ଚାରି ମାସ ହେଲା ଟୋଲରେ ଝୁଲୁଛି ତାଲା
ରାଜନଗର: ରାଜନଗର ବ୍ଲକ ସଦର ମହକୁମାସ୍ଥିତ ଶୈଳେନ୍ଦ୍ର ନାରାୟଣ ସଂସ୍କୃତ ବିଦ୍ୟାପୀଠରେ ଗ୍ରୀଷ୍ମ ଛୁଟି ପରେ ତାଲା ଖୋଲି ନଥିବା ଅଭିଯୋଗ ହୋଇଛି । ଚଳିତ ବର୍ଷ ଜୁନ ମାସରୁ ଛାତ୍ରଛାତ୍ରୀ ମାନେ ଏପର୍ଯ୍ୟନ୍ତ କ୍ଲାସ କରି ନାହାଁନ୍ତି । ଏହି ମଧ୍ୟମା ବିଦ୍ୟାଳୟରେ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀମାନଙ୍କ ପାଠପଢା ଠପ୍ ହୋଇଯାଇଛି । ଫଳରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସି ଫେରିଯାଉଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଚଳିତ ବର୍ଷ ମଇ ମାସରେ ଏହି ବିଦ୍ୟାଳୟର ପ୍ରଧାନ ପଣ୍ଡିତ ତଥା ଏକମାତ୍ର ଶିକ୍ଷକ ସଚିନ୍ଦ୍ର କୁମାର ପରିଡା ଅବସର ନେବା ପରେ କେହି ଜଣେ ବି ଏହି ବିଦ୍ୟାଳୟରେ ପଣ୍ଡିତ କିମ୍ବା ଶିକ୍ଷକ ନାହାଁନ୍ତି । ଯେଉଁ ଶିକ୍ଷକ ମାନଙ୍କୁ ଏହି ଅନୁଷ୍ଠାନରେ ଯୋଗଦାନ କରିବା ପାଇଁ ବିଭାଗ ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଥିଲା ସେମାନେ ଏହି ବିଦ୍ୟାଳୟକୁ ଆସିବା ପାଇଁ ଅନିଚ୍ଛା ପ୍ରକାଶ କରି ଆସୁନଥିବା କୁହାଯାଉଛି ।
ଅନ୍ୟଦିଗରେ ଏହି ବିଦ୍ୟାଳୟ ପାଇଁ ଅତିଥି ଶିକ୍ଷକ ମଧ୍ୟ ନିଯୁକ୍ତି ଦିଆଯାଉନାହିଁ । ଏଭଳି ପରିସ୍ଥିତିରେ ମଧ୍ୟମାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏକ ପ୍ରକାର ଅନ୍ଧକାର ଆଡକୁ ଚାଲି ଯାଇଥିବା ଅବିଭାବକମାନେ ପ୍ରକାଶ କରୁଛନ୍ତି । ଅନ୍ୟ ବିଦ୍ୟାଳୟ ମାନଙ୍କରେ ପାଠ୍ୟ ଖସଡ଼ା ଅନୁଯାଇ ଶିକ୍ଷାଦାନ ଦିଆଯାଉଥିବା ବେଳେ ସଂସ୍କୃତ ଶିକ୍ଷା ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସାଧାରଣରେ ଆଲୋଚନା ହେଉଛି । କେବେ ଏହି ଶହେ ବର୍ଷର ଅନୁଷ୍ଠାନରେ ଶିକ୍ଷକ ନିଯୁକ୍ତି ହୋଇ ଛାତ୍ର ଛାତ୍ରୀ ମାନେ ପାଠ ପଢିବେ, ତାହାକୁ ନେଇ ଅଭିଭାବକ ଚିନ୍ତାରେ ପଡିଛନ୍ତି । ଏ ସମ୍ପର୍କରେ ରାଜନଗର ବ୍ଲକ ଶିକ୍ଷାଧିକାରୀ ମନୋରଞ୍ଜନ ସେଠିଙ୍କୁ ପଚାରିବାରୁ ମୁଁ ଜାଣିଛି, ଶିକ୍ଷକ ନାହାନ୍ତି । ଚାରିମାସ ହେବ ତାଲା ଝୁଲୁଛି ବୋଲି ଜାଣି ନାହିଁ । ସିଆରସିସିଙ୍କଠାରୁ ବୁଝି କହିବି ବୋଲି କହିଛନ୍ତି । ହୀରକ ଜୟନ୍ତୀ ପାଳନ କରିବାକୁ ଯାଉଥିବା ଏହି ପ୍ରାଚୀନ ସଂସ୍କୃତ ବିଦ୍ୟାଳୟ ଖୋଲିବ ନା ବନ୍ଦ ହୋଇଯିବ ଦେଖିବାକୁ ବାକି ରହିଲା ।