ମୋହନଙ୍କୁ ଦୁଗ୍ଧଚାଷୀ ମହାସଂଘର ଧନ୍ୟବାଦ
ଭୁବନେଶ୍ୱର : ଦୁଗ୍ଧ ଲିଟର ପିଛା ୩ଟଙ୍କା ଦର ବୃଦ୍ଧିକୁ ସ୍ୱାଗତ କରିଛନ୍ତି ଓଡିଶା ଦୁଗ୍ଧଚାଷୀ ମହାସଂଘ । ବାରମ୍ବାରା ଧାରଣା ପ୍ରତିବାଦ ପରେ ସରକାର ଚାଷୀଙ୍କ ଦୁଖଃ ବୁଝିଥିବାରୁ ରାଜ୍ୟସରକାରକୁ ଧନ୍ୟବାଦ ଦେଇଛନ୍ତି । ଦୁଗ୍ଧଚାଷୀ ଦରବୃଦ୍ଧିକୁ ନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ଓମ୍ଫେଡ୍ ପରିଚାଳନା ନିଦେ୍ର୍ଦଶକଙ୍କ ସହିତ ଆଲୋଚନା କରିଥିଲେ । ଏଥିସହ ସଂଘପକ୍ଷରୁ ହେବାକୁ ଥିବା “ଦୁଗ୍ଧଢଳା” କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଥିଲେ । ଆଲୋଚନା ସମୟରେ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଯେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ଦୁଗ୍ଧଚାଷୀ ମାନଙ୍କ ସମସ୍ୟା ପ୍ରତି ସଚେତନ ଅଛନ୍ତି ଏବଂ ଖୁବ୍ ଶୀଘ୍ର ସରକାର ସକାରାତ୍ମକ ପଦକ୍ଷେପ ଗ୍ରହଣ କରିବେ । ଆଲୋଚନା ସମୟରେ ‘ବିଶ୍ୱ ଦୁଗ୍ଧ ଦିବସ’ ଉପଲକ୍ଷେ ରାଜ୍ୟ ସରକାର ଦୁଗ୍ଧ ଚାଷୀମାନଙ୍କର ଦାବିକୁ ଗ୍ରହଣ କରିବାକୁ ମହାସଂଘ ପକ୍ଷରୁ ମନ୍ତ୍ରୀଙ୍କ ପାଖରେ ଦୃଢ ଦାବି କରାଯାଇଥିଲା । ି ଆଲୋଚନା ଅନୁଯାୟୀ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କ ପାଇଁ ଦୁଗ୍ଧ ଲିଟର ପିଛା ୩ଟଙ୍କା ଦର ବୃଦ୍ଧି କରିବାକୁ ଯେଉଁ ଘୋଷଣା କରିଛନ୍ତି, ତାହାକୁ ଓଡ଼ିଶା ଦୁଗ୍ଧ ଚାଷୀ ମହାସଂଘ ସ୍ୱାଗତ କରୁଛି । ଏହାଫଳରେ ଓମ୍ଫେଡ୍ ସହିତ ଅନୁବନ୍ଧିତ ୨ଲକ୍ଷ ୭୮ ହଜାର ଚାଷୀ ପରିବାର ଉପକୃତ ହେବେ ଏବଂ ପରୋକ୍ଷ ଭାବରେ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟକୁ ଜୀବିକା କରି ପରିବାର ପୋଷଣ କରୁଥିବା ୧୫ଲକ୍ଷ ପରିବାର ଉପକୃତ ହେବେ ବୋଲି ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ରାଜ୍ୟ ଅଧ୍ୟକ୍ଷ ରବି ବେହେରା ପ୍ରକାଶ କରିଛନ୍ତି । ଆଜିର ଏହି ଲିଟର ପିଛା ୩ଟଙ୍କା ଦର ବୃଦ୍ଧି ପୁଣି ଥରେ ଚାଷୀଙ୍କୁ ଉପକୃତ କରିବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି । ଏହାବ୍ୟତୀତ ସରକାର ଦୁଗ୍ଧ ଚାଷୀମାନଙ୍କ ପାଇଁ ଘୋଷଣା କରିଥିବା ୧ଲକ୍ଷ ଟଙ୍କା ବୀମା ରାଶିକୁ ମହାସଂଘ ସ୍ୱାଗତ କରିଛି । ରାଜ୍ୟରେ ଅପପୁଷ୍ଟି ଓ ରକ୍ତହୀନତାରେ ଶିକାର ହୋଇଥିବା ୧ କୋଟି ୪୦ଲକ୍ଷ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ସପ୍ତାହକୁ ଅନ୍ତତଃ ଦୁଇଥର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଏବଂ ମିଲ୍କ ପାଉଡର ଦେବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । ଏହାହେଲେ ରାଜ୍ୟରେ ଗ୍ରାମାଞ୍ଚଳରେ ଅର୍ଦ୍ଧଶିକ୍ଷିତ ଓ ମହିଳାମାନେ ଗୋପାଳନ ପ୍ରତି ଆଗ୍ରହ ପ୍ରକାଶ କରିବେ ଏବଂ ଦାଦନ ସମସ୍ୟାର ସମାଧାନ ଦିଗରେ ଏହା ଏକ ବଳିଷ୍ଠ ପଦକ୍ଷେପ ହୋଇପାରିବ ବୋଲି ମହାସଂଘ ଆଶାପ୍ରକାଶ କରୁଛି ।