ଥଇଥାନରୁ ବଞ୍ଚôତ ୪୦ଦଳିତ ପରିବାର: ୩ରୁ ଆମରଣ ଅନଶନ ଚେତାବନୀ


 ରାଜନଗର : ରାଜନଗର ବ୍ଲକ ସାତଭାୟାକୁ ସମୁଦ୍ର ଗ୍ରାସ କରିଯିବା ପରେ ସରକାର ଗୁପ୍ତି ପଞ୍ଚାୟତ ବଗପାଟିଆଠାରେ ଥଇଥାନ କଲେ । ୨୦୧୮ମସିହାରେ ସାତଭାୟାର ୫୭୧ ପରିବାର ଥଇଥାନ ହେବା ପରେ ୯୯ ପରିବାର ସହ ୧୪୮ପରିବାରଙ୍କୁ ଜାଗା ଚିହ୍ନଟ ଦିଆଯାଇଛି । ଏମାନଙ୍କ ବ୍ୟତୀତ ୨୩୫ ପରିବାର ପ୍ରଶାସନ ନିକଟରେ ଜାଗା ପାଇଁ ଆବେଦନ କରିଥିଲେ । ଯେଉଁମାନଙ୍କୁ ଜାଗା ଦିଆଯାଇନାହିଁ । ସେମାନଙ୍କ ଆବେଦନ ସରକାରଙ୍କ ନିକଟରେ ବିଚାରାଧିନ ରହିଥିବା ଜଣାପଡିଛି । ଏପରି ସ୍ଥିତିରେ ପୁରୁଣା ସାତଭାୟାର ସମୁଦ୍ରକୂଳରେ ରହିଥିବା ୪୦ଦଳିତ ପରିବାର ଜିଲ୍ଲା ପ୍ରଶାସନ ନିକଟରେ ଜାଗା ଚିହ୍ନଟ ପାଇଁ ଦାବି କରିଥିଲେ ମଧ୍ୟ ସେମାନଙ୍କ ଅଭିଯୋଗକୁ ପ୍ରଶାସନ ଗୁରୁତ୍ୱ ନଦେଇ ସମୟ ଗଡାଇ ଚାଲିଥିଲା । ଏହି ପରିବାର ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ତ ହୋଇଥିଲେ । ମାନ୍ୟବର ଉଚ୍ଚ ନ୍ୟାୟାଳୟ ୨୦୨୩ରେ ଜିଲ୍ଲା ପ୍ରଶାସନକୁ ଜଏଣ୍ଟ ଭେରିଫିକେସନ (ମିଳିତ ତଦନ୍ତ) କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ତିନିଜଣ ଡେପୁଟି କଲେକ୍ଟର, ରାଜନଗର ତହସିଲଦାର ଓ ବିଡିଓଙ୍କୁ ନେଇ ତଦନ୍ତ କରି ରିପୋର୍ଟ ପ୍ରଦାନ କଲା । ଯେଉଁଥିରେ ଏହି ୪୦ପରିବାରଙ୍କୁ ଘରଡିହ ମିଳିବାର ଆଶା ମଉଳିଗଲା । ଏହାର ପ୍ରତିବାଦ କରି ସାତଭାୟା (ବଗପାଟିଆ) ଥଇଥାନ ମଞ୍ଚର ଆବାହକ ଡଃ ଧରଣୀଧର ରାଉତ ଓ ଓ ସାତଭାୟାର ଦଳିତ ଅନୁସୂଚୀତ ବର୍ଗ ସମାଜ ସଙ୍ଗଠନର ସଭାନେତ୍ରୀ ସଶ୍ମିତା ମଳିକ ମିଳିତ ଭାବେ ଆସନ୍ତା ଅପ୍ରେଲ ମାସ ୩ତାରିଖରେ ଆମରଣ ଅନଶନ କରିବା ପାଇଁ ଚେତାବନୀ ଦେଇଛନ୍ତି ।