ଆଇପିଆରସିଏଲର ସିଜିଏମ୍ ଦାୟିତ୍ୱ ନେଲେ ମହେଶ

 ଭୁବନେଶ୍ୱର : ଭାରତୀୟ ପୋର୍ଟ ରେଲ୍ ଓ ରୋପୱେ କର୍ପୋରେସନ୍ ଲିମିଟେଡ୍ର ମୁଖ୍ୟ ମହାପ୍ରବନ୍ଧକ ଭାବେ ମହେଶ କୁମାର ବେହେରା ଦାୟିତ୍ୱ ନେଇଛନ୍ତି  । ସେ ନିକଟରେ ପୂର୍ବତଟ ରେଳପଥର ଅତିରିକ୍ତ ସାଧାରଣ ପ୍ରବନ୍ଧକ ଭାବରେ ଅବସର ନେଇଥିଲେ  । ଏବେ ସେ ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ଗାଲାକ୍ସିର ସଭାପତି ମଧ୍ୟ ଅଛନ୍ତି  । ଶ୍ରୀ ବେହେରା ୟୁନିଭର୍ସିଟି କଲେଜ ଅଫ୍ ଇଞ୍ଜିନିୟରିଂ ବୁର୍ଲା, ସମ୍ବଲପୁରରୁ ସିଭିଲ୍ ଇଞ୍ଜିନିୟରିଂରେ ସ୍ନାତକ କରିବା ପରେ ସାମୁଦ୍ରିକ ଇଞ୍ଜିନିୟରିଂରେ ଆଇଆଇଟି ମାଡ୍ରାସରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି  । ଗତ ତିନି ଦଶନ୍ଧି ଧରି ଭାରତୀୟ ରେଳବାଇରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି  ।
ଶ୍ରୀ ବେହେରା ପୂର୍ବତଟ ରେଳପଥରେ ଚିଫ୍ ବ୍ରିଜ୍ ଇଞ୍ଜିନିୟର ଏବଂ ଚିଫ୍ ଇଞ୍ଜିନିୟର (ବ୍ରିଜ୍ ପୁନର୍ବାସ) ଭଳି ପ୍ରମୁଖ ପଦବୀରେ କାର୍ଯ୍ୟ କରିଥିଲେ  । ଉଲ୍ଲେଖନୀୟ ଭୂମିକାରେ ସେ ରାଇଟ୍ସ, ଭୁବନେଶ୍ୱରରେ ଗ୍ରୁପ୍ ଜେନେରାଲ୍ ମ୍ୟାନେଜର ଏବଂ ପାଟନା ଏବଂ ମୁଙ୍ଗେରରେ ପୂର୍ବ କେନ୍ଦ୍ରୀୟ ରେଳ ଅଧୀନରେ ଥିବା ଗଙ୍ଗା ବ୍ରିଜ୍ ପ୍ରକଳ୍ପର ମୁଖ୍ୟ ଇଞ୍ଜିନିୟର (ନିର୍ମାଣ) ଭାବେ ବି କାର୍ଯ୍ୟ କରିଛନ୍ତି  ।  ଏହାଛଡ଼ା ସମ୍ବଲପୁର ରେଳ ମଣ୍ଡଳର ବରିଷ୍ଠ ମଣ୍ଡଳ ଯନ୍ତ୍ରୀ(ସମନ୍ୱୟ), ପୂର୍ବତଟ ରେଳପଥର ଉପମୁଖ୍ୟ ସତର୍କତା ଅଧିକାରୀ ଏବଂ ପୂର୍ବ ସୀମାନ୍ତ ରେଳପଥର ମୁଖ୍ୟ ଇଞ୍ଜିନିୟର (ନିର୍ମାଣ) ଇତ୍ୟାଦି ପଦବୀ ଗୁଡିକରେ କାର୍ଯ୍ୟ କରିସାରିଛନ୍ତି  ।