ଗ୍ୟାସ ଦରବୃଦ୍ଧି ବିକ୍ଷୋଭ
କଟକ : କେନ୍ଦ୍ର ବିଜେପି ସରକାର ସଂପ୍ରତି ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧିକୁ ଏସୟୁସିଆଇ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପ୍ରତିବାଦରେ ସଂଘ ପକ୍ଷରୁ ସ୍ଥାନୀୟ କଲେଜଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପାର୍ଟି ପକ୍ଷରୁ ପ୍ରକାଶ କରାଯାଇଛି ଯେ, ଗୋଟିଏ ପଟରେ ଦରଦାମ ବଢ଼ି ଚାଲିଛି, ଅନ୍ୟ ପଟରେ ସାଧାରଣ ଲୋକଙ୍କ ରୋଜଗାର କମିଛି ଓ ବେକାରୀ ଭୟଙ୍କର ଭାବେ ବୃଦ୍ଧି ପାଇଛି । ଫଳରେ ସାଧାରଣ ଲୋକଙ୍କ ବଞ୍ଚିବା ଦୁର୍ବିସହ ହୋଇପଡ଼ିଛି । ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲର ଦାମ କମୁଥିଲେ ବି ଦେଶରେ ପେଟ୍ରୋଲ ଓ ଡିଜେଲର ଦର କମୁନାହିଁ । ଫଳରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ ରନ୍ଧନ ଗ୍ୟାସର ଦରବୃଦ୍ଧି ବେଡ଼ି ଉପରେ କୋରଡ଼ା ସଦୃଶ ହୋଇଛି । ସେଥିପାଇଁ ବର୍ଦ୍ଧିତ ଗ୍ୟାସ ଦର ହ୍ରାସ କରିବାକୁ ପାର୍ଟି ପକ୍ଷରୁ ଦାବି କରାଯାଇଛି । ଏହି ବିକ୍ଷୋଭରେ କଟକ ଜିଲ୍ଲା ସଂପାଦକ ବିଶ୍ୱାବସୁ ଦାସ, ଜିଲ୍ଲା ଅଫିସ ସଂପାଦକ ଖଗେଶ୍ୱର ସେଠୀ, ଜିଲ୍ଲା କମିଟି ସଦସ୍ୟ ରାଜକିଶୋର ମଲିକ, ବବି ବଳବନ୍ତ ରାୟ, ବସନ୍ତ ନାୟକ, ଦୀପକ ଦାସ, ଇଷାଧର, ତରୁଣସେନ ନାୟକ, ଶିବାନୀ ସାହୁ, ସୁଭଶ୍ମିତା ସାହୁ, ଶୋଭା ଦେହୁରୀ, ସ୍ୱାଧୀନ ବେହେରା, ଜ୍ୟୋସ୍ନାରାଣୀ ଦାସ ଓ ଝରଣା ଦାସ ପ୍ରମୁଖ ନେତୃତ୍ୱ ନେଇଥିଲେ ।