ନିଜେ ରଚିଥିଲେ ଅପହରଣ ନାଟକ ; ମହିଳା ସମେତ ୨ ଗିରଫ
ଭୁବନେଶ୍ୱର, ୨୧ା୬ : ଚନ୍ଦକା ଥାନା ଅଧିନ ଟ୍ରାଇଡେଣ୍ଟ ଗ୍ୟାଲାକ୍ସି ଆପାର୍ଟମେଣ୍ଟରୁ ମହିଳାଙ୍କୁ ଅପହରଣ କରି ୧ କୋଟି ଡ଼ିମାଣ୍ଡ୍ ଘଟଣାକୁ ୨୪ ଘଣ୍ଟା ଭିତରେ ପର୍ଦ୍ଦାଫାଶ କଲା କମିଶନରେଟ୍ ପୁଲିସ । ଇନଷ୍ଟାଗ୍ରାମର ପ୍ରେମିକ ସହ ମିଶି ଭାଇଠାରୁ ୧ କୋଟି ହଡ଼ପ କରିବାକୁ ନିଜେ ଅପହରଣର ନାଟକ ରଚିଥିଲେ ମହିଳା । ଫଳରେ ଭାଇଠାରୁ ବାପାଙ୍କ ଦ୍ୱାରା ୧୨ ଲକ୍ଷ ଟଙ୍କା ମଧ୍ୟ ନେବାରେ ସଫଳ ହୋଇଥିଲେ, ହେଲେ ବାକି ଟଙ୍କା ନେବା ପୂର୍ବରୁ ଯୋଜନାକୁ ପଣ୍ଡ କଲା କମିଶନରେଟ୍ ପୁଲିସ । ମୋବାଇଲ ଟ୍ରାକିଂ ଦ୍ୱାରା ଅଭିନବ ଉପାୟରେ କାରରେ ବୌଦ୍ଧ, ଚାରିଛକ, ନୟାଗଡ଼ ଘୁରି ବୁଲୁଥିବା ମାୟାବିନୀ ମହିଳା ଓ ତାଙ୍କର ଇଷ୍ଟାଗ୍ରାମ ପ୍ରେମିକ ଓ ତାର ସହଯୋଗୀକୁ ୧ ଘଣ୍ଟା ନାକେଦମ ପରେ ନୟାଗଡ଼ ପୁଲିସ ସହଯୋଗରେ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୧୨ ଲକ୍ଷ ଟଙ୍କା, ୧୧ଟି ଏଟିଏମ କାର୍ଡ, ଏକ ଲାପଟପ୍, ୩ଟି ବ୍ୟାଙ୍କ ପାସବୁକ୍, ଚେକ୍ ବୁକ୍, ରାଜସ୍ଥାନ ନମ୍ବର ଥିବା ଆର.ଜେ୪୫-ସିୟୁ-୬୮୫୨ ନମ୍ବର ଥିବା ଏକ ଟୋୟେଟା କାର, ଓ ୩ ଟି ମୋବାଇଲ ଫୋନ୍ ଜବତ କରାଯାଇଛି । ଗିରଫ ୩ ଜଣ ହେଲେ, ମାୟାବିନୀ ମହିଳା ସ୍ମୁତିରେଖା ପାଣି, ରାଜସ୍ଥାନର ଇଷ୍ଟାଗ୍ରାମ ପ୍ରେମିକ ପ୍ରଦୀପ୍ କୁମାର ଓଲା ଓ ସହଯୋଗୀ ଦେବୀ ଲାଲ୍ । ଆଜି ଏମାନଙ୍କୁ ଥାନା କେସ ନମ୍ବର ୨୨୬, ଦଫା ୩୬୪-ଏ/୩୪ ଆଇପିସି ଧାରାରେ କୋର୍ଟ ଚାଲାଣ କରାଯାଇଥିବା ପୁଲିସ କମିଶନର ସଞ୍ଜୀବ୍ ପଣ୍ଡା ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟଯେ, ଚନ୍ଦକା ଥାନା ଅଧିନ ଟ୍ରାଇଡେଣ୍ଟ ଗ୍ୟାଲାକ୍ସି ଆପାର୍ଟମେଣ୍ଟରେ ରହୁଥିବା ସ୍ମୁତିରେଖା ପାଣି ନାମକ ମହିଳାଙ୍କୁ ବୁଧବାର ସନ୍ଧ୍ୟାରେ ଅପହରଣ କରାଯାଇ ମୁଣ୍ଡ ଜାମିନ୍ ରଖି ୧କୋଟି ଟଙ୍କା ମଗାଯାଉଥିବା ନେଇ ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ ମହିଳାଙ୍କ ବାପା । ଏନେଇ ପୁଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା । ଏହି ତଦନ୍ତ ବେଳେ ସ୍ପେଶାଲ ସ୍କ୍ୱାଡ ସହଯୋଗରେ ଏହି ଘଟଣାକୁ ତଦନ୍ତ କରାଯିବା ସହ ପୁଲିସ କମିଶନରଙ୍କ ନିଦେ୍ର୍ଦଶ କ୍ରମେ ୩ଟି ଟିମ ବିଭିନ୍ନ ଦିଗକୁ ଯାଇ ତଦନ୍ତ ଆରମ୍ଭ କରିବା ସହ ବିଭିନ୍ନ ଜିଲ୍ଲାର ଥାନା ମାନଙ୍କୁ ମହିଳାଙ୍କ ଫୋଟକୁ ପଠାଯାଇଥିଲା । ଶେଷରେ ଯାହା ତଦନ୍ତରୁ ଜଣାପଡ଼ିଥିଲା ମହିଳାଙ୍କ ମୋବାଇଲ ଟ୍ରାକିଂ ବୌଦ୍ଧ ଚାରିଛକ ପରେ ଦଶପଲ୍ଲା ତା ପରେ ନୟାଗଡ଼ରେ ଲୋକେସନ୍ ଦେଖାଯାଇଥିଲା । ପରେ କମିଶନରେଟ୍ ପୁଲିସ ଟିମ ନୟାଗଡ଼ ପୁଲିସ ସହଯୋଗରେ ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ନୟାଗଡ଼ ଛକରେ ବ୍ଲକିଂ କରି ଧରିବା ବେଳେ ଅଭିଯୁକ୍ତ ମାନେ ପୁଲିସକୁ ଗାଡି ଚଢ଼ାଉ ଫେରାର ହେବାକୁ ବସିଥିଲେ । ହେଲେ ପୁଲିସ ଟିମ ସେମାନଙ୍କୁ ପିଛା କରି କିଛିବାଟରେ ଗାଡିକୁ କାବୁ କରିବା ସହ ଜଣେ ଡ୍ରାଇଭରକୁ କାବୁ କରିଥିଲେ । ଅନ୍ୟ ପଟେ ଜଣେ ମହିଳା ଓ ଜଣେ ପୁରୁଷ ଅନ୍ୟ ଦିଗରେ ଚାଲିଚାଲି ଯାଉଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇବାରୁ ଅନ୍ୟ ଜଣେ ପୁରୁଷ ଦୌଡ଼ିବା ବେଳେ ମହିଳାଙ୍କୁ ଓ ଫେରାର ହେଉଥିବା ଯୁବକଙ୍କୁ କାବୁ କରାଯାଇଥିଲା । ପରେ ସେମାନଙ୍କ ପଚରା ଉଚରା ବେଳେ ଘଟଣା ସବୁ ପଦାକୁ ଆସିଥିଲା । ମହିଳା ଜଣଙ୍କ ବିବାହିତ ହୋଇଥିବା ବେଳେ ତାଙ୍କର ଛାଡପତ୍ର ହୋଇ ସେ ବାପାଙ୍କ ସହ ରହୁଥିଲେ । ହେଲେ ତାଙ୍କ ଭାଇ ବାଙ୍ଗାଲୁରରେ ରହି ଭଲ ଟଙ୍କା ରୋଜଗାର କରି ଆସୁଥିଲେ । ଏହି ଭିତରେ ମହିଳାଙ୍କ ସହ ଇଷ୍ଟାଗ୍ରାମରେ ଜଣେ ରାଜସ୍ତାନର ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପରେ ନିବିଡ଼ ସମ୍ପର୍କ ପରେ ଏମାନେ ଫେରାର ହେବାକୁ ଯୋଜନା କରି ରାଜସ୍ତାନରୁ ଯୁବକ ଜଣକ ଏକ କାର ଧରି ତାର ସହଯୋଗୀ ସହ ଆସି ମହିଳାଙ୍କ ସହ ଚାଲିଯାଇ ଭାଇ ଠାରୁ ୧କୋଟି ଟଙ୍କା ହଡପ ପାଇଁ ରଚିଥିଲେ ନାଟକ । ପରେ ଭାଇକୁ କଲକ କରି ୧ କୋଟି ଟଙ୍କା ଭଉଣୀର ମୁଣ୍ଡ ଜାମିନ୍ ରଖି ମାଗିଥିଲେ । ଟଙ୍କା ନ ଦେଲେ ଭଉଣୀକୁ ହତ୍ୟା କରିବାକୁ ଧମକ ଦେଇଥିଲେ । ଏହା ଶୁଣି ମହିଳାଙ୍କ ଭାଇ ଅଭିଯୁକ୍ତଙ୍କ ୨ଟି ଆକାଉଣ୍ଟରେ ବାପାଙ୍କ ଦ୍ୱାରା ୧୨ ଲକ୍ଷ ଟଙ୍କା ପଠାଇଥିଲେ । ବାକି ଟଙ୍କା ପଠାଇବା ପୁର୍ବରୁ ପୁଲିସ ଏହି ରହସ୍ୟକୁ ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି ।