ଘରୁ ଟଙ୍କା ଓ ଗହଣା ଚୋରି 

 ବ୍ରହ୍ମବରଦା: ଗୁରୁବାର ବିଳମ୍ବିତ ରାତିରେ ବ୍ରହ୍ମବରଦା ଥାନା ଅନ୍ତର୍ଗତ କୋଠାସାହି ଗ୍ରାମର ଶ୍ରୀଧର ବେହେରା (୫୬)ଙ୍କ ଘରୁ ଟଙ୍କା ସମେତ ବହୁ ସୁନା ଓ ରୂପା ଅଳଙ୍କାରମାନ ଚୋରି ହୋଇଛି । ଆଜି ସକାଳୁ ଏକଥା ଜଣା ପଡିବା ପରେ ଶ୍ରୀଧର ବ୍ରହ୍ମବରଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ଘଟଣାସ୍ଥଳରେ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ମତେ ସବୁଦିନ ପରି ଗୁରୁବାର ରାତିରେ ଶ୍ରୀଧରଙ୍କ ପରିବାର ଲୋକେ ଖାଇପିଇ ଶୋଇପଡିଥିଲେ । କିନ୍ତୁ ସେଦିନ ରାତିରେ ଶ୍ରୀଧର ଘରେ ନଥିବା ବେଳେ ତାଙ୍କ ପନôୀ ଓ ଝିଅ ଗୋଟେ ରୁମରେ ଶୋଇଥିଲେ । ପରଦିନ ଅର୍ଥାତ ଶୁକ୍ରବାର ଭୋର ୫ ଟାରୁ ଶ୍ରୀଧରଙ୍କ ଝିଅ ଉଠି ଅନ୍ୟ ଏକ ରୁମର କବାଟ ଖୋଲି ଦେଖିବାକୁ ପାଇଲେକି ସେ ରୁମରେ ଥିବା ସମସ୍ତ ପୋଷାକ ଓ ଆସବାବପତ୍ର ଏଣେ ତେଣେ ଭାବେ ବିଛାଡି ହୋଇ ପଡିରହିଛି । କେହି ଦୁର୍ବୃତ ଘରେ ପଶି ଗୋଟିଏ ତାଙ୍କ ବାକ୍ସରୁ ୧ଟି ସୁନା ମଙ୍ଗଳସୂତ୍ର, ୨ଟି ସୁନା କାନଫୁଲ, ୧ଟି ସୁନା ଚେନ, ୧ଟି ରୂପା ପାଉଁଜି ଓ ନଗଦ ୧୧ ହଜାର ଟଙ୍କା ସମେତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଲୁଟି ନେଇଛନ୍ତି । ଏକଥା ଜାଣିବା ପରେ ସଙ୍ଗେ ସଙ୍ଗେ ତାଙ୍କ ବାପାଙ୍କୁ ଫୋନ କରି ଜଣାଇଥିଲେ ଓ ଶ୍ରୀଧର ତୁରନ୍ତ ଥାନାରେ ଅଭିଯୋଗ କରିଥିଲେ । ଏନେଇ ବ୍ରହ୍ମବରଦା ପୁଲିସ କେସ ନଂ ୭୪/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିବା ସହ ଶନିବାର ସାଇଂଟିଫିକ୍ ଟିମ୍ ଓ ଅନୁସନ୍ଧାନୀ କୁକୁର ସହାୟତାରେ ଅଧିକ ଅନୁସନ୍ଧାନ କରାଯିବ ବ୍ରହ୍ମବରଦା ଥାନା ଏଏସ୍ଆଇ ଅଚୁ୍ୟତାନନ୍ଦ ଦାସ ସୂଚନା ଦେଇଛନ୍ତି ।