ଘର ତାଲା ଭାଙ୍ଗି ଲୁଟ୍ ଉଦ୍ୟମ ; ଲୁଟେରାଙ୍କୁ କାବୁ କଲେ ଲୋକେ

ଭୁବନେଶ୍ୱର, ୧୧ା୬ : ଏକ ନୁଆ ଘରର ତାଲାଭାଙ୍ଗି ଲୁଟ୍ କରିବାକୁ ଉଦ୍ୟମ ବେଳେ ୨ ଜଣ ଲୁଟେରାଙ୍କୁ କାବୁ କଲେ ଲୋକେ । ପରେ ଦୁଇ ଜଣଙ୍କୁ ଉତ୍ତମ ମଧ୍ୟମ କରି ଥାନାରେ ଜିମା ଦେଲେ । ଏନେଇ ତମାଣ୍ଡୋ ଥାନା ପୁଲିସ ୨୩୦ରେ ମାମଲା ରୁଜୁକରି ତଦନ୍ତ ଚଳାଇ ୨ ଲୁଟେରାଙ୍କୁ ଗିରଫ କରିବା ସହ ଦଫା ୪୫୭, ୩୮୦, ୫୧୧,୩୪ ଆଇପିସି ଧାରାରେ କୋର୍ଟ ଚାଲାଣ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ, ଭରତପୁର ଫୁଲେଶ୍ୱରୀ ବସ୍ତିର ପ୍ରକାଶ ମଲ୍ଲୀକ ଓ ଇନଫୋଭ୍ୟାଲି ଥାନା ଅଧିନ ଗୋହିରିଆ ଅଞ୍ଚଳର ଆକାଶ ବେହେରା । ସେମାନଙ୍କ ଠାରୁ ଏକ ସାଇକେଲ, ଏକ ବାଇକ, ଏକ ଆଇରନ ରଡ ଓ କିଛି ସାମଗ୍ରୀ ଜବତ କରାଯାଇଛି ।
ସୂଚନାଯୋଗ୍ୟଯେ, ଅଭିଯୋଗକାରୀ ହେମନ୍ତ କୁମାର ମହାରଥୀଙ୍କ ତମାଣ୍ଡୋ ଥାନା ଅନ୍ତର୍ଗତ ବଡ଼ ମହୁରା ଗ୍ରାମରେ ଏକ ନୂଆ କୋଠାଘର ରହିଛି । ଗତ ୧୦ ତାରିଖ ବିଳମ୍ବିତ ରାତିରେ ଦୁଇ ଅଭିଯୁକ୍ତ ନିଜ ଟିଭିଏସ୍ ବାଇକରେ ଏବ ଏକ ସାଇକେଲରେ ଉକ୍ତ ନୂଆ କୋଠାଘର ନିକଟକୁ ଯାଇ ଘରର ତାଲା ଭାଙ୍ଗିବା ଲାଗି ପ୍ରୟାସ କରିଥିଲେ । ଏହି ସମୟରେ ଘରର ତାଲା ଭାଙ୍ଗିବାର ଶଦ୍ଦ ଶୁଣି ପାଖ ପଡୋଶୀ ଘଟଣା ସ୍ଥଳକୁ ଆସିବା ସହିତ ଉଭୟ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଏହି ସମୟରେ ଅଭିଯୁକ୍ତ ପ୍ରକାଶ ଘଯଣା ସ୍ଥଳରୁ ଖସି ପଳାିବାକୁ ଚେଷ୍ଟା କରୁଥିବା ବେଳେ ସେ ତଳେ ପଡ଼ିଯାଇଥିଲା । ପରେ ଲୋକେ ତମାଣ୍ଡୋ ଥାନାକୁ ଖବର ଦେବା ସହ ପିସିଆର ସାହାର୍ଯ୍ୟରେ ଦୁଇ ଲୁଟେରାଙ୍କୁ ଜିମା ଦେଇଥିଲେ ।