ତାଡି ନେଲେ ଏଟିଏମ୍; ନେଇଗଲେ ୧୦ ଲକ୍ଷ
ଛକରେ ପୁଲିସ - ଉପକଣ୍ଠରେ ଲୁଟେରାଙ୍କ ଆତଙ୍କ
ଭୁବନେଶ୍ୱର, ୨୪ ।୧: ରାଜ୍ୟ ଓ ରାଜଧାନୀ ଓ ରାଜଧାନୀର ଉପକଣ୍ଠ ମାନଙ୍କରେ ଘଟୁଥିବା ଅପରାଧ, ନିଶା କାରବାର, ସାଇବର ଠକେଇ ଓ ଟ୍ରାଫିକ ଉପରେ ସରକାରଙ୍କ ନିଦେ୍ର୍ଦଶ ପରେ କମିଶନରେଟ୍ ପୁଲିସର ରହିଛି କଡା ନଜର । ବିଭିନ୍ନ ଛକ ଛକରେ ପୁଲିସର ଚଳାଇଛି ବ୍ଲକିଂ, ଚେକିଂ, ଡ୍ରେଙ୍କନ ଡ୍ରାଇଭ ଓ ପେଟ୍ରୋଲିଂ । ହେଲେ ପୁଲିସ ଡାଳେ ଡାଳେ ଗଲେ ଲୁଟେରା ପତରେ ପତରେ ଯାଇ ଅପରାଧ ଘଟାଉଛନ୍ତି । ପୁଲିସର କଡା କଡିକୁ ଫୁ କରି କିଏ କାହାକୁ ହତ୍ୟା କଲାଣି ତ କିଏ ଘରେ ପଶି ଲୁଟିନେଲାଣି ତ ଆଉ କିଏ କାହାକୁ ଗୁଳି ଫୁଟାଇଲାଣି ତ ଆଉ କିଏ ଏଟିଏମ ତାଡି ନେଇଗଲାଣି । ଯାହାକୁ ନେଇ ଚିନ୍ତାରେ ପଡ଼ିଛି କମିଶନରେଟ୍ ପୁଲିସ । ଗତକାଲି ବିଳମ୍ବିତ ରାତିରେ ପୁଲିସର ଚେକିଂ ବ୍ଲକିଂ ବନ୍ଦ ରହିଥିବା ବେଳେ ଏହାର ସୁଯୋଗ ଉଠାଇଛନ୍ତି ଲୁଟେରା ଗ୍ୟାଙ୍ଗ୍ । ଏକ ଡାଲା ଅଟୋରେ ସାମନ୍ତରାପୁର ସ୍ଥିତ ଶ୍ରୀରାମ ନଗର ଲେନ୍- ୧୦ରେ ଥିବା ଏସବିଆଇ ଏଟିଏମ ମେସିନକୁ ତାଡି ନେଇଯିବା ସହ ମେସିନ ଭାଙ୍ଗି ସେଥିରେ ଥିବା ୧୦ ଲକ୍ଷ ଟଙ୍କା ଲୁଟ୍ କରିବା ସହ ଏଟିଏମ୍ ମେସିନକୁ ଧଉଳି ଥାନା ଅନ୍ତର୍ଗତ ଗଙ୍ଗୁଆ ନାଳରେ ଫୋପାଡି ଫେରାର ହୋଇଗଲେ ଲୁଟେରା । ସକାଳୁ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଏଟିଏମ ମେସିନ ଓ ଏକ ଡାଲା ଅଟୋକୁ ଜବତ କରି ତଦନ୍ତ ଚଳାଇଛି । ଅନ୍ୟପଟେ ଏଟିଏମ ଭିତରୁ ଲୁଟ୍ ବେଳର ସିସିଟିଭି ଫୁଟେଜକୁ ପାଇ ପୁଲିସ ବିଭିନ୍ନ ସ୍ତାନରେ ଚଢ଼ାଉ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ଗତକାଲି ତଥା ଗୁରୁବାର ବିଳମ୍ବିତ ରାତି ୨ଟା ବେଳେ ୪ରୁ ୫ ଜଣ ଲୁଟେରା ସାମନ୍ତରାପୁର ଶ୍ରୀରାମ ନଗର ଲେନ୍-୧୦ରେ ଥିବା ଏସବିଆଇ ଏଟିଏମକୁ ତାଡିଥିଲେ । ଏହି ସମୟରେ କୁକୁର ଭୁକିଥିଲେ । ହେଲେ ଘର ମାଲିକ କୁକୁର ଭୁକାକୁ ସେତେ ଗୁରୁତ୍ୱ ଦେଇନଥିଲେ । ଯାହାଫଳରେ ଲୁଟେରା ଗ୍ୟାଙ୍ଗ୍ ଏଟିଏମ ମେସିନକୁ ତାଡି ଏକ ଡାଲା ଅଟୋରେ ନେଇଯାଇ ସିଧା ଧଉଳି ଗଙ୍ଗୁଆ ନାଳର ନିଛାଟିଆ ସ୍ଥାନକୁ ଯାଇଥିଲେ । ପରେ ସେଠାରେ ମେସିନକୁ ଭାଙ୍ଗି ଭିତରୁ ୧୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ନେଇ ସେଠାରେ ଅଟୋକୁ ଛାଡିବା ସହ ଏଟିଏମ ମେସିନକୁ ଫୋପାଡି ଫେରାର ହୋଇଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଏହି ଖବର ପାଇବା ପରେ, ଲିଙ୍ଗରାଜ ଥାନା ପୁଲିସ ଭୋର ୫ଟା ବେଳେ, ଘଟଣା ସ୍ଥଳରେ ପହଞ୍ଚି ଘର ମାଲିକଙ୍କୁ ଡାକି ପଚରାଉଚରା କରିଥିଲେ । ଏହି ସମୟରେ କିଛି ଲୋକ ଗଙ୍ଗୁଆ ନାଳରେ ଏକ ଡାଲା ଅଟୋ ଛିଡ଼ା ହୋଇଥିବା ବେଳେ, ଏକ ଏଟିଏମ ମେସିନ ପଡ଼ିଥିବା ଦେଖିବାକୁ ପାଇଥିଲେ । ପରେ ଏନେଇ ଧଉଳି ଥାନାକୁ ଜଣାଇଥିଲେ । ଖବର ପାଇ ପୁଲିସ ଟିମ ଓ ସାଇଣ୍ଟିଫିକ୍ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମେସିନ ଓ ଅଟୋକୁ ଜବତ କରିଛି । ଅନ୍ୟପଟେ ଦୁଇ କ୍ୱିଣ୍ଟାଲର ମେସିନକୁ ଲୁଟେରା ତାଡି ନେବାର ସିସିଟିଭିରେ ଦେଖିବାକୁ ମିଳିଛି । ୪ ଜଣ ଲୁଟେରା ଆସି ମୁହରେ ମୁଖା ପିନ୍ଧି ଏଟିଏମକୁ ତାଡି ନେଉଛନ୍ତି । ପୁଲିସ ସିସିଟିଭି ଫୁଟେଜକୁ ନେଇ ତଦନ୍ତ ଆରମ୍ଭ କରିଛି ।
ପୂର୍ବରୁ ୨୦୨୩ ମସିହା ଅଗଷ୍ଟ ମାସରେ ମଧ୍ୟ ଲିଙ୍ଗରାଜ ଥାନା ଅଧିନ ରବି ଟକିଜ୍ ଛକ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମରୁ ଲୁଟ୍ କରିଥିଲେ । ସେହିପରି ଲିଙ୍ଗିପୁର ଛକରୁ ମଧ୍ୟ ଏଟିଏମ ମେସିନ ତାଡି ନେଇ ସେହି ଗଙ୍ଗୁଆ ନାଳରେ ଫୋପାଡିବା ସହ ମେସିନ ଭାଙ୍ଗି ୨୫ ଲକ୍ଷ ଟଙ୍କା ନେଇଯାଇଥିଲେ । ସେହିପରି କ୍ୟାପିଟାଲ ଥାନା ଅଞ୍ଚଳ ଗଙ୍ଗନଗର ଉକ ଉପରେ ଥିବା ଏସବିଆଇ ବ୍ୟାଙ୍କ ଏଟିଏମରୁ ଲୁଟ୍ ହୋଇଥିଲା । ଜୁଲାଇ ମାସରେ ମୈତ୍ରୀବିହାର ଥାନା ଅଞ୍ଚଳର ଗଜପତି ନଗର ଏସବିଆଇ ଏଟିଏମରୁ ଲୁଟ୍ ହୋଇଥିଲା । ହେଲେ ଆଜି ପର୍ଯ୍ୟନ୍ତ କୌଣସି ଏଟିଏମ ଲୁଟେରାଙ୍କୁ ଗିରଫ କରାଯାଇପାରିନାହିଁ ।