ବାରହା ଆକ୍ରମଣରେ ବୃଦ୍ଧା ମୃତ; ୨ଆହତ
କବାଟବନ୍ଧ: ଜେନାପୁର ଥାନା ଅନ୍ତର୍ଗତ ରେଖିଦେଇପୁର ଗ୍ରାମରେ ଜଙ୍ଗଲୀ ବାରହା ଆକ୍ରମଣରେ ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି । ମୃତ ବୃଦ୍ଧା ରଖିଦେଇପୁର ଗ୍ରାମର ସୀତା ମଳିକ (୭୦) ହୋଇଥିବା ବେଳେ ଆହତ ଗ୍ରାମର କୀର୍ତନ ସାହୁଙ୍କ ପୁଅ ପବିତ୍ର (୪୨) ଏବଂ ରଥ ମଲ୍ଲିକଙ୍କ ପୁଅ ରଞ୍ଜନ ହୋଇଥିବା ବେଳେ ଉଭୟଙ୍କୁ ପରିବାର ଲୋକ ଧର୍ମଶାଳା ମେଡିକାଲକୁ ଚିକିତ୍ସା ନିମନ୍ତେ ପଠାଇଥିବା ଜଣାପଡିଛି । ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ସୀତାଙ୍କୁ ମୃତ ଘୋଷଣା କରିଛନ୍ତି । ପବିତ୍ର ଅଧିକ ଗୁରୁତ୍ୱଥିବାରୁ ଅଧିକ ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ କଟକ ମେଡିକାଲ ସ୍ଥାନ୍ତାରିତ କରିଥିବା ଜଣାପଡିଛି । ଖବରପାଇଁ କଟକ ଏସିଏଫ ସନ୍ତୋଷ କୁମାର ପତି, ଜେନାପୁର ଥାନା ଏସଆଇ ରଞ୍ଜନ ବେହେରା ବୈରୀ ରେଞ୍ଜର ଆଦିତ୍ୟ କୁମାର ପ୍ରଧାନ, ଗଡ଼ମଧୁପୁର ବନପାଳ ଚିତରଞ୍ଜନ ବିଶ୍ୱାଳ, ଇସ୍ପିତ ରାୟ ନାୟକ, ସ୍କ୍ୱାଡ଼ ସମ୍ବିତ ରାଉତ, ଏସକେ ଜାବିର, ରାକେଶ ମହାନ୍ତି, ଚଣ୍ଡିଖୋଲ ବନବିଭାଗ କର୍ମଚାରୀ ସାମିଲ ସହିତ ଦୁଇଗୋଟି ଟ୍ରାକ୍ଟର, ଗୋଟିଏ ଜେସିବ ବାରହା ଘଉଡ଼ାଇବା ସାହାଯ୍ୟରେ ନିୟୋଜିତ ରହିଛନ୍ତି । ଖବର ଲେଖା ହେବାପର୍ଯନ୍ତ ସମସ୍ତ ଅଂଚଳକୁ ତନତନ କରି ୭ଘଂଟାରୁ ଉର୍ଦ୍ଧ ସମୟ ଖୋଜାଖୋଜି କରିବା ପରେ ବାରହାର କୌଣସି ସନ୍ଧାନ ମିଳିପାରିନାହିଁ । ମୃତ ବୃଦ୍ଧାଙ୍କ ପରିବାରକୁ କ୍ଷତିପୂରଣ ଦେବା ସହିତ ଆହତଙ୍କର ଚିକିତ୍ସା ଖର୍ଚ୍ଚ ବହନ କରିବା ପାଇଁ ଏସିଏଫ ପ୍ରତିଶୃତି ଦେଇଛନ୍ତି ।