ଅପରାଧ ନିପାତ ପାଇଁ ଆରମ୍ଭ ହେଲା କନଭଏ ପାଟ୍ରୋଲିଂ

ଅପରାଧ ନିପାତ ପାଇଁ ଆରମ୍ଭ ହେଲା କନଭଏ ପାଟ୍ରୋଲିଂ
ଅପରାଧ ନିପାତ ପାଇଁ ଆରମ୍ଭ ହେଲା କନଭଏ ପାଟ୍ରୋଲିଂ


 ସାବଧାନ ! ଏଥର ଅପରାଧିଙ୍କୁ ଗୋଡାଇ ଧରିବ ପୁଲିସ ! ଏକା ସଙ୍ଗେ ବୁଲିବେ ତ୍ରୀମୃତ୍ରି
ଭୁବନେଶ୍ୱର, ୧୪ା୧୧ : ରାଜଧାନୀରେ ଦିନକୁ ଦିନ ଅପରାଧ ବଢ଼ିଚାଲିଥିବା ବେଳେ, ରାତିରେ ନିଶାଡି ଓ ଅସମାଜିକ ଯୁବକଙ୍କ ପାଦ୍ରୁଭାବ ଦେଖିବାକୁ ମିଳୁଛି । ତାହାସହ ରାଜଧାନୀର ଆଇନ୍ ଶୃଙ୍ଖଳା ମଧ୍ୟ ବିଗିଡ଼ିବାରେ ଲାଗିଛି । ଯାହାକୁ ନେଇ କମିଶନରେଟ୍ ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଛି । ଏନେଇ ରାଜଧାନୀରୁ କେମିତି ଅପରାଧ, ନିଶା କାରବାରକୁ ନିପାତ କରାଯାଇପାରିବ ସେନେଇ କମିଶନରେଟ୍ ପୁଲିସ ଏବେ ଆକ୍ସନ ମୋଡକୁ ଆସିଥିବା ଦେଖାଯାଇଛି । ଫଳରେ ଗତକାଲି ରାତିରେ ଭୁବନେଶ୍ୱର ସହରରେ ଟୁଇନ୍ସିଟି ପୁଲିସ କମିଶନର, ଅତିରିକ୍ତ କମିଶନର ଓ ଡ଼ିସିପିଙ୍କ ଅବା ତ୍ରୀମୃତିଙ୍କ ନେତ୍ରୁତ୍ୱରେ ବିଭିନ୍ନ ଥାନାର ଅଧିକାରୀ, ଜୋନ୍ ଏସିପି ଓ ସମସ୍ତ ଥାନାର ଅଫିସର ମାନଙ୍କୁ ନେଇ ଏକ ବିରାଟ କନଭଏ ପାଟ୍ରୋଲିଂ କରିଥିଲା କମିଶନରେଟ ପୁଲିସ । ପ୍ରଥମେ ଏଜି ଛକରୁ ଆରମ୍ଭ ହୋଇଥିଲା କନଭଏ ପାଟ୍ରୋଲିଂ । ତାହାସହ ବିଭିନ୍ନ ଛକ ମାନଙ୍କରେ ବ୍ଲକିଂ, ଚେକିଂ ସହ ଚାଲିଥିଲା କଡାକଡି ଯାଞ୍ଚ ।
ଅପରାଧିଙ୍କୁ କଡ଼ା ଚେତାବନୀ ଦେଇ ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂହ କହିଛନ୍ତି, ଆଉ ଅପରାଧିଙ୍କ ଚରାଭୂଇଁ ପାଲଟିବନି ରାଜଧାନୀ । ଏଠାରେ ଅପରାଧିଙ୍କ ପାଇଁ କୌଣସି ସ୍ଥାନ ନାହିଁ । ସେମାନେ ଏଠାରେ ଘଟାଇ ପାରିବେନି କୌଣସି ଅପରାଧ  । ଏପରି କିଛି କାଣ୍ଡ ଘଟାଇଲେ ଗୋଡାଇ ଧରିବ ପୁଲିସ । କାହାକୁ ବି ଛଡାଯିବନାହିଁ । ପୂର୍ବରୁ କମିଶନରେଟ ପୁଲିସର ବିଭିନ୍ନ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ନାକାବନ୍ଦୀ, ଡ୍ରଙ୍କ ଆଣ୍ଡ ଡ୍ରାଇଭ ଚେକିଂ ଓ ବ୍ଲକିଂ ଚାଲୁଥିବା ବେଳେ, ଏବେ ଆରମ୍ଭ ହୋଇଛି କନଭଏ ପାଟ୍ରୋଲିଂ  । ବିଭିନ୍ନ ଥାନା ସହ ସଂଯୋଗ ରଖି ସଙ୍ଗଠିତ ଭାବେ ଆରମ୍ଭ ହୋଇଛି ଏହି ବଡଧରଣର ଚେକିଂ । ଏହା କରିବା ଦ୍ୱାରା ରାଜଧାନୀକୁ ଅପରାଧ ମୁକ୍ତ କରିହେବ ବୋଲି କହିଛନ୍ତି ପୁଲିସ କମିଶନର । ଏନେଇ ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂହ ଏହାବି କହିଛନ୍ତି, ଅପରାଧକୁ ନିୟନ୍ତ୍ରଣ କରିବା ନିମନ୍ତେ ପୁଲିସ ସବୁବେଳେ ସଜାଗ ରହିଛି । ୟୁନିଫର୍ମ ହେଉ ବା ବିନା ୟୁନିଫର୍ମରେ ପୁଲିସ ପାଟ୍ରୋଲିଂ କରୁଛି । ବେଳେ ବେଳେ ବିଭିନ୍ନ ଥାନା ସହ ସଂଯୋଗ ରଖାଯାଇ ଏପରି ବଡଧରଣର ବ୍ଲକିଂ ଓ ଚେକିଂ କରାଯାଉଛି । ଆଗକୁ ନିୟମିତ ବ୍ୟବଧାନରେ ଏପରି କରାଯିବ  । ଏଥିସହ ରାଜଧାନୀରେ ଅପରାଧକୁ ପ୍ରଶୟ ଦିଆଯିବନି । କି କୌଣସି ଅପରାଧିଙ୍କୁ ହାଲକା ଭାବେ ନିଆଯିବନି । ଯେକୌଣସି ଅପରାଧ କଲେ ଗୋଡାଇ ଗୋଡାଇ ବାନ୍ଧିବୁ ବୋଲି କହିଛନ୍ତି ପୁଲିସ କମିଶନର ।
ଏଥିସହ ଡିସିପି ପିନାକ ମିଶ୍ର କହିଛନ୍ତି, ରାଜଧାନୀରେ ସୁସ୍ଥ ଓ ସୁରକ୍ଷିତ ବାତାବରଣ ପାଇଁ ଆମେ ଏପରି ପଦକ୍ଷେପ ନେଉଛୁ । ରୀତିମତ ଭାବେ ଏପରି କନଭଏ ପାଟ୍ରୋଲିଂ କରାଯିବ  । ଅପରାଧକୁ ନିୟନ୍ତ୍ରଣକୁ ଆଣିବାକୁ, ବିଶୃଙ୍ଖଳାକୁ ବନ୍ଦ କରିବା ତଥା ରାଜଧାନୀବାସୀଙ୍କୁ ସୁରକ୍ଷିତ ବାତାବରଣ ଯୋଗାଇ ଦେବାକୁ ପୁଲିସ କଡା ଆଭିମୁଖ୍ୟ ଗ୍ରହଣ କରିବ । ଅପରାଧିଙ୍କ ପ୍ରତି ଜିରୋ ଟଲରାନ୍ସ ନୀତି ଆପଣାଯିବ  । ଏବେ ସେମାନଙ୍କୁ ଗୋଡାଇ ଗୋଡାଇ ଧରିବୁ ବୋଲି କହିଛନ୍ତି ଡିସିପି ଶ୍ରୀ ମିଶ୍ର ।