ଘର ଭଡା ନାଁରେ ଚୂନ; ଦଲାଲ ନେଇଗଲା ୨ମାସର ଟଙ୍କା
ଭୁବନେଶ୍ୱର, ୭ା୧୨ : ରାଜଧାନୀରେ ଘରଭଡା ଦେବା ନାଁରେ ଡାକ୍ତରଙ୍କୁ ଚୂନ ଲଗାଇଲା ଦଲାଲ । ଘରଭଡା ଦେବାକୁ କହି ୨ମାସର ଅଗ୍ରୀମ ଟଙ୍କା ନେଇଗଲା । ହେଲେ ଶେଷରେ ନାଁ ଘର ମିଳିଲା, ନାଁ ଟଙ୍କା ଫେରିପାଇଲେ ଡେଣ୍ଟିଷ୍ଟ । ଏପରି ଘଟଣା ଘଟିଛି ରାଜଧାନର ଇନଫୋସିଟି ଅଞ୍ଚଳରେ । ଏନେଇ ଡେଣ୍ଟିଷ୍ଟ ଜ୍ୟୋତିପ୍ରକାଶ ସାହୁ ଇନଫୋସିଟି ଥାନାରେ ଅଭିଯୋଗ କରିଛନ୍ତି ।
ସୂଚନା ଯୋଗ୍ୟଯେ, ଯାଜପୁରରୁ ଆସିଥିବା ଜ୍ୟୋତି ପ୍ରକାଶ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଇଣ୍ଟର୍ନସିପ୍ ପାଇଁ ଆସିଥିଲେ । ରାସ୍ତାକଡରେ ଲାଗିଥିବା ଏକ ଟୁଲେଟ ପୋଷ୍ଟର ଉପରେ ତାଙ୍କର ପଡ଼ିଥିଲା ନଜର । ପରେ ଟୁଲେଟ ପୋଷ୍ଟରେ ଲାଗିଥିବା ମୋବାଇଲ ନମ୍ବରରେ କଲ କରିଥିଲେ ଡେଣ୍ଟିଷ୍ଟ । ଫୋନ୍ କଲକୁ ଜଣେ ବ୍ୟକ୍ତି ଉଠାଇଥିଲେ । ଫଳରେ ଡେଣ୍ଟିଷ୍ଟ ତାଙ୍କୁ ଘର ଭଡା ମିଳିବ କି ନାହିଁ ପଚାରିଥିଲେ । ସେତିକି ବେଳେ ଅଭିଯୁକ୍ତ ନନ୍ଦନବିହାରରେ ଘର ଅଛି ବୋଲି ତାଙ୍କୁ କହିଥିଲେ । ପରେ ଡେଣ୍ଟିଷ୍ଟଙ୍କୁ ନନ୍ଦନବିହାରରେ ଘର ଦେଖାଇଥିଲେ । ଡେଣ୍ଟିଷ୍ଟଙ୍କର ଘର ମଧ୍ୟ ପସନ୍ଦ ହୋଇଥିଲା । ପରେ ଡେଣ୍ଟିଷ୍ଟ ଘର ଭଡା ବାବଦକୁ ଦଲାଲଙ୍କୁ ୨ ମାସର ଅଗ୍ରୀମ ଟଙ୍କା ଦେଇଥିଲେ । ପରେ ଡେଣ୍ଟିଷ୍ଟ ନିଜର ଜିନିଷ ପତ୍ର ନେଇ ଭଡା ଘରକୁ ରହିବାକୁ ଯାଇଥିଲେ । ହେଲେ ଘର ମାଲିକ ତାଙ୍କୁ ଜାଣିନାହାନ୍ତି ବୋଲି ମନା କରିଦେଇଥିଲେ । କାରଣ ଟଙ୍କା ନେଇଥିବା ଦଲାଲ ତାଙ୍କୁ ୨ ମାସର ଅଗ୍ରୀମ ଟଙ୍କା ଦେଇ ନଥିବା ଘର ମାଲିକ କହିଥିଲେ । ଏଥିସହ ଏହି ଘର କମରସିଆଲ ପ୍ରପୋଜ୍ରେ ଲଗାଇବେ ବୋଲି କହିଥିଲେ ଘର ମାଲିକ । ଘର ମାଲିକ କଥା ଶୁଣି ଡେଣ୍ଟିଷ୍ଟ ଦଲାଲକୁ ଫୋନ୍ କରିଥିଲେ । କିନ୍ତୁ ଘର ଦେଖାଇବା ବାବଦକୁ ଏହି ଟଙ୍କା ନେଇ ଥିବା ଦଲାଲ ଡେଣ୍ଟିଷ୍ଟଙ୍କୁ କହି ଫୋନ୍ କାଟି ଦେଇଥିଲା ଓ ମୋବାଇଲକୁ ଅଫ୍ କରିଦେଇଥିଲା । ଏନେଇ ଡେଣ୍ଟିଷ୍ଟ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି ।