ବ୍ୟକ୍ତିଗତ ଜମିରେ ରାସ୍ତା କରିଦେଲା ଆରଡି ବିଭାଗ

 ବିଞ୍ଝାରପୁର:  ଗ୍ରାମ୍ୟ ଉନ୍ନୟନ ବିଭାଗ ବିଞ୍ଝାରପୁର ବ୍ୟକ୍ତିଗତ ଜମିରେ ରାସ୍ତା ନିର୍ମାଣ କରିଥିବାର ହୋଇଛି ଅଭିଯୋଗ । ଅଭିଯୋଗ କଲେବି ଜମି ମାଲିକଙ୍କୁ ନ୍ୟାୟ ମିଳୁନଥିବା ବେଳେ, କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯାଉନଥିବା ହୋଇଛି ଅଭିଯୋଗ । ବିଞ୍ଝାରପୁର ବ୍ଲକ୍ ଅନ୍ତର୍ଗତ ଶାସନ ପଡା ଠାରୁ ମନ୍ଦାର ଖଣ୍ଡ ୧-ସିସି କେବଳ ବନ୍ଧ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗର ମଙ୍ଗଳପୁର ଉପଖଣ୍ଡ ଅଧିନରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । କିନ୍ତୁ ଏହି ରାସ୍ତା ନିର୍ମାଣ କାର୍ଯ୍ୟ କେନାଲ ବନ୍ଧ ସମେତ ବ୍ୟକ୍ତିଗତ ଜାଗା ଉପରେ ନିର୍ମାଣ ହୋଇଛି । ଶାସନ ପଡା ଗ୍ରାମର ପ୍ରଫୁଲ୍ଲ ନାଥଙ୍କ ବନ୍ଧକୁ ଲାଗି ଥିବା ପାଖାପାଖି ୪ ଗୁଣ୍ଠ ଜମି ରାସ୍ତା ନିର୍ମାଣରେ ତାଙ୍କ ବିନା ଅନୁମତିରେ ବ୍ୟବହୃତ ହେଇଥିବା ସେ ଅଭିଯୋଗ କରିଛନ୍ତି । ବାରମ୍ବାର ଏବିଷୟରେ ବିଭାଗୀୟ ଯନ୍ତ୍ରୀ, ଗ୍ରାମ୍ୟ ନିର୍ମାଣ ବିଭାଗର ଉପଖଣ୍ଡ ଅଧିକାରୀ ଏବଂ ସଂପୃକ୍ତ ଠିକାଦାରଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳୁ ନଥିବା ସେ ଅଭିଯୋଗ କରିଛନ୍ତି । ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।