ହଂସିତାଙ୍କ ଘରେ ଆୟକର ଟିମ; ୧୨ଟି ସ୍ଥାନରେ ରେଡ୍
ରାଜଧାନୀରେ ହାଇପ୍ରୋଫାଇଲ ଠକେଇ ମାମଲା
ଭୁବନେଶ୍ୱର, ୭ା୧ : ରାଜଧାନୀରେ ହୋଇଥିବା ହାଇପ୍ରୋଫାଇଲ ଘଟଣାରେ ଆଜି ଅଭିଯୁକ୍ତ ହଂସିତା ଅଭିଲିପ୍ସାଙ୍କ ଘର ସମେତ ଅଫିସରେ ଚଢ଼ାଉ କରିଛି ଆୟକର ଟିମ । ଭୁବନେଶ୍ୱର, ଦିଲ୍ଲୀ, ଝାଡଖଣ୍ଡର ୧୨ଟି ସ୍ଥାନରେ ଏକକାଳୀନ ଚାଲିଛି ରେଡ୍ । ନର୍ଲାରୁ ଦିଲ୍ଲୀ ଓ ପରେ ଦିଲ୍ଲୀରୁ ଭୁବନେଶ୍ୱର ଯାଏ ଲମ୍ବିଥିଲା ମହା ଠକେଇର ମାୟାଜାଲ । ଅତି ଚତୁରତାର ସହ କୋଟି କୋଟି ଟଙ୍କାର ଚୁନା ଲଗାଉଥିଲେ । ନିଜକୁ ପତି-ପନôୀର ପରିଚୟ ଦେବା ସହ ଚଳାଇଥିଲେ ସାଂଘାତିକ ରାକେଟ୍ ଓ ଠୁଳ କରିଥିଲେ କୋଟି କୋଟି ଟଙ୍କା । ରାଜଧାନୀର ଛାତି ଉପରେ ଅତି ଚତୁରତାର ସହ ଦୀର୍ଘ ଦିନ ହେଲା ରାକେଟ ଚଳାଇଥିବା ବଣ୍ଟି- ବବଲି ଯୋଡିଙ୍କୁ ବାନ୍ଧି ସାରିଛି ପୁଲିସ ।
ସୂଚନାଯୋଗ୍ୟ ଯେ, ବିନା ଲୋନ୍ରେ ଦାମୀ କାର କିଣିବାକୁ ନେଇ ବିବାଦରେ ପଡିଥିଲେ ହଂସିତା ଅଭିଲିପ୍ସା ଓରଫ ରାକ୍ଷୀ ଓ ତାଙ୍କ ପାର୍ଟନର ଅନୀଲ ମହାନ୍ତି । ଆଜି ହଂସିତା ଅଭିଲିପ୍ସାଙ୍କ ଘର ସମେତ ଅଫିସରେ ଚଢ଼ାଉ କରିଛି ଆୟକର ଟିମ୍ । ଭୁବନେଶ୍ୱର, ଦିଲ୍ଲୀ, ଝାଡଖଣ୍ଡର ୧୨ଟି ସ୍ଥାନରେ ଏକକାଳୀନ ଚାଲିଛି ରେଡ୍ । ଆକାଉଣ୍ଟ ଟ୍ରାଞ୍ଜାକ୍ସନ୍ର ଖୋଳତାଡ କରୁଛି ଆୟକର ଟିମ୍ । ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତି ପତିପନôୀ ହୋଇନଥିବା ବେଳେ ଉଭୟ କିନ୍ତୁ ଦୀର୍ଘ ଦିନ ହେଲା ନିଜକୁ ପତିପନôୀର ପରିଚୟ ଦେଇ ରଘୁନାଥପୁରର ଏକ ହାଇପ୍ରୋଫାଇଲ୍ ଆପାର୍ଟମେଣ୍ଟରେ ରହୁଥିଲେ । ପିଏମଙ୍କ ପ୍ରମୁଖ ସଚିବଙ୍କ ଝିଅ-ଜ୍ୱାଇଁ ବୋଲି ମିଛ ପରିଚୟ ଦେଇ ଚଳାଇଥିଲେ ମହାଲୁଟ୍ । ଏମାନେ କେଉଁଠି ମୁଖ୍ୟ ଶାସନ ସଚିବଙ୍କ ସହ ତ ଆଉ କେଉଁ ପୂର୍ବତନ ଉଇଏ ଗିରୀଷ ମୁର୍ମୁଙ୍କ ସହିତ ଫଟୋ ଏଡିଟ୍ କରି ରଖିଛନ୍ତି । ସେହି ସବୁ ଫଟୋକୁ ଅସ୍ତ୍ର କରି ଶିଳ୍ପ ନାଁରେ ଜମି ଅଧିଗ୍ରହଣ, ଶିଳ୍ପକୁ କଞ୍ଚା ମାଲ ଯୋଗାଣ ପାଇଁ ଖଣି ମାଲିକଙ୍କୁ ଟେଣ୍ଡର ଦେବା, ବିଲଡରଙ୍କୁ ଜମି, ପ୍ଲଟ ସହ ବିଲଡିଂ ଆପ୍ରୁଭାଲ୍ କରାଇବା ଆଦିର ଲୋଭ ଦେଖାଇ ସେମାନଙ୍କଠାରୁ ମୋଟା ଅଙ୍କର ଚୁନା ଲଗାଇ କୋଟି କୋଟି ଟଙ୍କା ଠୁଳ କରିଥିଲେ । ଗତ ଜାନୁୟାରୀ ମାସରେ ଅନୀଲଙ୍କ ଜନ୍ମ ଦିନରେ ତାଙ୍କୁ ୪ କୋଟି ୩୦ ଲକ୍ଷ ଟଙ୍କାର କାର ଗିଫ୍ଟ ଦେଇଥିଲେ ହଂସିତା । ଉକ୍ତ ଟଙ୍କାକୁ ସେ କ୍ୟାସ ଆକାରରେ ଦେଇଥିଲେ । ଏହାକୁ ନେଇ ସେ ଆୟକର ବିଭାଗ ଓ କମିଶନରେଟ ପୁଲିସ ନଜରକୁ ଚାଲି ଆସିଥିଲେ । ଏହାପରେ ପୁଲିସ ଉଭୟଙ୍କୁ ବାନ୍ଧି ଜେଲରେ ଭର୍ତ୍ତି କରିବା ସହ ସେମାନଙ୍କ ଠକେଇ ଚେର କେତେ ଦୂର ଲମ୍ବିଛି ତାହାର ତଦନ୍ତ କରୁଛି । ଏପରିକି ଆଉ କିଏ କିଏ ଏହି ଠକେଇର ମାୟାଜାଲରେ ପଡିଛନ୍ତି ତାହାର ବି ତଦନ୍ତ କରୁଛି ପୁଲିସ ।