ପାଠାଗାର ଶିଳାନ୍ୟାସ କଲେ ସାଂସଦ
ବାଲିପାଟଣା: ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି ଓ ଯୁବକଯୁବତୀଙ୍କ ମଧ୍ୟରେ ଦକ୍ଷତାର ବିକାଶ ପାଇଁ ରବିବାର ପୂର୍ବାହ୍ନରେ ବାଲିପାଟଣା ଠାରେ ଏକ ପାଠାଗାର ଓ ପ୍ରଶିକ୍ଷଣ କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି ପ୍ରତିଷ୍ଠାନର ସ୍ଥାପନା ଏକ ଅଭିନବ ପ୍ରୟାସ ଏବଂ ପ୍ରତି ପଞ୍ଚାୟତରେ ସାଂସଦ ପାଣ୍ଠିରୁ ୧୫ ଲକ୍ଷ ଟଙ୍କା ବ୍ୟୟରେ ପାଠାଗାର ସ୍ଥାପନା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି ସୂଚନା ଦେଇଥିଲେ । ଛାତ୍ରଛାତ୍ରୀମାନେ ଆଗାମୀ ଦିନରେ ଏହି ସ୍ଥାନରୁ ମାଗଣାରେ ପ୍ରଶିକ୍ଷିତ ହୋଇ ବହୁ ଉଚ୍ଚ ପଦବୀରେ ନିଯୁକ୍ତି ପାଇଁ ସୁଯୋଗ ପାଇ ପାରିବେ ବୋଲି ସେ କହିଥିଲେ । ଏହି ପ୍ରକଳ୍ପ ପାଇଁ ସାଂସଦଙ୍କ ପାଣ୍ଠିରୁ ୩୦ ଲକ୍ଷ ଟଙ୍କା ସହିତ ଜିଲ୍ଲା ଖଣିଜ ପାଣ୍ଠିରୁ ୧୦ଲକ୍ଷ,ଏମଜିନରେଗାରୁ ୫ ଲକ୍ଷ, ୫ମ ରାଜ୍ୟ ଅର୍ଥ କମିଶନରୁ ୫ ଲକ୍ଷ ଓ ଏସବିଏମ୍ ପାଣ୍ଠିରୁ ୩ ଲକ୍ଷ ମୋଟ ୫୩ ଲକ୍ଷ ଟଙ୍କାର ଅଟକଳ ମୂଲ୍ୟ ରହିଛି । ଆବଶ୍ୟକ ହେଲେ ଅଧିକ ଅର୍ଥ ଯୋଗାଇ ଦିଆଯିବ ବୋଲି ସାଂସଦ ପ୍ରତିଶ୍ରୁତି ଦେଇଥିଲେ । ପୂର୍ବତନ ପ୍ରଶାସନିକ ଅଧିକାରୀ ଅଶୋକ ପଟ୍ଟନାୟକଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ବିଡ଼ିଓ ତଥା ତହସିଲଦାର କଳ୍ପନା ଦାସ ଯୋଜନାର ରୂପରେଖ ଉପସ୍ଥାପନା କରିଥିଲେ । ଆୟୋଜକ ତାପସ ଜେନା ଓ ପ୍ରେସ କ୍ଲବ୍ ସଭାପତି ଦିଲ୍ଲୀପ କୁମାର ଓଝା ପ୍ରକଳ୍ପର ସଫଳତା କାମନା କରି ଅଭିଭାଷଣ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଶିକ୍ଷା ଅଧିକାରୀ ଡ. ପ୍ରଭାତ କୁମାର ରଥ, ଡ. ଜ୍ୟୋତିର୍ମୟ ନାୟକ, ସାଂସଦଙ୍କ ପ୍ରତିନିଧି ଦ୍ୱାରିକାନାଥ ଚୌଧୁରୀ, ନାରାୟଣ ଖୁଣ୍ଟିଆ, ଶଶିଭୂଷଣ ପାତ୍ର, ବିଜୟ ମହାରଣା, ମାଗୁଣି ସେଠୀ, ଶିବ ମଲ୍ଲିକ ପ୍ରମୁଖ ମଞ୍ଚାସୀନ ଥିଲେ । ତହସିଲ, ବ୍ଲକ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କ ସହିତ ଶତାଧିକ ମହିଳା ଓ ସ୍ଥାନୀୟ ଜନସାଧାରଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।