ଦେଶର ସୁରକ୍ଷା ସହିତ ସାଲିସ୍ କରିବୁ ନାହିଁ: ମୋଦି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟର କେଭାଡିଆ ଠାରେ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ସେ କହିଥିଲେ ଯେ, ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ହେଉଛି ଏକ ଐତିହାସିକ ଅବସର । ସେ ଦେଶବ୍ୟାପୀ ଏକତା ଦୌଡ଼ ଏବଂ ଏଥିରେ କୋଟି କୋଟି ଭାରତୀୟଙ୍କ ଉତ୍ସାହୀ ଅଂଶଗ୍ରହଣ ଉପରେ ଆଲୋକପାତ କରିଥିଲେ । ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଏକ ସ୍ମାରକୀ ମୁଦ୍ରା ଓ ଏକ ସ୍ୱତନ୍ତ୍ର ଡାକ ଟିକେଟ ଜାରି କରାଯାଇଛି ।
ସେ ମନେ ପକାଇଥିଲେ ଯେ, ସ୍ୱାଧୀନତା ପରେ ସର୍ଦ୍ଦାର ପଟେଲ କିପରି ୫୫୦ରୁ ଅଧିକ ଗଡ଼ଜାତ ରାଜ୍ୟକୁ ଏକୀକୃତ କରିବାର ଅସମ୍ଭବ କାର୍ଯ୍ୟକୁ ସଫଳ କରିଥିଲେ । ସର୍ଦ୍ଦାର ପଟେଲଙ୍କ ପାଇଁ ‘ଏକ ଭାରତ, ଶ୍ରେଷ୍ଠ ଭାରତ'ର ଧାରଣା ସର୍ବୋପରି ଥିଲା । ଏହି କାରଣରୁ ସର୍ଦ୍ଦାର ପଟେଲଙ୍କ ଜନ୍ମବାର୍ଷିକୀ ସ୍ୱାଭାବିକ ଭାବରେ ଜାତୀୟ ଏକତାର ଏକ ମହାନ ପର୍ବ ପାଲଟିଛି । ସେ ଦୃଢ଼ ଭାବରେ କହିଥିଲେ ଯେ ଭାରତର ପ୍ରତିକ୍ରିୟା ସର୍ବଦା ଶକ୍ତିଶାଳୀ ଏବଂ ନିର୍ଣ୍ଣାୟକ । ଏହା ଭାରତର ଶତ୍ରୁମାନଙ୍କ ପାଇଁ ଏକ ବାର୍ତ୍ତା - ଏହା ଲୌହ ପୁରୁଷ ସର୍ଦ୍ଦାର ପଟେଲଙ୍କ ଭାରତ ଏବଂ ଏହା କେବେ ବି ଏହାର ସୁରକ୍ଷା ଏବଂ ସମ୍ମାନ ସହିତ ସାଲିସ କରିବ ନାହିଁ । ଜାତୀୟ ସୁରକ୍ଷା କ୍ଷେତ୍ରରେ, ଗତ ଏଗାର ବର୍ଷ ମଧ୍ୟରେ ଭାରତର ସର୍ବବୃହତ ସଫଳତା ହେଉଛି ନକ୍ସଲ- ମାଓବାଦୀ ଆତଙ୍କବାଦର ମେରୁଦଣ୍ଡ ଭାଙ୍ଗିବା’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଆଜି ଦେଶର ଏକତା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ଅନୁପ୍ରବେଶକାରୀଙ୍କ ଦ୍ୱାରା ଏକ ଗୁରୁତର ବିପଦର ସମ୍ମୁଖୀନ ହେଉଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ, ପ୍ରଥମ ଥର ପାଇଁ, ଦେଶ ଏହି ପ୍ରମୁଖ ବିପଦ ସହିତ ନିର୍ଣ୍ଣାୟକ ଭାବରେ ଲଢ଼ିବାକୁ ସଂକଳ୍ପ ନେଇଛି । ପୂର୍ବ ସରକାରରେ ସୈନିକମାନଙ୍କୁ ମଧ୍ୟ ଉପଯୁକ୍ତ ସମ୍ମାନ ଦିଆ ଯାଉ ନଥିଲା ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜାତୀୟ ଯୁଦ୍ଧ ସ୍ମାରକୀ ପ୍ରତିଷ୍ଠା ସେମାନଙ୍କ ସ୍ମୃତିକୁ ଅମର କରିଦେଇଛି । ସେ ଉଲ୍ଲେଖ କରିଥିଲେ ଯେ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ୩୬,୦୦୦ କର୍ମଚାରୀ ନିଜ ଜୀବନ ବଳିଦାନ ଦେଇଛନ୍ତି, ଯେଉଁଥିରେ ପୋଲିସ, ବିଏସଏଫ, ଆଇଟିବିପି, ସିଆଇଏସଏଫ, ସିଆରପିଏଫ ଏବଂ ଅନ୍ୟାନ୍ୟ ଅର୍ଦ୍ଧସାମରିକ ବାହିନୀର ସଦସ୍ୟମାନେ ସାମିଲ ଅଛନ୍ତି, ଯେଉଁମାନଙ୍କର ବୀରତ୍ୱକୁ ବହୁ ଦିନ ଧରି ଉପଯୁକ୍ତ ସ୍ୱୀକୃତି ପ୍ରଦାନ କରାଯାଇ ନଥିଲା । ଶ୍ରୀ ମୋଦୀ ଦୃଢ଼ ଭାବରେ କହିଛନ୍ତି ଯେ ସେମାନଙ୍କ ସରକାର ସେହି ସହିଦମାନଙ୍କୁ ସମ୍ମାନ ଜଣାଇବା ପାଇଁ ପୋଲିସ ସ୍ମାରକୀ ନିର୍ମାଣ କରିଛି ।