‘ଶହେ ବର୍ଷ ଯାଏଁ ଓଡ଼ିଶାର ସ୍ୱର ହେବ ବିଜେଡ଼ି’
-
ବର୍ତ୍ତମାନର ଆହ୍ୱାନକୁ ଭବିଷ୍ୟତ ପାଇଁ ସୁଯୋଗରେ ପରିଣତ କର
-
ରାଜ୍ୟରେ ସରକାର ଥିବା ପରି ଅନୁଭବ ହେଉନି : ନବୀନ
ଭୁବନେଶ୍ୱର : ଆଜି ଶଙ୍ଖ ଭବନରେ ବିଜୁ ଜନତା ଦଳ ୨୯ତମ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ବିପୁଳ ଉତ୍ସାହ ସହ ପାଳିତ ହୋଇଯାଇଛି । ଏହି ଅବସରରେ ଉପସ୍ଥିତ ନେତା ଓ କର୍ମୀମାନଙ୍କୁ ଉଦବୋଧନ ଦେଇ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ କହିଲେଯେ, ଗଣତନ୍ତ୍ରରେ ହାରଜିତ ରହିଛି । କିନ୍ତୁ କିଛି ଲୋକ ଓ କିଛି ଦଳ ଏବେ ବିଜୁ ଜନତା ଦଳକୁ ନେଇ ଅପପ୍ରଚାର କରୁଛନ୍ତି । ବିଜୁ ଜନତା ଦଳ ଭାଙ୍ଗିଯିବ ଇତ୍ୟାଦି ନାନା ଗୁଜବ ମଧ୍ୟ ସୃଷ୍ଟି କରାଯାଉଛି । କିନ୍ତୁ ସେମାନେ ଜାଣି ରଖିବା ଉଚିତ୍ଯେ, ବିଜୁ ଜନତା ଦଳ ଓଡିଶାବାସୀଙ୍କ ଦଳ। ସାଢେ ଚାରି କୋଟି ଓଡିଶାବାସୀଙ୍କ ଆଶା ଆକାଂକ୍ଷା ଓ ସ୍ୱାଭିମାନ ସହ ବିଜେଡି ଜଡିତ । ବିଜେଡି ରହିଛି ଏବଂ ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜେଡି ଓଡିଶାବାସୀଙ୍କ ସ୍ୱର ହୋଇ ରହିବ ବୋଲି ଶ୍ରୀ ପଟ୍ଟନାୟକ ଦୃଢୋକ୍ତି ପ୍ରକାଶ କରିଥିଲେ ।
ବିଜୁ ଜନତା ଦଳକୁ ଏକ ସଫଳ ଆଞ୍ଚଳିକ ଦଳ ଭାବରେ ବର୍ଣ୍ଣନା କରି ଶ୍ରୀ ପଟ୍ଟନାୟକ କହିଥିଲେଯେ, ୧୯୯୭ରୁ ବିଜେଡି ବିଜୁ ବାବୁଙ୍କ ଆଦର୍ଶରେ ଓଡିଶା ବାସୀଙ୍କ ସେବା କରିଚାଲିଛି । ୨୦୦୦ରୁ ୨୦୨୪ ପର୍ଯ୍ୟନ୍ତ ବିଜେଡି ଶାସନ ଥିଲା ଓଡିଶାର ବିକାଶ ଇତିହାସ ସୁବର୍ଣ୍ଣ ଯୁଗ । ଦାରିଦ୍ର୍ୟ, କ୍ଷୁଧା, ଶିଶୁ ମୃତ୍ୟୁ ଓ ପ୍ରାକୃତିକ ବିପତ୍ତି ସହ ଲଢ଼ିଛୁ, ସଫଳ ମଧ୍ୟ ହୋଇଛୁ । ଓଡିଶାକୁ ନୂଆ ପରିଚୟ ଦେଇଛୁ । ମା’ମାନଙ୍କୁ ସଶକ୍ତ କରିଛୁ । ଚାଷୀଙ୍କ ରୋଜଗାର ବୃଦ୍ଧି କରିଛୁ । ବିଏସକେୱାଇ ପରି ମାଗଣା ସ୍ୱାସ୍ଥ୍ୟ ସେବା ଦେଇଛୁ । ରାଜ୍ୟକୁ ପୁଞ୍ଜି ଆଣିଛୁ। ଯୁବ ସମାଜକୁ ନିଯୁକ୍ତି ଦେଇଛୁ । ଓଡିଶାକୁ ବିଜେଡି ସରକାର ନୂଆ ପରିଚୟ ଦେଇଛି ।
ବର୍ତ୍ତମାନର ବିଜେପି ସରକାରର କାମ ଉପରେ ଶ୍ରୀ ପଟ୍ଟନାୟକ କହିଥିଲେଯେ, ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର ଚାଲିଛି । କିନ୍ତୁ ବିକାଶ କାହିଁ ବୋଲି ସେ ପ୍ରଶ୍ନ କରିଥିଲେ । ସେ କହିଥିଲେଯେ, ଏବେ ଚାଷୀକୁ ସାର ମିଳୁନି । ମଣ୍ଡି ଖୋଲୁନି । ମିଶନ ଶକ୍ତି ମା’ମାନେ ହଇରାଣ । ଯୁବ ସମାଜ ହତାଶ । ଗତ ଅଠର ମାସରେ ଅଠର ଥର ନିଯୁକ୍ତି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେଲାଣି । ଆଇନଶୃଙ୍ଖଳା କଥା ନକହିବା ଭଲ । ମହିଳାମାନଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି । ଏପରିକି ଛୋଟ ଛୋଟ ଝିଅମାନେ ମଧ୍ୟ ନିରାପଦ ନୁଁହନ୍ତି । ରାଜ୍ୟରେ ଏକ ସରକାର ଥିବା ପରି ଅନୁଭବ ହେଉ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଥିଲେ । ଯୁବ ସମାଜକୁ ଦଳର ଅମୂଲ୍ୟ ସମ୍ପତ୍ତି ଭାବରେ ବର୍ଣ୍ଣନା କରି ଶ୍ରୀ ପଟ୍ଟନାୟକ କହିଥିଲେଯେ, ସେବା, ସଂଗ୍ରାମ ଓ ସ୍ୱାଭିମାନ ବିଜେଡିର ମନ୍ତ୍ର । ବିକାଶ ଆମର ପରିଚୟ। ତେଣୁ ବିଜେଡିର ଯୁବବନ୍ଧୁମାନେ ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହିବା ସହ ଦଳ ବିରୁଦ୍ଧରେ ଚାଲିଥିବା ଅପପ୍ରଚାରର ଫଳପ୍ରଦ ମୁକାବିଲା କରିବାକୁ ବିଜେଡି ସଭାପତି ଆହ୍ୱାନ ଜଣାଇଥିଲେ ।
ରାଜନୀତିରେ ଧୈର୍ଯ୍ୟ ବହୁତ ଗୁରୁତ୍ୱପୂର୍ଣ ବୋଲି ମତ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ, ଦଳର ଲକ୍ଷ ଲକ୍ଷ କର୍ମୀ ଭାଇଭଉଣୀମାନଙ୍କ କଠିନ ପରିଶ୍ରମ ଓ ପ୍ରତିବଦ୍ଧତା ଉପରେ ତାଙ୍କର ଗଭୀର ବିଶ୍ୱାସ ରହିଛି । ତେଣୁ ବର୍ତ୍ତମାନର ଆହ୍ୱାନକୁ ଭବିଷ୍ୟତ ପାଇଁ ସୁଯୋଗରେ ରୂପାନ୍ତରିତ କରି ଏକ ସଶକ୍ତ ଓଡିଶା ଗଠନ ଦିଗରେ ବ୍ରତୀ ହେବାକୁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।
Samir Kumar Rout