ଗୌହାଟୀ ରାଜଭବନରେ ବ୍ରହ୍ମପୁତ୍ର ୱିଙ୍ଗର ଉଦ୍ଘାଟନ  ଇତିହାସରେ ମୋଦି ସରକାରଙ୍କ କାର୍ଯ୍ୟକାଳ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହେବ:ଶାହ

 ଭୁବନେଶ୍ୱର : କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଆସାମର ଗୌହାଟୀ ରାଜଭବନରେ ବ୍ରହ୍ମପୁତ୍ର ୱିଙ୍ଗର ଉଦଘାଟନ କରିଛନ୍ତି ଏବଂ ଭର୍ଚୁଆଲ ମୋଡରେ ୩୨୨ କୋଟି ଟଙ୍କା ମୂଲ୍ୟର ଆଠଟି ପ୍ରକଳ୍ପର ଉଦଘାଟନ କରିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ଆସାମର ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ, ମୁଖ୍ୟମନ୍ତ୍ରୀ ଡ. ହିମନ୍ତ ବିଶ୍ୱ ଶର୍ମା ଏବଂ କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ବିଭିନ୍ନ ଉତ୍ଥାନ-ପତନ ଏବଂ ହିଂସାତ୍ମକ ସଂଘର୍ଷ ସତ୍ତ୍ୱେ ଉତ୍ତର-ପୂର୍ବ ଏବେ ଶାନ୍ତି, ବିକାଶ ଏବଂ ବ୍ୟାପକ ଅଭିବୃଦ୍ଧି ଦିଗରେ ଅଗ୍ରସର ହେଉଛି । ଆସାମ ବଚାଓ ଆନେ୍ଦାଳନର ସଂଘର୍ଷ ସମୟରେ ଅନେକ ଯୁବକ ବଳିଦାନ ଦେଇଥିଲେ ଏବଂ ସେହି ସମୟରେ ଛାତ୍ରଛାତ୍ରୀମାନେ ଯେଉଁ ଦୂରଦୃଷ୍ଟି ସହିତ ଆନେ୍ଦଦାଳନର ନେତୃତ୍ୱ ନେଇଥିଲେ, ତାହା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଦ୍ୱାରା ସାକାର ହୋଇଛି । ଆସାମ ଆନେ୍ଦାଳନ ସମୟରେ ଯେଉଁ ଆସାମର ପରିକଳ୍ପନା କରାଯାଇଥିଲା, ତାହା କେବଳ ହାସଲ କରାଯାଇନାହିଁ, ବରଂ ଏହାକୁ ଅତିକ୍ରମ କରିଛି ଏବଂ ବିକାଶର ଏହି ଗତି ନିରବଚ୍ଛିନ୍ନ ଭାବେ ଜାରି ରହିବ ।  କେନ୍ଦ୍ର ଗୃହ ମନ୍ତ୍ରୀ ଆହୁରି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ ୧୧ ବର୍ଷ ମଧ୍ୟରେ ଉତ୍ତର-ପୂର୍ବାଞ୍ଚଳର ଅଭୂତପୂର୍ବ ବିକାଶ ଘଟିଛି । ଯେତେବେଳେ ବି ଉତ୍ତର-ପୂର୍ବର ଇତିହାସ ଲେଖାଯିବ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନର ଏହି ୧୧ ବର୍ଷର କାର୍ଯ୍ୟକାଳ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇଯିବ । ଗତ ୧୧ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଦେଶର ପ୍ରତ୍ୟେକ କ୍ଷେତ୍ରରେ ପରିବର୍ତ୍ତନ ଆଣିଛି । ଶାହ କହିଥିଲେ ଯେ, ଆଜିର କାର୍ଯ୍ୟକ୍ରମ ଅଧୀନରେ ୩୨୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଆଠଟି ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରାଯାଇଛି । ଦିଲ୍ଲୀ ପରେ ଆସାମର ଗୌହାଟୀରେ ଦ୍ୱିତୀୟ ଏନସିଏଫଏଲ ପ୍ରତିଷ୍ଠା କରାଯାଇଛି, ଯାହା ସମସ୍ତ ଆଠଟି ଉତ୍ତର-ପୂର୍ବ ରାଜ୍ୟର ନାଗରିକଙ୍କ ରୋଜଗାରକୁ ସୁରକ୍ଷିତ ରଖିବ । ଅଧିକନ୍ତୁ, ଯେଉଁମାନେ ନିଶାଦ୍ରବ୍ୟ, ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଏବଂ ଭାରତର ସୀମାରେ ଥିବା ଶୂନ୍ୟସ୍ଥାନର ଫାଇଦା ଉଠାଇ ଅନୁପ୍ରବେଶ ଉଦ୍ୟମ ପାଇଁ ଡାର୍କ ନେଟ ବ୍ୟବହାର କରନ୍ତି, ସେମାନଙ୍କ ମୁକାବିଲା କରି ଜାତୀୟ ସୁରକ୍ଷାକୁ ମଜବୁତ କରିବାରେ ଏନ ସିଏଫଏଲ ସହାୟକ ହେବ  । ୪୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଏବଂ ୩୩୦୦ ବର୍ଗ ମିଟରରୁ ଅଧିକ ଅଞ୍ଚଳରେ ନିର୍ମିତ ରାଜ ନିବାସର ବ୍ରହ୍ମପୁତ୍ର ୱିଙ୍ଗରେ ଅନେକ ସାମ୍ବିଧାନିକ କାର୍ଯ୍ୟକଳାପକୁ ସୁଚାରୁ ରୂପେ ଚଳାଇବା ପାଇଁ ସୁବିଧା ରହିବ । ସେ କହିଥିଲେ ଯେ ଏହି ସୁବିଧା ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ, କଳାକାର ଏବଂ ଗବେଷକମାନଙ୍କୁ ସ୍ୱୀକୃତି ପ୍ରଦାନ କରିବା ପାଇଁ ଏକ ସ୍ଥାନ ଭାବେ କାର୍ଯ୍ୟ କରିବ ବୋଲି ଶ୍ରୀ ଶାହ କହିଛନ୍ତି ।