କୁସୁମୀ ମାଳବନ୍ଧ ରାସ୍ତା ଅବସ୍ଥା ଶୋଚନୀୟ, ଯାତାୟାତ ବାଧାପ୍ରାପ୍ତ
ଖଣ୍ଡପଡା: ଖଣ୍ଡପଡ଼ା ବ୍ଲକ୍ ଅଧିନ କୁସୁମୀ ମାଳବନ୍ଧ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ଏହି ମାଳବନ୍ଧ ରାସ୍ତା ଦେଇ ବନମାଳୀପୁର ଓ ରାଣୀଛେଲି ପଞ୍ଚାୟତବାସୀ ଦୈନିକ ଯାତାୟାତ କରୁଥିବା ବେଳେ, ମାଳବନ୍ଧ ରାସ୍ତା ପାର୍ଶ୍ୱରେ ଅବସ୍ଥିତ ମା ପାଟ୍ଟଚଣ୍ଡୀଙ୍କ ପୀଠକୁ ଶ୍ରଦ୍ଧାଳୁ ଭକ୍ତମାନେ ଯାତାୟାତ କରିଥାନ୍ତି । ମାତ୍ର ଏବେ ବର୍ଷାଦିନ ଯୋଗୁଁ ମାଳବନ୍ଧ ରାସ୍ତା ଉପର କାଦୁଅ ପଙ୍କରେ ପୋତି ହୋଇପଡିଛି । ଫଳରେ ମାଳବନ୍ଧ ରାସ୍ତାଟି ସର୍ବସାଧାରଣଙ୍କ ଗମନାଗମନ ନିମନ୍ତେ ସଂପୂର୍ଣ୍ଣ ରୁପେ ଅନୁପଯୋଗୀ ହୋଇପଡିଛି । ପୁନଶ୍ଚ ଏହି ମାଳବନ୍ଧ ରାସ୍ତାଟି ଖଣ୍ଡପଡାରୁ ଭୁବନେଶ୍ୱରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ଆମ୍ବନାଳ ସେତୁ ନିକଟରେ ସଂଯୋଗ କରୁଛି । ସାମାନ୍ୟ ବର୍ଷା ହେଲେ ଉକ୍ତ ମାଳବନ୍ଧ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡୁଛି । ପ୍ରତିବର୍ଷ ମାଳବନ୍ଧ ରାସ୍ତାର ଉନ୍ନତିକରଣ ନିମନ୍ତେ ରାଜ୍ୟ ସରକାର ଜଳସେଚନ ବିଭାଗ ଜରିଆରେ ଲକ୍ଷଲକ୍ଷ ଟଙ୍କା ବ୍ୟୟ କରୁଥିଲେ ହେଁ ମାଳବନ୍ଧ ରାସ୍ତା ଅବସ୍ଥା ସୁଧୁରୁ ନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । କଣ୍ଟିଲୋ ଜଳସେଚନ ବିଭାଗ କର୍ତ୍ତୃପକ୍ଷ ଏହି ମାଳବନ୍ଧ ରାସ୍ତା ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି । ସେହିପରି ଉକ୍ତ ମାଳବନ୍ଧ ରାସ୍ତା ଦେଇ ମା ପାଟ୍ଟଚଣ୍ଡୀଙ୍କ ପୀଠକୁ ଦୈନିକ ଶ୍ରଦ୍ଧାଳୁମାନେ ଯାତାୟାତ କରୁଥିବାରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ପ୍ରଶାସନ ଦୃଷ୍ଟିଦେଇ ମାଳବନ୍ଧ ରାସ୍ତା ପ୍ରଶସ୍ତିକରଣ କରିବାକୁ ସାଧାରଣରେ ଦାବି ହେଉଛି ।