ଘରୁ ଡାକିନେଇ ଯୁବକଙ୍କୁ ହତ୍ୟା ଘଟଣା ; କୋର୍ଟ ଚାଲାଣ ହେଲେ ଅଟକ ଅଭିଯୁକ୍ତ
ଭୁବନେଶ୍ୱର, ୧୫ା୬ : ଘରୁ ଡାକିନେଇ ଯୁବକଙ୍କୁ ଗାମୁଛାରେ ତଣ୍ଟିକୁ ଚିପି ହତ୍ୟା କରି ଜଙ୍ଗଲରେ ଫୋପାଡି ଦେବା ଘଟଣା । ଥାନାରେ ଅଟକ ଥିବା ୨ ଅଭିଯୁକ୍ତଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ଗିରଫ ୨ ଜଣ ଅଭିଯୁକ୍ତ ମୋହନ ମାରାଣ୍ଡି ଓ ରାଜେନ୍ଦ୍ର ହାଂସଦାଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟଯେ, ଗତ୧୧ ତାରିଖ ଦିନ ମୃତ ସୁଶାନ୍ତ ଟୁଡୁ ତାଙ୍କ ସାହିର ୨ ଜଣ ଯୁବକ ମୋହନ ଓ ରାଜେନ୍ଦ୍ର ସହ ଘରୁ ବାହାରି ବାଇକରେ କୁଆଡେ ଯାଇଥିଲେ । ହେଲେ କୁଆଡେ ଯାଉଛନ୍ତି ସେ କଥା ଘରେ କହିନଥିଲେ ସୁଶାନ୍ତ । ପରେ ସନ୍ଧ୍ୟା ହେବାରୁ ସାହିକୁ ମୋହନ ଓ ରାଜେନ୍ଦ୍ର ଘରକୁ ଫେରିଥିବା ବେଳେ ସୁଶାନ୍ତ ଘରକୁ ଫେରିନଥିଲେ । ତାଙ୍କ ମୋବାଇଲ ମଧ୍ୟ ବନ୍ଦ ରହିଥିଲା । ଫଳରେ ସୁଶାନ୍ତଙ୍କ ପରିବାର ସାଙ୍ଗରେ ନେଇଥିବା ୨ ଯୁବକଙ୍କୁ ପଚରା ଉଚରା କରିବାରୁ ସେମାନେ ଜାଣିନଥିବା କହିଥିଲେ । ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସୁଶାନ୍ତଙ୍କ ଖୋଜଖବର ନ ମିଳିବାରୁ ବାପା ରାମଚନ୍ଦ୍ର ଟୁଡୁ ବାରଙ୍ଗ ଥାନାରେ ତାଙ୍କ ପୁଅ ନିଖୋଜ ଥିବା ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁକରି ମୋବାଇଲକୁ ଟ୍ରାକିଂ କରି ତାଙ୍କୁ ଠାବ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସୁଶାନ୍ତଙ୍କୁ ଠାବ କରିବାରେ ସକ୍ଷମ ହୋଇନଥିଲେ । ୧୩ ତାରିଖ ଅବା ଗତ ଗୁରୁବାର ସକାଳୁ ସକାଳୁ ଚନ୍ଦକା ଥାନା ଅଧିନ ଚୂଡଙ୍ଗଗଡ ଜଙ୍ଗଲକୁ ଯାଇଥିବା କିଛି ଲୋକେ ଏକ ନିର୍ମାଣାଧୀନ ଫାର୍ମ ଭିତରେ ଜଣଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଚଳାଇ ୨ ଅଭିଯୁକ୍ତଙ୍କୁ କାବୁ କରି ଥାନାରେ ଅଟକ ରଖି ପଚରା ଉଚରା ଚଳାଇଥିବା ବେଳେ ଆଜି କୋର୍ଟ ଚାଲାଣ କରାଯାଇଛି ।
ଦୁଇ ଅଭିଯୁକ୍ତ କାହିଁକି ସୁଶାନ୍ତଙ୍କୁ କରିଥିଲେ ହତ୍ୟା : ପୁଲିସ ସୂଚନା ମୁତାବକ, ଏମାନେ ୧୧ ତାରିଖ ଦିନ ସ୍କୁଟିରେ ଚନ୍ଦକା ଅଞ୍ଚଳକୁ ଯାଇଥିଲେ । ଦୁଇ ଅଭିଯୁକ୍ତ ସୁଶାନ୍ତଙ୍କୁ ମଦ ଆଣିବାକୁ ଟଙ୍କା ଦେଇଥିଲେ ଓ ସ୍କୁଟିରେ ତେଲ ପକାଇବାକୁ ମଧ୍ୟ ଟଙ୍କା ଦେଇଥିଲେ । ଫଳରେ ସୁଶାନ୍ତ ଟଙ୍କା ନେଇ ବାଇକରେ ମଦ ଆଣିବାକୁ ଯାଇ ମଦ ନେଇ ଆସିଥିଲେ । ଏମାନେ ତାଙ୍କୁ ବାଇକରେ ତେଲ ପକାଇଥିବା ପଚାରିବାରୁ ସୁଶାନ୍ତ ହଁ ମାରି ୩ ଜଣ ଚନ୍ଦକା ଥାନା ଅଧିନ ଚୂଡଙ୍ଗଗଡ଼ ଜଙ୍ଗଲକୁ ଯାଇ ମଦ ପିଇ ପୁଣି ବାଇକରେ ଫେରିବା ବେଳେ ବାଇକର ତେଲ ସରିଯାଇଥିଲା । ଏଘଟଣାକୁ ନେଇ ୩ ଜଣଙ୍କ ମଧ୍ୟରେ ମଦ ନିଶାରେ ପାଟିତୁଣ୍ଡ ହୋଇଥିଲା । ଫଳରେ ୨ ଅଭିଯୁକ୍ତ ରାଗିଯାଇ ପାଖରେ ଥିବା ଗାମୁଛାରେ ସୁଶାନ୍ତଙ୍କ ବେକକୁ ଚିପି ହତ୍ୟା କରି ତାଙ୍କୁ ଜଙ୍ଗଲରେ ଫୋପାଡି ଚାଲିଯାଇଥିଲେ ।