ଝାଡ଼ଖଣ୍ଡ ଫଳକୁ ନେଇ ବିଜେଡ଼ି ଖୁସି
ଭୁବନେଶ୍ୱର : ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳକୁ ନେଇ ବିଜେଡ଼ି ବେଶ୍ ଖୁସି । ହେମନ୍ତ ସୋରେନଙ୍କ ନେତୃତ୍ୱରେ ଜେଏମଏମର ବିଜୟ ପରେ ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ଆଞ୍ଚଳିକ ଦଳ ଉପରେ ଲୋକଙ୍କ ଭରସା ଅକ୍ଷୂର୍ଣ୍ଣ ରହିଛି ବୋଲି ବିଜେଡ଼ି ପକ୍ଷରୁ କୁହାଯାଇଛି ।
ଜେଏମଏମକୁ ଗାଦିଚୁ୍ୟତ କରିବା ପାଇଁ ବିଜେପିର ପ୍ରାଣମୂର୍ଚ୍ଛା ଉଦ୍ୟମ ବିଫଳ ହୋଇଛି ବୋଲି ବିଜେଡି ମୁଖପାତ୍ର ଓ ମିଡ଼ିଆ ସଂଯୋଜକ ଡଃ ଲେନିନ ମହାନ୍ତି କହିଛନ୍ତି । ସେ କହିଛନ୍ତିଯେ, ଓଡ଼ିଶାର ବିଜେପି ନେତାମାନେ ଝାଡ଼ଖଣ୍ଡ ନିର୍ବାଚନ ପ୍ରଚାରରେ ଯେଉଁ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ, ସେଥିରେ ଭଟ୍ଟା ପଡିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଝାଡ଼ଝଣ୍ଡରେ ପ୍ରଚାର କରିଥିବା ବେଳେ ତାଙ୍କ ପ୍ରଚାରର କିଛି ପ୍ରଭାବ ପଡିନାହିଁ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଥିବାବେଳେ, ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଝାଡ଼ଖଣ୍ଡରେ ଥିଲେ । ବିଜେପିର ସମସ୍ତ ଉଦ୍ୟମ ସତ୍ତ୍ୱେ ଝାଡ଼ଖଣ୍ଡବାସୀ ଆଞ୍ଚଳିକ ଦଳର ସରକାର ଉପରେ ପୁନଃ ଆସ୍ଥା ପ୍ରକଟ କରିଛନ୍ତି ବୋଲି ବିଜେଡ଼ି କହିଛି ।