ଗୋପବନ୍ଧୁ ଆବେଦନରେ କଟକଣା ନିଷ୍ପତ୍ତିର ପୁନର୍ବିଚାର ପାଇଁ ଖଇରା ସାମ୍ବାଦିକ ସଂଘର ଦାବି
ଖଇରା : କାର୍ଯ୍ୟରତ କର୍ମଜୀବୀ ଖବରଦାତାଙ୍କ ପାଇଁ ପୁର୍ବରୁ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ପ୍ରଚଳନ ହୋଇ ଆସୁଥିଲା। ବିଜୁ ସ୍ୱାସ୍ଥ୍ୟକାର୍ଡ ଥିବା ସାମ୍ବାଦିକଙ୍କ ପାଇଁ ଆବେଦନରେ କୌଣସୀ କଟକଣା ନଥିଲା । ଗୋପବନ୍ଧୁ ସ୍ୱାସ୍ଥ୍ୟବୀମାରେ ମେଡିକାଲମାନେ ଉନ୍ନତମାନର ଚିକିତ୍ସା ପ୍ରଦାନ କରୁଥିବାରୁ ସାଧାରଣତଃ ସାମ୍ବାଦିକମାନେ ଏହି କାର୍ଡ ଉପରେ ଯଥେଷ୍ଟ ଭରସା କରିଥାନ୍ତି। ହେଲେ ବିଜେପି ସରକାର ଆସିବା ପରେ ଆୟୁଷ୍ମାନ କାର୍ଡ ଥିବା ସାମ୍ବାଦିକଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମାରେ ଆବେଦନ ଉପରେ କଟକଣା ଲଗାଇଥିବାରୁ ଗ୍ରାମାଞ୍ଚଳରେ କାର୍ଯ୍ୟକରୁଥିବା ଗଣମାଧ୍ୟମ ପ୍ରତିନିଧୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।
ଏ ସମ୍ପର୍କରେ ଖଇରା ସାମ୍ବାଦିକ ସଂଘର ଏକ ପ୍ରତିବାଦ ବୈଠକ ଗୁରୁବାର ଅପରାହ୍ନରେ ଖଇରା ସାମ୍ବାଦିକ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ଉପଦେଷ୍ଟା ଅନାମ ଚରଣ ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାରେ ବରିଷ୍ଠ ସାମ୍ବାଦିକ କୈଳାସ ଚନ୍ଦ୍ର ଦାସ, ଉପସଭାପତି ତପୋଧନ ବାରିକ, ସଭାପତି ଉକ୍ରଳବନ୍ଧୁ ପଣ୍ଡା ବକ୍ତବ୍ୟରେ ସରକାର ଗଣମାଧ୍ୟମ ପ୍ରତିନିଧିଙ୍କୁ କ୍ରମାଗତ ଅବହେଳା କରିଆସୁଥିବା ବେଳେ ସ୍ୱାସ୍ଥ୍ୟବୀମା କେବଳ ଏକ ସ୍ୱାନ୍ତନା ଥିଲା । ହେଲେ ବିଜେପି ସରକାରଙ୍କ ଏହି ଯୋଜନା ଲାଗୁ ଉପରେ ଚଳିତ ବର୍ଷ କଟକଣା ଦୁର୍ଭାଗ୍ୟଜନକ ବୋଲି ପ୍ରକାଶ କରିଥିଲେ। ସେହିଭଳି ସମ୍ପାଦକ ବଳରାମ ଲେଙ୍କା, ବରିଷ୍ଠ ସଭ୍ୟ ଛାୟାକାନ୍ତ ମହାନ୍ତି, ଉମେଶ ଜେନା, ସଞ୍ଜୟ ବେହେରା, ଛାୟାକାନ୍ତ ମହାନ୍ତି ପ୍ରମୁଖ ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାବି କରିଥିଲେ ।