ଗାଡ଼ି ଧକ୍କାରେ ବସ୍ ମାଲିକ ମୃତ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ଗାନ୍ଧି ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ମା’ ସୁନାପ୍ରତିମା ଗାଡିର ମାଲିକ ତ୍ରିଲୋଚନ ପ୍ରଧାନ । ସୂଚନା ଅନୁସାରେ ଫୁଲବାଣୀର ସୁନାପ୍ରତିମା ଗାଡି ବୌଦ୍ଧ ମୁଖେ ଯିବା ପାଇଁ ରାସ୍ତାର ବାମ ପାର୍ଶ୍ୱରେ ଠିଆ ହୋଇଥିଲା । ଇତି ମଧ୍ୟରେ ନିଜ ଗାଡିରେ ଗ୍ରାହକଙ୍କୁ ଅପେକ୍ଷା କରି ନିଜ ଗାଡ଼ି ସମ୍ମୁଖରେ ଗାଡି ମାଲିକ ତ୍ରିଲୋଚନ ପ୍ରଧାନ ଠିଆ ହୋଇ ଥିବାବେଳେ ଦ୍ରୁତ ଗତିରେ ବିପରୀତ ଦିଗରୁ ଏକ କୁକୁଡ଼ା ଗାଡି ( ଓଡି୧୨-ବି-୬୫୮୨) ସୁନାପ୍ରତିମା ଗାଡି ମାଲିକକୁ ଧକ୍କା ଦେଇଥିଲା । ଫଳରେ ଗାଡି ମାଲିକ ଗୁରୁତର ହେବାରୁ ସ୍ଥାନୀୟ ଲୋକଙ୍କ ଜରିଆରେ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିସôାଧିନ ଅବସ୍ଥାରେ ମୃତୁ୍ୟ ଘଟିଥିଲା । ଉକ୍ତ ଦୁର୍ଘଟଣାସ୍ଥଳରୁ ଡ୍ରାଇଭର ଗାଡି ଛାଡି ଫେରାର ହୋଇ ଯାଇଥିବାବେଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି ଜବତ କରି ଥାନାକୁ ଆଣି ତଦନ୍ତ ଚଳାଇଛି । ଏ ନେଇ ଫୁଲବାଣୀ ବସ୍ ମାଲିକ ସଂଘ ପକ୍ଷରୁ ସଭାପତି ଓ ସମ୍ପାଦକଙ୍କ ସମେତ ଅନ୍ୟ ସଦସ୍ୟମାନେ ଗଭୀର ଶୋକ ପ୍ରକାଶ କରିବା ସହ ଟ୍ରାଫିକ୍ ନିୟନ୍ତ୍ରଣ କଡ଼ାକଡି କରିବା ପାଇଁ ମଧ୍ୟ ଦାବି କରିଛନ୍ତି ।