ଗୋଚର ଜମିରୁ କାଟି ନେଲେ ଶହ ଶହ ଗଛ
କେନ୍ଦୁଝର : କେନ୍ଦୁଝର ବନଖଣ୍ଡ ଘଟଗାଁ ରେଞ୍ଜ ତରା ଗ୍ରାମରୁ କାଠ ମାଫିଆମାନେ ଶହ ଶହ ସଂଖ୍ୟାରେ ୟୁକାଲିପଟାସ ଗଛ କାଟି ନେଇଛନ୍ତି । ତରା ରାଜସ୍ୱ ନୀରିକ୍ଷକ ଅନ୍ତର୍ଗତ ତରା ଗ୍ରାମର ଖାତା ନମ୍ବର ୨୪୬ ପ୍ଲଟ ନମ୍ବର ୬୬୦ର ୨୯ ଏକର ଗୋଚର ଜମିରୁ କାଠ ମାଫିଆମାନେ ଶହ ଶହ ସଂଖ୍ୟାରେ ୟୁକାଲିପଟାସ ଗଛ କାଟି ନେଇଛନ୍ତି ।
ଏ ନେଇ ଘଟଗାଁ ତହସିଲଦାରଙ୍କ ନିକଟରେ ଅଭିଯୋଗ ହେବା ପରେ ସେ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ତରା ରାଜସ୍ୱ ନୀରିକ୍ଷକଙ୍କ ଆଦେଶ କରିଥିଲେ । ତରା ରାଜସ୍ୱ ନୀରିକ୍ଷକ ଯାଂଚ କରିବା ପରେ ଏହା ଗୋଚର ଜମିରେ କଟାଯାଇଥିବା ନେଇ ତହସିଲଦାରଙ୍କୁ ରିପୋର୍ଟ କରିଥିଲେ । ଚିଠି ନମ୍ବର ୩୧୧୯ ତା ୨୦/୦୮/୨୦୨୫ରେ ତହସିଲଦାର ତୁରନ୍ତ କାଠ ଜବତ୍ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଘଟଣା ରେଞ୍ଜରଙ୍କୁ ଚିଠି କରିଛନ୍ତି । ଘଟଗାଁ ରେଞ୍ଜ ବାଲିପୋଖରି ବିଟ୍ ଅଂଚଳରେ ଏହି ବେଆଇନ ଗଛ କଟା ଚାଲିଥିଲେ ହେଁ ବନ ବିଭାଗ ମାଫିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ଏ ନେଇ ବାଲିପୋଖରି ବିଟ୍ର ବନରକ୍ଷୀ ଯାଜ୍ଞସେନୀ ଗୋଚ୍ଛାୟତ ଙ୍କୁ ପଚାରିବାରୁ ସରକାରୀ ଜମିରେ ବେଆଇନ ୟୁକାଲିପଟାସ ଗଛ କଟାଯାଉଥିବା ଦେଖି ସେ ତୁରନ୍ତ ଢେଙ୍କିକୋଟ ସେକ୍ସନର ବନପାଳ ନଗେନ୍ଦ୍ର ଜେନାଙ୍କୁ ଅବଗତ କରିଥିଲେ । ତେବେ ବନପାଳ ଗଛ କାଟିବା ପାଇଁ ତରା ରାଜସ୍ୱ ନୀରିକ୍ଷକ ରମାକାନ୍ତ ମହାନ୍ତ ସେମାନଙ୍କୁ ଅନୁମତି ଦେଇଥିବା କଥା କହିଥିଲେ । ତେବେ ତହସିଲଦାରଙ୍କ ଚିଠି ପରେ ବେଆଇନ ଭାବେ ଗଛ କଟାଯାଉଥିବା ସେ ଜାଣିବାକୁ ପାଇଥିଲେ । ଏ ନେଇ ଘଟଗାଁ ରେଞ୍ଜର ସରୋଜ କୁମାର ମିଶ୍ରଙ୍କ ପଚାରିବାରୁ ୟୁକାଲିପଟାସ କାଠ ଗଣ୍ଡ ଜବତ୍ କରାଯାଇ ମାମଲା ରୁଜୁ କରାଯାଇଛି । କାଠ ମାଫିଆ ଏବଂ ସେମାନଙ୍କୁ ସହଯୋଗ କରିଥିବା ଲୋକଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ।