ଚଞ୍ଚକତା କରି ଟଙ୍କା ହଡପ!

ଖୋର୍ଦ୍ଧା ଗୋବିନ୍ଦ ଚନ୍ଦ୍ର ପଣ୍ଡା : 
ସରକାର ଭୁଲରେ ପଠାଇଲେ ଅର୍ଥ କିନ୍ତୁ ଚଞ୍ଚକତା କରି ହଡ଼ପ କରିବା ପାଇଁ ଯୋଜନା କରିଛନ୍ତି ସରପଞ୍ଚ । ରାଜ୍ୟ ସରକାରଙ୍କ ୪ର୍ଥ ଅର୍ଥ କମିଶନ ଯୋଜନାରେ ୨୦୧୫-୧୬, ୧୬-୧୭ଆର୍ଥିକ ବର୍ଷରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତକୁ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୪୦ଲକ୍ଷ ଟଙ୍କା ଆସିଥିଲା  । କିନ୍ତୁ ପରବର୍ତୀ ସମୟରେ ଆସିଥିବା ୪୦ ଲକ୍ଷ ଟଙ୍କାରୁ ୨୦ଲକ୍ଷ ଟଙ୍କାକୁ ବିନିଯୋଗ ନକରି ସରକାରୀ ତହବିଲକୁ ଫେରାଇବା ପାଇଁ ପଂଚାୟତି ରାଜ ଓ ପାନୀୟଜଳ ବିଭାଗ ୨୧/୧୨/୨୦୧୯ରିଖ ଚିଠି ନଂ ୧୪୧୯ରେ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ ନିକଟକୁ ଚିଠି ଆସିଥିଲା  । କିନ୍ତୁ ବିଭାଗୀୟ ଚିଠି ସତ୍ତ୍ୱେ ସରକାରୀ ତହବିଲକୁ ଅର୍ଥ ଫେରି ନଥିବା ନେଇ ପୁନର୍ବାର ବିଭାଗ ପକ୍ଷରୁ ୯/୯/୨୦୨୦  ମସିହାରେ ଚିଠି ନମ୍ବର ୧୪୨୦୮ ରେ ବିଭାଗର ଅତିରିକ୍ତ ସଚିବ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ ସହ ଜିଲ୍ଲାପାଳ, ଜିଲ୍ଲାପରିଷଦ ଉନ୍ନୟନ ଅଧିକାରୀ ଓ ବେଗୁନିଆ ବିଡ଼ିଓଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଥିଲେ  । ସବୁ ସରକାରୀ ନୀତି ନିୟମକୁ ଫୁ କରି ଦେଉଳି ସରପଞ୍ଚ ଅକ୍ଷୟ କୁମାର ରାଉତରାୟ ମନଇଛା ସରକାରୀ ଅର୍ଥକୁ ଫେରାଇବା ପରିବର୍ତ୍ତେ ଅନ୍ୟତ୍ର ବିନିଯୋଗ କରୁଥିବା ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ସାମାଜିକ କର୍ମୀ ଯୁଧିଷ୍ଠିର ସାମନ୍ତରାୟଙ୍କ ଅଭିଯୋଗ କରିଛନ୍ତି । ଅଭିଯୋଗ ସମ୍ପର୍କରେ ସରପଞ୍ଚ କହିଛନ୍ତି ପୁରୁଣା ଅନୁଦାନ ଅର୍ଥ ଏବେ ଫେରାଇବା ପାଇଁ ନିୟମ ନାହିଁ  । ତେଣୁ ସେହି ଅର୍ଥରେ ପଂଚାୟତରେ ଥିବା ରାଜୀବଗାନ୍ଧୀ ସେବା କେନ୍ଦ୍ରର ଉନ୍ନତିକରଣ ଏବଂ ଡଙ୍ଗରପଡା ଥରେ ମିନି କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଉଛି । ସେପଟେ ବେଗୁନିଆ ବିଡ଼ିଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ସରକାରଙ୍କ ର୍ନିେଶକୁ ଉଲଂଘନ କରୁଥିବା ସରପଞ୍ଚଙ୍କ ବିରୁଦ୍ଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଜିଲ୍ଲା ପ୍ରଶାସନ ତାହା ଦେଖିବାକୁ ବାକି ରହିଲା । ଅନ୍ୟପଟେ ଦେଉଳି ପଞ୍ଚାୟତ ସରପଞ୍ଚଙ୍କ ଅପାରଗତା କାରଣରୁ ଉନ୍ନୟନ କାର୍ଯ୍ୟ ସଠିକ ଢଙ୍ଗରେ ହୋଇପାରୁନଥିବା ସ୍ଥାନୀୟ ଜନସାଧାରଣ ଖୋଲା ଖୋଲି ଅଭିଯୋଗ କରିଛନ୍ତି ।