ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ କ୍ରମାଗତ ଭାବେ ଚୋରି ସଂଖ୍ୟା ବଢ଼ିବା ସହିତ ଚୋରଙ୍କ ମନବଳ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ଗତ ଗୁରୁବାର ସ୍ପଷ୍ଟ ଦିବାଲୋକରେ ପୁଣି ଘରେ କେହି ନ ଥିବାର ସୁଯୋଗ ନେଇ କଳାକନା ବୁଲାଇଲେ ଦୁର୍ବୃତ୍ତ । ପ୍ରକାଶ ଯେ, ନୀଳଗିରି ଥାନା ଠାରୁ ଏକ କିଲୋମିଟର ମଧ୍ୟରେ ଯାଉଥିବା ଘାଟଘରସାହି ରାଜା ବଗିଚାର ବାସିନ୍ଦା ଗୋପାଳକୃଷ୍ଣ ମହାପାତ୍ର ପୂର୍ବାହ୍ନ ୧୦ଘଟିକା ସମୟରେ ତାଙ୍କ ପାଥୋଲୋଜି କ୍ଲିନିକକୁ ଯାଇଥିବାବେଳେ ସ୍ତ୍ରୀ ଶାନ୍ତିରେଖା ମହାପାତ୍ର ନିଜର କର୍ମକ୍ଷେତ୍ରକୁ ଘରେ ତାଲା ଦେଇ ସିଡିପିଓ ଅଫିସକୁ ଯାଇଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ଘରର ପଶ୍ଚିମ ପାଖ ଝରକାର ଗ୍ରୀଲ ଭାଙ୍ଗି ଦୁର୍ବୃତ୍ତମାନେ ଘର ଭିତରେ ପଶି ଆଲମିରାର ଲକ୍‌ ଭାଙ୍ଗି ଲକର୍‌ରେ ଥିବା ୫ ଲକ୍ଷ ଟଙ୍କାର ଊର୍ଦ୍ଧ୍ୱ ସୁନା ଗହଣା ଲୁଟ କରି ନେଇ ଯାଇଛନ୍ତି ।  ଏ ନେଇ ନୀଳଗିରି ଥାନାରେ ଘର ମାଲିକ ଗୋପାଳକୃଷ୍ଣ ମହାପାତ୍ର ଅଭିଯୋଗ କରିଥିବା ବେଳେ ନୀଳଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଏକ ୩୬୪/୨୫ ନଂ ମାମଲା ରୁଜୁ କରି ତଦନ୍ତ କରିଛି । ତେବେ ପୁଲିସକୁ ଚକମା ଦେଇ ନୀଳଗିରି ଓ ଆଖପାଖ ଅଞ୍ଚଳରେ ବାରମ୍ବାର ଚୋରି ହେବାକୁ ନେଇ ଆତଙ୍କିତ ଅଛନ୍ତି ସ୍ଥାନୀୟ ବାସିନ୍ଦା । ତୁରନ୍ତ ଏହି ର‍୍ୟାକେଟରେ ସଂପୃକ୍ତ ଚୋରଙ୍କୁ ଧରିବା ଏବଂ ଅଞ୍ଚଳବାସୀଙ୍କୁ ଚୋରି ଦାଉରୁ ମୁକ୍ତି ଦେବାକୁ ଦୃଢ଼ ଦାବି ହୋଇଛି ।