ଘର ବାହୁଡ଼ିଲେ ସୁନୀତା

 ଭୁବନେଶ୍ୱର: ଦୀର୍ଘବର୍ଷ ପରେ ଆଜି ନିଜ ଦଳକୁ ଫେରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ । ଗତକାଲି ସେ ନିଜର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଥିବା ବେଳେ ଆଜି ସ୍ୱତଃପ୍ରବୃତ୍ତ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିବା ବେଳେ ଆଜି ପୁନଃ କଂଗ୍ରେସକୁ ଫେରିଛନ୍ତି । ଏଥିଯୋଗୁ ତାଙ୍କୁ ପିସିସି ସଭାପତି ଭକ୍ତ ଦାସ, ଜୟଦେବ ଜେନା ଓ ଅନ୍ୟ ବରିଷ୍ଠ ନେତା ତାଙ୍କୁ ଦଳକୁ ସ୍ୱାଗତ କରିଥିଲେ । ଏ ଅବସରରେ ସୁନୀତା କହିଛନ୍ତି, ନବୀନ ବାବୁ ମୋତେ ଡାକି କରି ବିଜେଡିକୁ ନେଇଥିଲେ । କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଦଳ ମୋତେ ସାବତ ଝିଅ ପରି ବ୍ୟବହାର କଲା । କେବଳ ଲୋକ ଯୋଗାଡ଼ କରିବାକୁ ମୋତେ ବ୍ୟବହାର କରାଗଲା । କାମ କରିବାକୁ ସୁଯୋଗ ମିଳିଲାନି । ପୋଷ୍ଟର ମାରିଲେ ବି ମୋତେ ଅନୁମତି ନେବାକୁ କୁହାଗଲା । ସେପଟେ ସୁନୀତାଙ୍କ ବିଜେଡି ଆରୋପକୁ ଖଣ୍ଡନ କରିଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ । ସେ କହିଛନ୍ତି, ତାଙ୍କ (ସୁନୀତାଙ୍କ) ଆତ୍ମା ହେଉଛି କଂଗ୍ରେସ । ସାଂସଦ ହୋଇଥିଲେ ବି ପଳାଇଥା’ନ୍ତେ । ୨୦୧୯ରେ ବିଜେଡି ତାଙ୍କୁ ସୁନ୍ଦରଗଡ ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା । ସେଠାରେ ବିଜେପି ନେତା ଜୁଏଲ ଓରାମଙ୍କଠାରୁ ପରାସ୍ତ ହୋଇଥିଲେ ସୁନୀତା । ଜୁଏଲଙ୍କୁ ୫ ଲକ୍ଷରୁ ଅଧିକ ଭୋଟ୍ ମିଳିଥିବା ବେଳେ ସୁନୀତାଙ୍କୁ ମାତ୍ର ୨ ଲକ୍ଷ ୭୬ ହଜାର ୯୯୧ ଖଣ୍ଡ ଭୋଟ୍ ମିଳିଥିଲା । ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ତାଙ୍କୁ ଆଉ ଟିକେଟ ଦେଇ ନଥିଲା ।