । ପୁଣୀ ଗୁରୁବାର ରାତି ହେବା ପରେ ମଣିବାଜି ଗ୍ରାମର ଶ୍ରୀକାନ୍ତ ବେହେରା ଓ ଅନ୍ୟ ସହଯୋଗୀଙ୍କ ସହ ସମ୍ପର୍କୀୟ ମାନେ ହାତରେ ଖଣ୍ଡା ଓ ରଡ ନେଇ ଡିଗି ଗ୍ରାମରେ ପହଞ୍ଚି ବିଭିନ୍ନ ଘରର କବାଟ ଭାଙ୍ଗି ଘର ଭିତରେ ପଶି ଜିନିଷ ପତ୍ର ଭଙ୍ଗା ରୋଜା କରିବା ସହ ଲୋକଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରିଥିଲେ । ଏମିତିକି ରାତି ତମାମ ଗାଁ ଦାଣ୍ଡରେ ଖଣ୍ଡା ବୁଲିଥିଲା । ଏଥିରେ ଅଶୋକ ପରିଡ଼ା, ନରେନ୍ଦ୍ର ପରିଡ଼ା, ତିଳୋତ୍ତମା ପରିଡ଼ା, ବନମାଳୀ ପରିଡ଼ା, ବାସନ୍ତୀ ପରିଡ଼ା ଓ ଅନ୍ୟମାନେ ଗୁରୁତ୍ୱର ହୋଇଥିବା ବେଳେ ବୃଦ୍ଧ ପଞ୍ଚନାନ ବେହେରା ଅଧିକ ଗୁରୁତ୍ୱର ଅବସ୍ଥାରେ ଉଦ୍ଧାର କରି ଯାଜପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଧାମନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଶୁକ୍ରବାର ଡିଗି ଗ୍ରାମର ଶତାଧିକ ମହିଳା ଥାନାରେ ଧାମନଗର ଥାନାରେ ପହଞ୍ଚି ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ସେପଟେ ମଣିବାଜି ଗ୍ରାମର ଶ୍ରୀକାନ୍ତ ବେହେରା ଓ ଅନ୍ୟମାନେ ଫେରାର ଥିବା ଜଣାଯାଇଛି । ସୂଚନା ଥାଉକି ଶ୍ରୀକାନ୍ତଙ୍କ ନାମରେ ପୂର୍ବରୁ ଅନେକ ଚୋରି ଡକାୟତି କେଶରେ ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି । ଏପରି କି ଧାମନଗର ଥାନାର ଏ ଏସ ଆଇ ସୂଜିତି ରାଉତଙ୍କୁ ମଧ୍ୟ ବିଭିନ୍ନ ଭାଷାରେ ଫୋନ୍ ଦ୍ୱାରା ଗାଳିଗୁଲଜ ଓ ମାରିବାର ଧମକ ମଧ୍ୟ ଦେଇଛନ୍ତି । ଖବର ପାଇ ଭଗବାନପୁର ପଂଚାୟତର ସମିତି ସଭ୍ୟ ସୁଦୀପ୍ତ ଖଟୁଆ ଭୟଭିତରେ ଥିବା ମହିଳା ଓ ପୁରୁଷଙ୍କୁ ଆଶ୍ୱସନା ଦେବା ସହ ସେମାନଙ୍କ ସୁରକ୍ଷା ପାଇଁ ଗ୍ରାମରେ ପୋଲିସ ଫୋର୍ସ ଯୋଗାଇଦେବା ପାଇଁ ଶ୍ରୀ ଖଟୁଆ ପୋଲିସକୁ ନିବେଦନ କରିଥିଲେ ।