ମହିଳାଙ୍କୁ ଗାଡି ଚଢ଼ାଇ ହତ୍ୟା ଉଦ୍ୟମ ; ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୪ା୫ : ବିବାହିତ ମହିଳାଙ୍କୁ ପ୍ରେମ ନିବେଦନ କରି ବିଫଳ ହେବାରୁ ରାଗରେ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରି ମହିଳା ସ୍କୁଟିରେ ଘରକୁ ଫେରୁଥିବା ବେଳେ, ତାଙ୍କୁ ପଛରୁ ବୋଲେରୋ ଗାଡି ଚଢ଼ାଉ ହତ୍ୟା ଉଦ୍ୟମ । ଗାଡିକୁ ଓ ଅଭିଯୁକ୍ତକୁ ଗୋଡାଇ ଧରିଲେ ଲୋକେ । ଗୁରୁତର ଭାବେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅଭିଯୁକ୍ତକୁ ଥାନାରେ ଜିମା ଦେଲେ ଲୋକେ । ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଶନିବାର ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା, ମଞ୍ଚେଶ୍ୱର ମହାବୀର ନଗରର ଅକ୍ଷୟ କୁମାର ବେହେରା ।
ସୂଚନାଯୋଗ୍ୟଯେ, ଅଭିଯୋଗକାରୀ ଜଣଙ୍କ ପରିବାର ସହ ପଟିଆ ରେଲୁୱେ ଷ୍ଟେସନ ଅଞ୍ଚଳରେ ରହୁଥିବା ବେଳେ, ଅଭିଯୁକ୍ତ ମଧ୍ୟ ଅଭିଯୋଗକାରୀଙ୍କ ଘର ନିକଟରେ ଭଡ଼ାରେ ରହିବା ସହିତ ଏକ ବୋଲେରୋ ପିକଅପ୍ ଭ୍ୟାନ୍ ଚଳାଇ ପରିବାର ଚଳାଉଥିଲେ । ଅଭିଯୋଗକାରୀଙ୍କ ସ୍ତ୍ରୀ ଅବା ପିଡ଼ିତାଙ୍କ ବଡ଼ ଭଉଣୀଙ୍କୁ ଅଭିଯୁକ୍ତ ଏକ ତରଫା ଭଲ ପାଇଆସୁଥିଲା । ହେଲେ ପୀଡ଼ିତାଙ୍କ ଭଉଣୀ ବିବାହିତା ହୋଇଥିବା ହେତୁ ସେ ଅଭିଯୁକ୍ତଙ୍କ ଏହି ଭଲ ପାଇବାକୁ ଗ୍ରହଣ କରିନଥିଲେ । ଏହି ଘଟଣାକୁ କେନ୍ଦ୍ର କରି ଉଭୟ ପରିବାରଙ୍କ ମଧ୍ୟରେ ଶତ୍ରୁତା ଲାଗିରହିଥିଲା ଏବଂ ଅଭିଯୁକ୍ତ ଜଣକ ପୀଡ଼ିତାଙ୍କୁ ଜୀବନରେ ମାରିଦେବାର ଧମକ ଦେଇଥିଲେ । ଶୁକ୍ରବାର ସନ୍ଧ୍ୟାରେ ପୀଡିତା ଜଣଙ୍କ ପଟିଆ ସ୍ଥିତ କର୍ମସ୍ଥଳକୁ ସ୍କୁଟି ଯୋଗେ ଘରକୁ ଫେରିବା ବେଳେ ପଟିଆ - ସିପିଇଟି ରାସ୍ତାରେ, ଅଭିଯୁକ୍ତ ଜଣକ ନିଜ ପିକଅପ୍ ଭ୍ୟାନ୍କୁ ଦ୍ରୁତଗତିରେ ଚଳାଇ ଆଣି ପୀଡ଼ିତାଙ୍କ ସ୍କୁଟିକୁ ପଛପାଖରୁ ଜୋରରେ ଧକ୍କ୍ା ଦେଇଥିଲେ । ଫଳରେ ପୀଡ଼ିତା ଜଣଙ୍କ ସ୍କୁଟି ସହ ତଳେ ପଡ଼ିଯିବା ପରେ ଅଭିଯୁକ୍ତ ତାଙ୍କୁ ଗାଡିରେ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଯାଇଥିଲା । ସ୍ଥାନୀୟ ଲୋକେ ଏହା ଦେଖି ଅଭିଯୁକ୍ତର ଗାଡିକୁ ପିଛା କରି ତାକୁ ଅଟକାଇବା ସହିତ ପୀଡ଼ିତାଙ୍କୁ ଉଦ୍ଧାର କରି କିମସ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । ଏହି ଘଟଣାରେ ପୀଡ଼ିତାଙ୍କ ଡାହାଣ ହାତଭାଙ୍ଗି ଯାଇଥିବା ବେଳେ ସ୍କୁଟିଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିଲା । ଏନେଇ ଇନଫୋସିଟି ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଆଜି ଅଭିଯୁକ୍ତକୁ ଗିରଫ କରିଛି ।