ପ୍ରାଣୀ ସହାୟକ କେନ୍ଦ୍ରରେ ଅଚଳାବସ୍ଥା
ଖଇରା: ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ହରିପୁର ପ୍ରାଣୀ ସହାୟକ କେନ୍ଦ୍ରର ନିରୀକ୍ଷକ କମଳାକାନ୍ତ ମଲ୍ଲିକଙ୍କ ୨ମାସ ତଳୁ ଅନ୍ୟତ୍ର ବଦଳି ହୋଇଥିଲେ ହେଁ ସେ ଦାୟିତ୍ୱ ହସ୍ତାନ୍ତର କରୁନାହାଁନ୍ତି କି ଜାଗା ଛାଡୁ ନାହାଁନ୍ତି । ଏଣୁ ୨ମାସ ହେଲା କେନ୍ଦ୍ରରେ ଅଚଳାବସ୍ଥା ଦେଖାଦେଇଛି । କେନ୍ଦ୍ରରେ ୨ମାସ ଧରି ତାଲା ପଡିଥିବା କାରଣରୁ ପ୍ରତ୍ୟେକ ଦିନ ଗୃହପାଳିତ ପଶୁଙ୍କ ଚିକିତ୍ସା ସମ୍ବନ୍ଧରେ ବୁଝିବା ପାଇଁ ଆସୁଥିବା ବହୁ ସଂଖ୍ୟାର ଲୋକେ ନିରାଶ ହୋଇ ଘରକୁ ଫେରୁଛନ୍ତି । ଏ ସମ୍ପର୍କରେ ତୁରନ୍ତ ନିଷ୍ପତ୍ତି ନେବାକୁ ଶହଶହ ସଂଖ୍ୟାର ଲୋକେ ଦାବି କରିଛନ୍ତି । ରାଜ୍ୟ ପ୍ରାଣିସମ୍ପଦ ବିଭାଗ ନିଦେ୍ର୍ଦଶକଙ୍କ ଚିଠି ଅନୁଯାୟୀ ହରିପୁର ପ୍ରାଣୀ ସହାୟକ କେନ୍ଦ୍ରର ନିରୀକ୍ଷକଙ୍କୁ ଜିଲ୍ଲାର ଅନ୍ୟଏକ ସ୍ଥାନକୁ ବଦଳି ହୋଇଥିଲା । ତାଙ୍କ ସ୍ଥାନରେ ସହାୟକ କେନ୍ଦ୍ରର ନିରିକ୍ଷକଙ୍କୁ ହରିପୁର କେନ୍ଦ୍ରର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ହେଲେ ହରିପୁର କେନ୍ଦ୍ରର ନିରିକ୍ଷକ ଏ ପର୍ଯ୍ୟନ୍ତ ବଦଳି ଆଦେଶକୁ ମାନୁନହାଁନ୍ତି । ଯାହା ଫଳରେ ଏବେ ୨ମାସ ଧରି କେନ୍ଦ୍ର ବନ୍ଦ ହୋଇ ପଡିଛି । ଏଭଳି ଅଚଳାବସ୍ଥାକୁ ନେଇ ପ୍ରାଣୀପାଳକମାନେ ବଦଳି କରିଥିବା ଅଧିକାରୀଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ରଞ୍ଜନ ଦାସଙ୍କୁ ଯୋଗାଯୋଗ କରିବାରେ ଖୁବଶିଘ୍ର ଏହା ଉପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ ।