ଗ୍ରାମବାସୀଙ୍କ ଦ୍ୱାରା ଅଟକ ବାଲି ଗାଡ଼ିକୁ ଛାଡିଦେଲେ

 ବ୍ରହ୍ମବରଦା : ରାଜ୍ୟ ସରକାର ବେଆଇନ ବାଲି ପରିବହନକୁ ଅଙ୍କୁଶ ଲଗାଇଛନ୍ତି । ଏନେଇ ପ୍ରତି ଥାନା ଓ ଖଣି ବିଭାଗ ତିକ୍ଷ୍ମ ନଜର ରଖିବା ସହିତ ବେଆଇନ ଘାଟ ଗୁଡିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିଦେ୍ର୍ଦଶ ରହିଛି । ହେଲେ ଚୋରା ବାଲି ମାଫିଆମାନେ ଏସବୁକୁ ଖାତିର ନକରି ସ୍ଥାନୀୟ ପୋଲିସ ଓ ଜିଲ୍ଲା ଖଣି ଅଧିକାରୀଙ୍କ ମିଲିଭଗତରେ ଦିନରାତି ବେଆଇନ ଭାବେ ବାଲି ଲୁଟୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଆଜି ଗ୍ରାମବାସୀ ଏହି ବାଲି ଘାଟରୁ ବେଆଇନ ବାଲି ବୋଝେଇ ଗାଡି ଗୁଡିକୁ ଅଟକ ରଖିବା ସହିତ ସ୍ଥାନୀୟ ପୁଲିସ ଜିମା ଦେଇଥିଲେ । ସୂଚନାଥାଉକି ୨୦୨୦/୨୧ମସିହାରେ ରସଲପୁର ତହସିଲ ଅଧିନ ମଙ୍ଗରାଜପୁର ପଞ୍ଚାୟତ ଲଙ୍କାବାଲିସାହି ବାଲିଘାଟକୁ ବାର୍ଷିକ ୪୭ଲକ୍ଷ ୩୫ ହଜାର ୬୫୮ଟଙ୍କାରେ ବାଲି ଉଠାଇବା ନେଇ ଅନୁମତି ଦିଆଯାଇଥିଲା । ଘାଟରୁ ମୁଖ୍ୟ ରାସ୍ତାକୁ ଆସିବା ପାଇଁ ସ୍ୱତନ୍ତ୍ର ରୁଟ ମ୍ୟାପର ବ୍ୟବସ୍ଥା କରାଯାଇଛି । ବାଲିଘାଟରୁ ସିଧା ଲଙ୍କାବାଲିସାହି ବାଲିଗୁଡା, ଜମାଳପୁର, ଖଣ୍ଡାସ ଗାଁ ମଧ୍ୟଦେଇ ବରୁଆଁ-ବାଲିଚନ୍ଦ୍ରପୁର ମୁଖ୍ୟ ରାସ୍ତାରେ ପଂହଚିବା ନେଇ ରୁଟମ୍ୟାପ ଦିଆଯାଇଛି । ହେଲେ ଠିକାଦାର ବେଆଇନ ଭାବେ ଧର୍ମଶାଳା ତହସିଲ ଅଧିନ ମଙ୍ଗଳପୁର ଅଞ୍ଚଳରୁ ବେଆଇନ ବାଲି ଉଠାଇ ବ୍ରହ୍ମବରଦା ସେତୁ ପାର୍ଶ୍ୱ ଦେଇ କିଛି ଚାଷୀଙ୍କ ଜମିକୁ ଜବର ଦଖଲ କରି ଗୁଳା ରାସ୍ତା ବନେଇ ବାଲି ଗାଡିଗୁଡିକୁ ବରୁଆଁ-ବାଲିଚନ୍ଦ୍ରପୁର ମୁଖ୍ୟରାସ୍ତାରେ ପହଁଚାଯାଉଛି । ଯାହା ଫଳରେ ଧର୍ମଶାଳା ବାସିନ୍ଦା ବାଲି ଠୁ ଆରମ୍ବ କରି ଚାଷଜମି,ରାସ୍ତାଘାଟ ସବୁଥିରେ କ୍ଷତି ସହୁଥିବା ବେଳେ ଗଢିଆ ପୋଖରୀ କରି ମାତ୍ରାଧିକ ବାଲି ଉଠାଇ ନେଉଥିବାରୁ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି । ଯାହାକୁ ନେଇ ଆଜି ଧର୍ମଶାଳା ବ୍ଲକ ଅଧିନ ମଙ୍ଗଳପୁର ପଞ୍ଚାୟତର ଗ୍ରାମବାସୀ ଏକତ୍ରିତ ହୋଇ ବାଲି ପରିବହନ କରୁଥିବା ୩ ଟି ଡମ୍ଫର ଓ ବାଲି ଉଠା ମେସିନକୁ ଅଟକ ରଖି ବ୍ରହ୍ମବରଦା ଥାନାକୁ ଜଣାଇଥିଲେ । ବ୍ରହ୍ମବରଦା ଥାନା ପକ୍ଷରୁ ଘଟଣା ସ୍ଥଳରେ ପହଁଚି ଗାଡି ଗୁଡିକୁ ଜବତ କରିଥିବା ଜଣାପଡିଛି । ପରେ ଜିଲ୍ଲା ଖଣି ବିଭାଗ ପକ୍ଷରୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ କଣ ନିଷ୍ପତ୍ତିି ନେଲେ ଯେ ଗାଡି ଗୁଡିକୁ ଛାଡି ଦିଆଯାଇଥିବା ଜଣାପଡିଛି । କିନ୍ତୁ ଅନ୍ୟ ପକ୍ଷରେ ଦିନରେ ବାଲି ପରିବହନ କରିବା ବେଆଇନ ହୋଇଥିଲେ ମଧ୍ୟ ଜିଲ୍ଲା ଖଣି ଅଧିକାରୀଙ୍କ ଉପସ୍ଥିତିରେ ଏସବୁ ଚାଲୁଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଓ ଗ୍ରାମବାସୀଙ୍କ ଦ୍ୱାରା ଅଟକ ଗାଡିକୁ ଛାଡିଦେବା ବିଭାଗୀୟ ଅଧିକାରୀମାନଙ୍କ କାର୍ଯ୍ୟଧାରା ଅନ୍ୟକିଛି ଇଙ୍ଗିତ କରୁଛି । ଏନେଇ ବ୍ରହ୍ମବରଦା ଥାନା ଆଇଆଇସି ଜୟନ୍ତୀ ମଲ୍ଲିକଙ୍କୁ ପଚାରିବାରୁ ଏବିଷୟରେ ଆମକୁ ନ ପଚାରି ଜିଲ୍ଲା ଖଣି ଅଧିକାରୀଙ୍କୁ ପଚାରନ୍ତୁ ବୋଲି ସେ କହିଥିଲେ ।