ଗୋପାଲପାଲି ଓ ତବଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜାତୀୟ ପ୍ରମାଣପତ୍ର

  ସମ୍ବଲପୁର :  ସମ୍ବଲପୁରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଜାତୀୟ ଗୁଣବତ୍ତା ନିଶ୍ଚିନ୍ତତା ମାନକ (ଏନ୍କୁ୍ୟଏଏସ) ପ୍ରମାଣପତ୍ର ପ୍ରଦାନ କରାଯାଇଛି । କୁଚିଣ୍ଡା ବ୍ଲକର ଗୋପାଳପାଳି ଉପସ୍ୱାସ୍ଥ୍ୟ କେନ୍ଦ୍ର ଓ ମାନେଶ୍ୱର ବ୍ଲକର ତବଲା ଉପସ୍ୱାସ୍ଥ୍ୟ କେନ୍ଦ୍ରକୁ ଏହି ସମ୍ମାନ ମିଳିଛି । ଉଲ୍ଲେଖ ଯେ, ଏହି ସାର୍ଟିଫିକେଟ ସାତଟି ବିଭାଗରେ ଉତ୍ତମ ପ୍ରଦର୍ଶନ କଲେ ମିଳିଥାଏ । ବିଶେଷ କରି ଉତ୍ତମ ରୋଗୀ ସେବା, ପରିଷ୍କାର ପରିଚ୍ଛନ୍ନତା ଓ ଜୈବବସ୍ତୁ ପରିଚାଳନାକୁ ତର୍ଜମା କରାଯାଇଥାଏ । ଏହାକୁ ପରୀକ୍ଷା କରିବାକୁ ପ୍ରଥମେ ରାଜ୍ୟସ୍ତରୀୟ ଦଳ ଆସିଥାନ୍ତି ଓ ସେଥିରୁ ଉତ୍ତୀର୍ଣ୍ଣ ହେଲେ ଜାତୀୟସ୍ତର ଦଳ ଆସିଥାନ୍ତି । ଏ ନେଇ ଗତ ମାସ ଜାତୀୟ ଅନୁଧ୍ୟାନକାରୀ ଦଳ ଆସି ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ । ଏମାନଙ୍କ ରିପୋର୍ଟ ଆଧାରରେ ଏହି ସାର୍ଟିଫିକେଟ ପାଇବା ପାଇଁ ଗୋପାଲପାଲି ଉପ ସ୍ୱାସ୍ଥ୍ୟକେନ୍ଦ୍ରର ସିଏଚଓ ଓ ଏମପିଏଚଡବ୍ଲୁ(ଏଫ୍) ମାନେଶ୍ୱର ବ୍ଲକର ତବଲା ଉପସ୍ୱାସ୍ଥ୍ୟ କେନ୍ଦ୍ର ସିଏଚ୍ଓ ଅକ୍ଲାନ୍ତ ପରିଶ୍ରମ କରିଥିଲେ । ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଓ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ସ୍ୱାସ୍ଥ୍ୟ ବିଭାଗର ଗୋଷ୍ଠୀ ଓ ଜିଲ୍ଲାସ୍ତରୀୟ ସମସ୍ତ କର୍ମକର୍ତ୍ତା ଏବଂ ଅନ୍ୟ ନିର୍ମାଣ ବିଭାଗ ସହଯୋଗ କରିଥିଲେ । ଏହି ସଫଳତା ପାଇଁ କ୍ୱାଲିଟି ମ୍ୟାନେଜେର ବୈଶାଳିନୀ ସାହୁ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ ।