ଗାନ୍ଧୀପଡ଼ିଆ-ଡାହିବାଡି ହାଟ ରାସ୍ତା ଶୋଚନୀୟ 

 ବୈଶିଙ୍ଗା : ବୈଶିଙ୍ଗା ପଞ୍ଚାୟତ ଉପକଣ୍ଠ ୧୮ନଂ ଜାତୀୟ ରାଜପଥର ଗାନ୍ଧୀପଡିଆ ଛକ ଠାରୁ ଡାହିବାଡି ହାଟ ପର୍ଯ୍ୟନ୍ତ ପ୍ରାୟ ୬୦୦ ମିଟର ଲମ୍ବର ରାସ୍ତା ଅତି ଶୋଚନୀୟ ହୋଇପଡିଛି । ଫଳରେ ଏହି ରାସ୍ତାରେ ଦେଇ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେବା ସହ ବାଇକ୍ ଆରୋହୀ ମଧ୍ୟ ରାସ୍ତାରେ ଯିବା କଷ୍ଟକର ହୋଇପଡିଛି । ଏହି ରାସ୍ତା ପାର୍ଶ୍ୱରେ ଜିଲ୍ଲାର ଅନ୍ୟତମ ବ୍ୟସ୍ତବହୁଳ ଡାହିବାଡି ସାପ୍ତାହିକ ହାଟ ସପ୍ତାହର ବୁଧବାର ଓ ଶନିବାର ଅନୁଷ୍ଠିତ ହେଉଥିବାରୁ ପ୍ରାୟ କୋଡିଏ ହଜାରରୁ ଅଧିକ ଜନ ସମାଗମ ହୋଇଥାଏ । ମହାତ୍ମାଗାନ୍ଧୀ ମହାବିଦ୍ୟାଳୟ ମଧ୍ୟ ରାସ୍ତାର ଅନତି ଦୂରରେ । ରାସ୍ତାର ଦୁରାବସ୍ଥା ପାଇଁ ଅଧିକାଂଶ ସମୟରେ ଛୋଟ ବଡ ଦୁର୍ଘଟଣା ଘଟି ଚାଲିଛି । ପ୍ରାୟ ୧୫ ବର୍ଷ ତଳେ ତତ୍କାଳୀନ ବୈଶିଙ୍ଗା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରମିଳା ଗିରିଙ୍କ ହାତ ପାଣ୍ଠି ଅର୍ଥରୁ ପାଞ୍ଚ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ଏହି ରାସ୍ତାର ଅଧା ରାସ୍ତା କଂକ୍ରିଟ୍ ହୋଇଥିବାବେଳେ ଆଉ ଅଦେ୍ର୍ଧକ କେବଳ ମେଟାଲିଂ ହୋଇଥିଲା । ଏବେ କଂକ୍ରିଟ ନଷ୍ଟ ହୋଇ ବାକି ରାସ୍ତାଟିରେ ମେଟାଲ୍ ଉଠିଯାଇ କେବଳ କାଦୁଅ ପାଲଟିଯାଇଛି । ତେଣୁ ଏହି ରାସ୍ତାଟିର ପୁନଃ ନିର୍ମାଣ ଅତ୍ୟନ୍ତ ଜରୁରୀ ହୋଇପଡିଛି । ଏ ନେଇ ବେତନଟୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ ସେ ଖୁବ୍ଶୀଘ୍ର ବିଭାଗୀୟ ଇଞ୍ଜିନିୟରଙ୍କୁ ପଠାଇ ରାସ୍ତାର ସର୍ଭେ କରାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।