ବିଚ ରାସ୍ତାରେ ଗୋଡାଇ ଯୁବକଙ୍କୁ ହତ୍ୟା

 ।ା ପ୍ରଭାନୁ୍ୟଜ୍ ।ା ସମ୍ବଲପୁର: ସମ୍ବଲପୁରରେ ଯୁବକଙ୍କୁ ଗୋଡାଇ ଗୋଡାଇ ହତ୍ୟା କରାଯାଇଛି । ଦୁର୍ବୃତ୍ତମାନେ ଦଳବଦ୍ଧ ଭାବରେ ଆସି ଉକ୍ତ ଯୁବକଙ୍କୁ  ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି । ମୃତ ଯୁବକଙ୍କ ନାମ ସୋନି ଷଣ୍ଢ  । ସେ ମଧ୍ୟ ଠେଲକୋପଡାର ବାସିନ୍ଦା । ତାଙ୍କ ସାନ ଭାଇ ସାମ୍ନାରେ ସାନିକୁ ଆକ୍ରମଣ କରାଯାଇଥିଲା  । ଧାରୁଆ ଅସ୍ତ୍ର ବ୍ୟବହାର କରି ତାଙ୍କୁ ଆକ୍ରମଣ କରାଯିବାରୁ କେହି ପ୍ରତିରୋଧ ପାଇଁ ପାଖକୁ ଆସି ନଥିଲେ  । ଦୁର୍ବୃତ୍ତମାନେ ଘଟଣା ସ୍ଥଳରୁ ଫେରାର ହେବା ପରେ ସୋନି ହସ୍ପିଟାଲ ସ୍ଥାନାନ୍ତର ହୋଇଥିଲେ  । ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା  । ଟାଉନଥାନା ଅନ୍ତର୍ଗତ ଠେଲକୋପଡ଼ା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି । ଦିନ ଦ୍ୱିପ୍ରହରରେ ଏହି ହତ୍ୟାକାଣ୍ଡ ସଂଘଟିତ ହୋଇଥିଲା  । ଫଳରେ ମୁଦିପଡାରୁ ହସ୍ପିଟାଲକୁ ସଂଯୋଗ କରୁଥିବା ବ୍ୟସ୍ତପୂର୍ଣ୍ଣ ରାସ୍ତାରେ ଆତଙ୍କ ସୃଷ୍ଟି ହୋଇଥିଲା । କ’ଣ ପାଇଁ ଯୁବକଙ୍କୁ ହତ୍ୟା କରାଗଲା ତାହାର କାରଣ ଜଣାପଡ଼ିନାହିଁ । ହେଲେ ଆଜି ପୂର୍ବାହ୍ନରେ ସୋନି ଏବଂ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣଙ୍କ ସହିତ ଝଗଡା ହୋଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଚଳାଇଛି । ସୋନିର ସାନଭାଇର ସୂଚନା ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି ବୋଲି ସଦର ଏସଡିପିଓ ତୋଫାନ ବାଗ କହିଛନ୍ତି । ହତ୍ୟାକାଣ୍ଡ ପରେ ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଧରିବାକୁ ପୁଲିସ ଉଦ୍ୟମ ଚଳାଇଛି । ପୁଲିସ ଘଟଣା ସଂକ୍ରାନ୍ତରେ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚୁରା କରି କେତେଜଣଙ୍କୁ ଥାନାକୁ ନେଇଥିବା ପ୍ରକାଶ । ଘଟଣା ପରେ ଠେଲକୋପଡାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି  ।